ପ୍ରତିଫଳନ ମିଡ଼ିଆ
ଭାରତୀୟ ରେଳ ବିଭାଗର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ପୂର୍ବତଟ ରେଳ ବିଭାଗ (ECoR)। ଚଳିତ ଆର୍ଥିକ ବର୍ଷରେ ବର୍ଷ ନପୂରୁଣୁ କେବଳ 324 ଦିନ ମଧ୍ୟରେ 250 ମିଲିୟନ ଟନ୍ (MT) ମୂଳ ମାଲ ଲୋଡିଂ ସଫଳତାର ସହିତ ସମ୍ପାଦନ କରି ଦେଶର ପ୍ରଥମ ରେଳ ଜୋନ୍ ଭାବେ ଏହି ମାଇଲସ୍ଟୋନ୍ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛି।
ଗତ ଆର୍ଥିକ ବର୍ଷ (2024–25) ତୁଳନାରେ 31 ଦିନ ପୂର୍ବରୁ ଏହି ଲକ୍ଷ୍ୟ ପୂରଣ କରାଯାଇଥିବା ସହ 10.6 ପ୍ରତିଶତର ଦୃଢ଼ ବୃଦ୍ଧି ରେକର୍ଡ ହୋଇଛି। ଏହା ରେଳ ପରିଚାଳନାର କାର୍ଯ୍ୟକୁଶଳତା ଓ ପ୍ରଶାସନିକ ଦକ୍ଷତାର ସ୍ପଷ୍ଟ ପ୍ରମାଣ ଦେଇଛି ।
ଏହି ସଫଳତାର ପଛରେ ରେଳ ଅଧିକାରୀ ଓ କର୍ମଚାରୀମାନଙ୍କର ନିଷ୍ଠା, ଉନ୍ନତ ପରିଚାଳନା ପ୍ରଣାଳୀ, ଶିଳ୍ପ ସଂସ୍ଥାମାନଙ୍କ ସହ ସୁଦୃଢ଼ ସମନ୍ୱୟ ଏବଂ ଅପ୍ଟିମାଇଜ୍ ମାଲ ବ୍ୟବସ୍ଥାପନ ମୁଖ୍ୟ ଭୂମିକା ନେଇଛି। କୋଇଲା, ଲୁହା ପଥର , ଇସ୍ପାତ, ସିମେଣ୍ଟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଣ୍ୟ ପରିବହନ ବୋଝେଇ କରିବାରେ ବୃହତ୍ ଅବଦାନ ରଖିଛି।
ଏହି ଉପଲବ୍ଧି East Coast Railway କୁ ଭାରତୀୟ ରେଳବାହିନୀର ଅଗ୍ରଣୀ ମାଲ ଲୋଡିଂ ଜୋନ୍ ଭାବେ ଅଧିକ ସୁଦୃଢ଼ କରିବା ସହ ଆଞ୍ଚଳିକ ଶିଳ୍ପ ବିକାଶ ଓ ଦେଶର ଆର୍ଥିକ ପ୍ରଗତିରେ ତାହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନ ପ୍ରତିପାଦିତ କରିଛି।
ଆଗାମୀ ଦିନରେ ମଧ୍ୟ ଢାଞ୍ଚାଗତ ସୁବିଧା, ରେଳ ଭିତ୍ତି ଭୂମି ବିକାଶ, ଗ୍ରାହକ ସେବାର ସୁଧାର ଓ ମାଲ ପରିଚାଳନାରେ ନିରନ୍ତର ବୃଦ୍ଧି ଧାରା ଜାରି ରଖି ଏଭଳି ଐତିହାସିକ ସଫଳତା ଅବ୍ୟାହତ ରଖିବାକୁ ଉଦ୍ୟମ ଜାରି ରଖିବ ବୋଲି ରେଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

