ପଲ୍ଲିଶ୍ରୀ ମେଳାରେ ୬କୋଟି ୨୩ଲକ୍ଷ ୯୮ହଜାର ଟଙ୍କାର ରେକର୍ଡ ବ୍ୟବସାୟ
ରାୟଗଡା (ପ୍ରତିଫଳନ ମିଡ଼ିଆ)
ଚାହୁଁ ଚାହୁଁ ସରିଗଲା ଚଇତି। ପାଞ୍ଚ ଦିନ ଧରି ଚାଲିଥିବା ଜିଲ୍ଲାର ଗଣ ପର୍ବର ଶେଷ ଦିନର ମୌକା ଛାଡିବାକୁ କେହି ପ୍ରସ୍ତୁତ ନଥିଲେ। ଶେଷ ସଞ୍ଜରେ ଅସମ୍ଭବ ଭିଡ଼ ହୋଇଥିଲା। ଗ୍ରାମାଞ୍ଚଳ ଲୋକେ ସ୍ୱତନ୍ତ୍ର ଗାଡି ଭଡା କରି ଚଇତିକୁ ଉପଭୋଗ କରିବାକୁ ପହଂଚିଥିଲେ। ରାସ୍ତାଘାଟ ଅସମ୍ଭଵ ଭିଡ଼ ହୋଇଥିଲା। ଏଥର ପଲ୍ଲିଶ୍ରୀ ମେଳା ବ୍ୟବସ୍ଥିତ ଢଙ୍ଗରେ ହୋଇଥିଲା। ଷ୍ଟଲ ବ୍ୟତୀତ ଅନ୍ୟ କୌଣସି ଉଠା ଦୋକାନୀଙ୍କୁ ଭିତରକୁ ପ୍ରବେଶ ମନା ଥିଲା। ଫଳରେ ଜିସିଡ଼ି ପଡିଆକୁ ପ୍ରବେଶ କରିବା ପଥ ଦୁଇ ପାର୍ଶ୍ୱରେ ଉଠା ଦୋକାନୀ ନିଜର ପସରା ମେଲିଥିଲେ। ଫଳରେ ରାସ୍ତାରେ ମେଳାର ଭ୍ରମ ସୃଷ୍ଟି ହୋଇଥିଲା। ମୁଖ୍ୟ ରାସ୍ତାରୁ ଚଇତିର ସରାଗ ଆରମ୍ଭ ହୋଇଥିଲା। ଟ୍ରାଫିକ ବ୍ୟବସ୍ଥା ବି ସୁବ୍ୟସ୍ଥିତ ଥିଲା। ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ସହର ଭିତରକୁ ଭାରି ଯାନ ପ୍ରବେଶ ନିଷେଧ ଥିଲା। ଚଇତି ଯେମିତି ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ବାହାର କରିଦେଲା। ଏହି ବ୍ୟବସ୍ଥାକୁ ସବୁଦିନିଆ ଲାଗୁ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଚଇତି ବିଦାୟ ସଞ୍ଜରେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଅଂଶ ଗ୍ରହଣ କରି ଲୋକଙ୍କ ପାଇଁ ସୁନେଲି ସ୍ବପ୍ନ ଦେଖାଇଥିଲେ। ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣି ସଭାପତିତ୍ୱରେ ଆୟୋଜିତ ସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇ ଚଇତି ଗ୍ରାମାଞ୍ଚଳ ପ୍ରତିଭା ବିକାଶର ମଞ୍ଚ ହୋଇଥିବାରୁ ଆଗାମୀ ଦିନରେ ସ୍ୱତନ୍ତ୍ର ପଡିଆରେ ଆହୁରି ଉତ୍କର୍ଷ ଢଙ୍ଗରେ କରାଯିବା ନେଇ ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ସିଡିଓ ଅକ୍ଷୟ କୁମାର ଖେମୁଣ୍ଟୁ, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ରାୟଗଡ଼ା ଏସ୍ପି ସ୍ବାତୀ ଏସ୍. କୁମାର ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ଅତିଥି ଓ କୃତୀ କ୍ରୀଡାବିତଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କାହଁର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଡିଓ ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।

ପଞ୍ଚମ ସନ୍ଧ୍ୟାରେ ସାଂସ୍କୃତିକ ଦଳ ଜେଡି ଗ୍ରୁପ୍, ପଦ୍ମପୁର ଦେବତା ଗ୍ରୁପ୍, ଚନ୍ଦନ ଗ୍ରୁପ୍ ଓ ବାରିଝୁଲ ଗ୍ରୁପ୍ ପକ୍ଷରୁ ଆଦିବାସୀ ନୃତ୍ୟ, ସଂସ୍କୃତି କ୍ଲର୍ବ ପକ୍ଷରୁ ସମ୍ବଲପୁରୀ, ଦେବୀପ୍ରସାଦ ଗ୍ରୁପ୍ ଡାଣ୍ଡିଆ, ଉଷା ଭାରତୀ ଗ୍ରୁପ୍ ଝୁମ୍ପୁରା, ରାୟଗଡ଼ା ମହିଳା ମହାବିଦ୍ୟାଳୟ ପକ୍ଷରୁ ଆସାମ ବିହୁ, ସୁନୀଲ ଗ୍ରୁପ୍ ସାଇଲୋଡ଼ି, ରାୟଗଡ଼ା ଏନସିସି କ୍ୟାଡେଟ୍ ଭାଙ୍ଗଡ଼ା, ଘୁଙ୍ଗୁରୁ କଳା ବିକାଶ ଗ୍ରୁପ୍ ମାହରି, ଗୀତ ପରିବାର ନବଦୁର୍ଗା, ବଲାଙ୍ଗୀର ଟିଟିଲାଗଡ଼ର ରାସରକେଲି ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ପଲ୍ଲିଶ୍ରୀ ମେଳାରେ ପ୍ରଥମ ଦିନର ଲୋକଙ୍କ ଉପସ୍ଥିତି ଦେଖି ଛାନିଆ ହୋଇଥିବା ଷ୍ଟଲର ବେପାରୀ ଦଳଙ୍କ ମୁହଁରେ ଶେଷ ରଜନୀରେ ହସ ଦେଖିବାକୁ ମିଳିଥିଲା। ଏଥର ବି ବେପାରୀମାନେ ଭଲ ବ୍ୟବସାୟ କରିଛନ୍ତି। କାଠ ଓ ବେତ ସାମଗ୍ରୀ, ସମ୍ବଲପୁରୀ ବସ୍ତ୍ର, ଖଦି ପୋଷାକ, ଏସ ଏଚ ଜି ଙ୍କ ଲଘୁ ବନଜାତ ଦ୍ରବ୍ୟ ବିକ୍ରି ଭଲ ହୋଇଥିଲା। ସେହିପରି ଫୁଡ କୋର୍ଟ ରେ ପ୍ରବଳ ଭିଡ଼ ଲାଗି ରହିଥିଲା। ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା ହସ୍ତ ଶିଳ୍ପ କାରିଗର ବି ଖୁସି ଥିଲେ। ଚଳିତବର୍ଷ ଚଇତି ପଲ୍ଲିଶ୍ରୀ ମେଳାରେ ୬କୋଟି ୨୩ଲକ୍ଷ ୯୮ହଜାର ଟଙ୍କାର ରେକର୍ଡ ବ୍ୟବସାୟ ହୋଇଥିବା ପ୍ରଶାସନ ସୂଚନା ପ୍ରଦାନ କରିଛି।

