ରାୟଗଡା (ପ୍ରତିଫଳନ ମିଡ଼ିଆ )
ରାୟଗଡା କାର୍ଲାକଣା ପଞ୍ଚାୟତ ଅଙ୍ଗୁର ଗ୍ରାମର ଏଙ୍କେଟି ପେଦେଣ୍ଟି ହେବେ ଡାକ୍ତର। ବ୍ରହ୍ମପୁର ଏମକେସିଜିରେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଛାତ୍ର ଅବସ୍ଥାରୁ ବାପା ଓ ମାଆଙ୍କୁ ହରାଇଥିବା ଏଙ୍କେଟି ବହୁ କଷ୍ଟରେ ପାଠ ପଢିଛନ୍ତି। ଏଦିଗରେ ସହାୟତାର ହାତ ବଢ଼େଇଥିଲେ ତାଙ୍କ ବଡ଼ ବାପା। ସ୍ଥାନୀୟ ଅଙ୍ଗୁର ପ୍ରାଥମିକ ବିଦ୍ୟାଳୟରେ ପାଶ ହେବା ପରେ ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ପେନିକୋଣା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏଁ ପଢିଥିଲେ। ସେଠାରେ ସେ ଦଶମରେ 85.83ପ୍ରତିଶତ ନମ୍ବର ରଖି ମାଟ୍ରିକ ପାଶ କରିଥିଲେ। ସେଠାରୁ ସେ ବିଜେବି କଲେଜରେ ବିଜ୍ଞାନ ବିଭାଗରେ ଭର୍ତ୍ତି ହୋଇଥିଲେ। ଯୁକ୍ତ ଦୁଇ ବିଜ୍ଞାନରେ 73.5ପ୍ରତିଶତ ନମ୍ବର ରଖି ପାଶ ହୋଇଥିଲେ। ବ୍ରହ୍ମପୁରର ଏକ ଘରୋଇ କୋଚିଂ ସେଣ୍ଟର ତାଙ୍କୁ ମାଗଣାରେ ନିଟ ପାଇଁ କୋଚିଂ ଦେଇଥିଲା। ଆଉ ଏବେ ସେ ନିଟରେ ସଫଳତା ପାଇ ଡାକ୍ତର ହେବେ। ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ଏଙ୍କେଟି। ତାଙ୍କ ସଫଳତାରେ କେବଳ ପରିବାର ନୁହେଁ ଗାଁ ଲୋକେ ବି ବେଶ ଖୁସି ପ୍ରକଟ କରିଛନ୍ତି। ଆବାସିକ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ସଫଳତା ହଷ୍ଟେଲ ସ୍କୁଲରେ ପଢ଼ୁଥିବା ପିଲାଙ୍କ ମଧ୍ୟରେ ନୂଆ ସ୍ବପ୍ନ ବୁଣୁଛି। ସେମାନେ ବି ଆଗକୁ ଏଭଳି ସଫଳତା ପାଇବାକୁ ଆଗ୍ରହ ପ୍ରକଟ କରୁଛନ୍ତି। ନିକଟରେ ଅଣ୍ଟାମୋଡା ଆଶ୍ରମ ବିଦ୍ୟାଳୟର ଛାତ୍ର ଜଳେଶ୍ୱର ପୁଲାକା ରାଉରକେଲା ଏନ ଆଇ ଟି ରେ ପଢିବାକୁ ଯୋଗ୍ୟ ହୋଇଥିବା ବେଳେ ଏବେ ପୁଣି ପେନିକୋଣା ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ର ଙ୍କ ନିଟ ପରୀକ୍ଷାରେ ସଫଳତା ନୂଆ ପରମ୍ପରା ସୃଷ୍ଟି କରିଛି।

