ରାୟଗଡ଼ା (ପ୍ରତିଫଳନ ମିଡ଼ିଆ )
ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପକ୍ଷରୁ ସ୍ଥାନୀୟ ଦଶହରା ପଡ଼ିଆ ଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଡମ୍ବରରେ ଆୟୋଜିତ ହୋଇଛି । ଦୀର୍ଘ ପାଞ୍ଚଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜାରେ ମାଁ ଦୂର୍ଗାଙ୍କ ଆରାଧନାରେ ଅଞ୍ଚଳର ଦଶଦିଗ ମୁଖରିତ ହୋଇଛି । ଗତ ୨୭ ରିଖରେ ମାଁଙ୍କ ମଣ୍ଡପରେ ମହାଷଷ୍ଠୀ ଦିନଠୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡିଛି। ମାଁଙ୍କ ମୃଣମୟୀ ମୂର୍ତ୍ତି ଆକର୍ଷଣୀୟ ହୋଇଥିବାବେଳେ ରଙ୍ଗୀନ ଆଲୋକମାଳା ଓ ସୁସଜ୍ଜିତ ତୋରଣ ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିଛି ।

ଗୁରୁବାର ଦିନ ଦଶହରା ଓ ରାବଣପୋଡ଼ି ପାଳିତ ହେବ। ଉତ୍କଳ ଆଲୁମିନା ଆନୁକୁଲ୍ୟରେ ଏହି ଶାରଦୀୟ ପୂଜା ଆୟୋଜିତ ହୋଇଥିବାବେଳେ ସ୍ଥାନୀୟ ଜନ ସାଧାରଣମାନେ ଏହାକୁ ଅକୁଣ୍ଠ ସହଯୋଗ କରିଛନ୍ତି। ମାଁଙ୍କୁ ଦର୍ଶନ କରିବାକୁ ଆସୁଥିବା ସ୍ଥାନୀୟ ଗ୍ରାମାଞ୍ଚଳ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ ବିଷୟବସ୍ତୁ ଆଧାରିତ ନାଟକ ମଞ୍ଚସ୍ଥ ହେଉଛି। ମଞ୍ଚରେ ସ୍ଥାନୀୟ ଗ୍ରାମାଞ୍ଚଳ କଳାକାର ନିଜର କଳା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରଦ୍ଧାଳୁଙ୍କ ମନୋରଞ୍ଜନକୁ ଗୁରୁତ୍ବ ଦେଇ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଅର୍କେଷ୍ଟ୍ରାର ଦଳ ତରଫରୁ ଦୈନିକ ସନ୍ଧ୍ୟାରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏଥିସହିତ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚମାନେ ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ରୀତି ଅନୁଯାୟୀ ଦୀପ ପ୍ରଜ୍ବଳନ କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିବାବେଳେ ନାରାୟଣ ମୀତ୍ରା, କିରଣ ନାୟକ, ପିତାମ୍ବର ବେହେରା, ଭୋଜରାଜ୍ ଦାଶ ଓ ବେଲକର ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ତେବେ ସନ୍ଧ୍ୟାରେ ମାଁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଜମୁଥିବାରୁ ସ୍ଥାନୀୟ ଦୋରାଗୁଡା ପୁଲିସ ଓ ଉତ୍କଳ ଆଲୁମିନା ସୁରକ୍ଷା ବିଭାଗ ପକ୍ଷରୁ ସୁରକ୍ଷା ବୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହିତ ଦଶହରା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ଆମ୍ବୁଲାନ୍ସ ଓ ୨୪ଘଣ୍ଟିଆ ସିସିଟିଭି ନିୟନ୍ତ୍ରଣ କକ୍ଷ କରାଯାଇଛି। ଦଶହରା ପଡ଼ିଆରେ ବିଭିନ୍ନ ପ୍ରକାରର ଆବଶ୍ୟକ ଘରକରଣା ସାମଗ୍ରୀ, ଖାଦ୍ୟପେୟ ଷ୍ଟଲ୍ ବିଶେଷ ଭାବେ ପିଲାମାନଙ୍କ ଖେଳନା ସାମଗ୍ରୀ ଷ୍ଟଲ୍ ଖୋଲାଯାଇଥିବା ବେଳେ ଏଠାରେ ସନ୍ଧ୍ୟା ହେଲେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

