ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )
ଶହେ ବର୍ଷରେ ପଦାର୍ପଣ କରିବେ ଅବସରପ୍ରାପ୍ତ ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡା. ଲକ୍ଷ୍ମୀ ବାଇ। ଶହେ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ଜୀବନବ୍ୟାପି ସଞ୍ଚିତ ପୁଞ୍ଜି ସ୍ୱାସ୍ଥ୍ୟ ସେବାର ବିକାଶରେ ବିନିଯୋଗ କରିବେ । ଶତବାର୍ଷିକୀ ପାଳନ ଅବସରରେ ସେ ଭୁବନେଶ୍ବର ଏମ୍ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଚଳିତ ବର୍ଷ ଅପ୍ରେଲ ମାସ 21 ତାରିଖରେ ଡାକ୍ତର ଲକ୍ଷ୍ମୀ ବାଇ ଏହି ଅର୍ଥ ରାଶିକୁ ଏମ୍ସ ବ୍ୟାଙ୍କ ଏକାଉଣ୍ଟକୁ ପ୍ରଦାନ କରିଛନ୍ତି। ଭାବା ନଗରରେ ରହୁଥିବା ଘରକୁ ବିକ୍ରି କରି ରୋଗୀଙ୍କ ଉଚ୍ଚତର ସେବା ଯୋଗାଇବା ଆଶାରେ ଏହି ଅର୍ଥକୁ ଦାନ କରିଥିବା ଡାକ୍ତର ଲକ୍ଷ୍ମୀବାଇ କହିଛନ୍ତି। ଏହି ଅର୍ଥ ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଦାନ କରିଥିବା ସେ କହିଛନ୍ତି. ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍ପିଗଲର ପ୍ରଥମ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରୀ । ଏମ୍କେସିଳି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି। ଆସନ୍ତା ୫ ତାରିଖରେ ସେ 100 ବର୍ଷରେ ପଦାର୍ପଣ କରିବେ। ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ବାସ୍ଥ୍ୟସେବାରେ ଦାନ କରି ସେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି. ଟଙ୍କା ପଇସା ପଛରେ ନ ଦୌଡ଼ି ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଡାକ୍ତର ଲକ୍ଷ୍ମୀବାଇ ଅବସର ପରେ
ସ୍ୱାମୀ ଚିନ୍ମାୟା ନନ୍ଦ ମିଶନର ସଦସ୍ୟ ଭାବେ ଦୀକ୍ଷା ଗ୍ରହଣ କରିଛନ୍ତି।

ଡାକ୍ତର ଲକ୍ଷ୍ମୀବାଇଙ୍କ ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ଡା. ଭାରତୀ ମିଶ୍ର ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁଙ୍କ ବଦାନ୍ୟତା ଦେଖି ଅଞ୍ଚଳବାସୀ, ଛାତ୍ରୀ ଖୁସି ହେବା ସହ ତାଙ୍କ ଆଦର୍ଶ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି । ୧୯୨୬ ଡିସେମ୍ବର ୫ ତାରିଖରେ ଡା. ଲକ୍ଷ୍ମୀବାଇଙ୍କ ଜନ୍ମ। ୧୯୪୫ରୁ ୧୯୫୦ ମଧ୍ୟରେ ସେ ଏସ୍ସିବି ମେଡିକାଲ କଲେଜରେ ଏମ୍ବିବିଏସ୍ ପଢ଼ିବା ପରେ ୧୯୫୮ରେ ମାଡ୍ରାସ୍ ମେଡିକାଲ କଲେଜ ଡିଜିଓ ଆଣ୍ଡ୍ ଏମ୍ଡି ଇନ୍ ‘ଓ ଏସ୍ ଜି’ ପଢ଼ିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଗଲରୁ ଚାକରି ଜୀବନ ଆରମ୍ଭକରି ୧୯୮୬ରେ ଏମ୍କେସିଜିରୁ ଅବସର ନେଇଥିଲେ। ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆଓ୍ବାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ ବିଭିନ୍ନ ପୁରସ୍କାର ପାଇଛନ୍ତି।

