କୋରାପୁଟ ପୌର ପରିଷଦର  ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେଲେ ଜ୍ଞାନଜିତ ତ୍ରିପାଠୀ  

କୋରାପୁଟ (ପ୍ରତିଫଳନ ମିଡ଼ିଆ)

ପୁରାତନ ସହର କୋରାପୁଟକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ପ୍ରାଥମିକତା ଦିଆଯିବ। ସହର ମଧ୍ୟରେ ବେଆଇନ ଭାବେ କରିଥିବା ଜବରଦଖଲକୁ ଉଚ୍ଛେଦ କରାଯିବ । ପରିମଳ ବ୍ୟବସ୍ଥାର ସୁଧାର ଆଣିବା ସକାଶେ କଡାକଡ଼ି ପଦକ୍ଷେପ ଗ୍ରହଣ କରାଯିବ । ସରକାରଙ୍କ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇ ସମୟ ଅବଧି ମଧ୍ୟରେ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ରହିବ ବୋଲି ନୂତନ ଭାବେ ଯୋଗଦାନ କରିଥିବା କୋରାପୁଟ ପୌର ପରିଷଦର ନିର୍ବାହୀ ଅଧିକାରୀ  ଜ୍ଞାନଜିତ ତ୍ରିପାଠୀ କହିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ପୌର ପରିଷଦର କର୍ମଚାରୀ ମାନଙ୍କୁ ଏଭଳି  ସେ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଆସୁଛି ବର୍ଷା ଋତୁ । ମୌସୁମୀ ଆସିବା ପୂର୍ବରୁ କୋରାପୁଟ ରେ ବର୍ଷା ଦିନିଆ ସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ ପୌର ସଂସ୍ଥା ଅଞ୍ଚଳର ସମସ୍ତ ଡ୍ରେନ ଓ ରାସ୍ତା ଗୁଡ଼ିକୁ ସଫା ସୁତୁରା ରଖିବାକୁ କର୍ମଚାରୀ ମାନଂକୁ ନିର୍ଦ୍ଦେଶ ଦେଇଛନ୍ତି । ଅସମ୍ପୂର୍ଣ୍ଣ କାମ ଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ପୌର ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।ସହରର ସୋନ୍ଦର୍ଯ୍ୟ ଓ ବିକାଶ ପାଇଁ ଲୋକଙ୍କ ମତ ନିଆଯିବ ବୋଲି କହିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ପୌର ପରିଷଦର ବିକାଶ ନେଇ ଅଧ୍ୟକ୍ଷ ,ଉପାଧ୍ୟକ୍ଷ, କାଉନସିଲରମାନଙ୍କ ସହ ଆଲୋଚନା କରିଛନ୍ତି ନୂତନ  ପୌର ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ । ଦାୟିତ୍ବ ଗ୍ରହଣ କରିବା ପରେ ପୌର ପରିଷଦର ନିର୍ବାଚିତ ପ୍ରତିନିଧିମାନେ ସ୍ବାଗତ ଜଣାଇଛନ୍ତି ।କୋରାପୁଟ ପୌରାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର୍ ରଖିବାକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କାଉନସିଲର ମାନେ କହିଛନ୍ତି ।

ଜ୍ଞାନଜିତ ତ୍ରିପାଠୀ ପୂର୍ବରୁ କୋରାପୁଟ ଜରୁରୀକାଳୀନ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଏବେ ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ କୋରାପୁଟ ସହରର ସର୍ବାଙ୍ଗୀନ ବିକାଶ ହେବ ବୋଲି ସମସ୍ତେ ଆଶାବାଦୀ ହୋଇପଡିଛନ୍ତି।

Spread the love