ରାୟଗଡା ଆସୁଛନ୍ତି ମୁଖ୍ୟମନ୍ତ୍ରୀ🔸 ବହୁ କୋଟିର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ🔸 ସୁଭଦ୍ରା ଶକ୍ତି ମେଳାର କରିବେ ଶୁଭ ଉଦଘାଟନ 🔸ଗାୟତ୍ରୀ ଯଜ୍ଞରେ ସସ୍ତ୍ରୀକ ପୂର୍ଣ୍ଣାହୁତି ଦେବେ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଆସନ୍ତା କାଲି ରାୟଗଡା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ରାୟଗଡ଼ାକୁ ତାଙ୍କର ଦ୍ଵିତୀୟ ଗସ୍ତ। ରାୟଗଡାରେ ମିଟ୍ସ ଗ୍ରୁପ ଓ ହରିପୁର ଗୁରୁକୁଳମ ନୂଆପଡାଙ୍କ ପୋରହିତ୍ୟରେ ଆୟୋଜିତ 108କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞରେ ଯୋଗ ଦେଇ ପୂର୍ଣ୍ଣାହୂତି ପ୍ରଦାନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ କରିବେ। ସାଧାରଣ ସଭାକୁ ସମ୍ଭୋଦିତ କରିବେ। ଏଥିସହ ବହୁ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ।

ନୂଆ ଘୋଷଣା ପାଇଁ ଲୋକଙ୍କ ଅପେକ୍ଷା

ଆସନ୍ତା କାଲି ୧୦.୦୦ ସକାଳ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ସ୍ଵତନ୍ତ୍ର  ରାଜ୍ୟ ହେଲିକପ୍ଟର ଦ୍ୱାରା ମୁଖ୍ୟମନ୍ତ୍ରୀ ରାୟଗଡା ଆସିବେ। ଏଠାରେ ପୂର୍ବାହ୍ନ ୧୧.୩୦ ରେ ରାୟଗଡା ଜିଲ୍ଲା ଆଇଏସିଆର ଗ୍ରାଉଣ୍ଡ, ବାରିଝୋଲାସ୍ଥ ଅସ୍ଥାୟୀ  ହେଲିପ୍ୟାଡରେ ଅବତରଣ କରି ସିଧା ୧୧.୪୦ ପୂର୍ବାହ୍ନରେ ଗାୟତ୍ରୀ  ଯଜ୍ଞସ୍ଥଳକୁ ଯିବେ ଓ ସେଠାରେ ସସ୍ତ୍ରିକ ପୂର୍ଣ୍ଣାହୁତିରେ ଯୋଗଦେଇ ୧୨.୨୦ରେ ସୁଭଦ୍ରା ଶକ୍ତି ମେଳା-୨୦୨୬ର ଉଦଘାଟନ କରିବେ। ସୁଭଦ୍ରା ଶକ୍ତି ମେଳା ମଞ୍ଚରେ ସୁଭଦ୍ରା ଶକ୍ତି ମେଳା ୨୦୨୬ରେ ଯୋଗଦାନ ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସହ ଜନ ସମାବେଶକୁ ଉଦବୋଧନ ଦେବେ। ସ୍ଥାନୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ୩.୦୫ ଅପରାହ୍ନରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଓଡିଶାକୁ ମହାମହିମ ରାଷ୍ଟ୍ରପତି ଆସୁଛନ୍ତି। ସେହିକ୍ରମରେ ସନ୍ଧ୍ୟା ୬.୨୦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ  ବିମାନବନ୍ଦର ରେ ରହି ସ୍ୱାଗତ ଜଣାଇବାର କାର୍ଯ୍ୟକ୍ରମ ରହିଛି।

ତେବେ ଆସନ୍ତାକାଲି ସୁଭଦ୍ରା ଶକ୍ତି ମେଳାରେ ଜିଲ୍ଲାର ସୁଭଦ୍ରାମାନେ ବିପୁଳ ସଂଖ୍ୟାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏଥିରେ 120ଟି ଷ୍ଟଲ ରେ ମହିଳାମାନେ ନିଜର ସାମଗ୍ରୀ ବିକ୍ରି କରିବାର ବ୍ୟବସ୍ଥା ହୋଇଛି।ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ  ରାୟଗଡା ଜିଲ୍ଲାବାସୀଙ୍କ ଅନେକ ଅପେକ୍ଷା ରହିଛି। ବିଶେଷକରି ରାୟଗଡା ରେ ମେଡିକାଲ କଲେଜ, ଭୁବନେଶ୍ୱର କୁ ଦିନବେଳା ଟ୍ରେନ,  ଓୟୁଇଟିର ଶାଖା ସ୍ଥାପନ, ବିଏଡ଼ କଲେଜ, ନାଗାବଳୀ ଓ ବଂଶାଧାରାର ଉପମୁଣ୍ଡରେ ଆନିକଟ ସ୍ଥାପନ, ରାୟଗଡାରେ ବିମାନଘାଟି ସ୍ଥାପନ ଭଳି ବହୁ ଦାବୀ ରହିଛି। ଏହି ସବୁ ମଧ୍ୟରୁ କିଛି ପ୍ରକଳ୍ପ ଲୋକଙ୍କୁ ଭେଟି ଦେଇପାରନ୍ତି ବୋଲି ଲୋକେ ଆଶା ବାନ୍ଧିଛନ୍ତି। ରାୟଗଡା ରେଳ ଡିଭିଜନ ଘୋଷଣା ପରେ ଏଠାରୁ ନୂଆ ଟ୍ରେନ ପ୍ରଚଳନ କରିବା ନେଇ ମଧ୍ୟ ଲୋକେ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

Spread the love