ପ୍ରତିଫଳନ ମିଡ଼ିଆ
ଅଂଚଳର ସ୍ୱାର୍ଥକୁ ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା ପ୍ରତି ଦୃଷ୍ଟି ନଦେଇ ଖଣି ଖନନ କରାଗଲେ କାଶୀପୁର ମରୁଭୂମି ପାଲଯିବ, ପରିବେଶ ସନ୍ତୁଳନ ବିଗିଡ଼ିଯିବ, ଜଳ ସ୍ତର କମିଯିବ, ଝରଣା ଗୁଡିକ ମରିଯିବ, ଲୋକଙ୍କ ଜୀବନ ଜୀବିକା ଉଜୁଡିଯିବ ବୋଲି – ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି। ଜମି,ଜଳ, ଜଙ୍ଗଲ, ଅଧିକାର ମା ମାଟିର ସୁରକ୍ଷା ପାଇଁ ଆଦିବାସୀ ମାନେ ସଂଗଠିତ ହୋଇ ଲଢେଇକରିବାର ଆବଶ୍ୟକତା ରହିଛି। ପରିବେଶର ସୁରକ୍ଷା ପାଇଁ ବୁଦ୍ଧିଜୀବୀ ଓ ଶିକ୍ଷିତ ବର୍ଗ ସଚେତନ ହୋଇ ସମାଜର ମଙ୍ଗଳ ପାଇଁ କାମ କରିବାକୁ ପରିବେଶବିତ୍ତ ପ୍ରଫୁଲ୍ଲ ସାମନ୍ତରା ନିବେଦନ କରିଛନ୍ତି।



କମ୍ପାନୀଗୁଡିକର ସ୍ୱାର୍ଥ ପାଇଁ ଖଣି ଗୁଡ଼ିକରୁ ବକ୍ସାଇଟ ଖନନ କରାଜିବ ତେବେ ରାୟଗଡା ଜିଲ୍ଲାରେ ଗଛିତ ଥିବା ପ୍ରାକୃତିକ ସମ୍ପଦ ସରିଯିବ।କାଶୀପୁର ଅଂଚଳର ଲୋକଙ୍କ ଭବିଷ୍ୟତ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡିବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଏଣୁ ଖଣି ଖନନ ନକରି ଲୋକଙ୍କ ଜୀବିକାର ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।
ରାୟଗଡାରେ ପ୍ରବେଶ କରିଛି ଲୋକ ଅଧିକାର ଯାତ୍ରା। ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମପୀଠରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ଗତ ଫେବୃଆରୀ ୨୫ ତାରିଖରୁ ବାହାରିଥିବା ଲୋକ ଅଧିକାର ଯାତ୍ରା ନବମ ଦିନରେ ଏଗାରଟି ଜିଲ୍ଲାର ଜନ ଆନ୍ଦୋଳନ କ୍ଷେତ୍ରକୁ ପରିଦର୍ଶନ କରି ରାୟଗଡ଼ା ଜିଲ୍ଲାର କାଶୀପୁର ଅଂଚଳରେ ପ୍ରବେଶ କରିଛି।
ନିୟମଗିରି ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦଙ୍କ ସଂଯୋଜନାରେ କଣ୍ଟାମାଳ ଗ୍ରାମରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଆୟୋଜିତ ସଭାରେ ଗ୍ରୀନ ନୋବେଲ ବିଜେତା ତଥା ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା କହିଲେ ଯେ, କର୍ଲାପାଟ ଠାରୁ ଆରମ୍ଭ କରି ସିଜିମାଳି,କୁଟ୍ରୁମାଳି, ଶାଶୁବୋହୁ ମାଳିକୁ ବିଭିନ୍ନ କମ୍ପାନୀ ମାନଙ୍କ ହାତକୁ ଟେକିଦେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାହେଲେ କାଶୀପୁର ମରୁଭୂମିରେ ପରିଣତ ହୋଇଯିବ। ଜଳ ଶଙ୍କଟ ସୃଷ୍ଟି ହେବ। ଲୋକଙ୍କୁ ପିଇବା ପାଇଁ ଝରଣାର ପାଣିବି ମିଳିବ ନାହିଁ ବୋଲି ଆଶଙ୍କା ପ୍ରକଟ କରିଛନ୍ତି।
ଲୋକ ଅଧିକାର ଯାତ୍ରା ବିଭିନ୍ନ ଗାଆଁ ଦେଇ ଯାଉଥିବା ସମୟରେ ଯାତ୍ରାରେ ସାମିଲ ହେବାକୁ ଅସୁଥୁବାଲୋକଙ୍କୁ ଗାଁ ଗାଁରେ ପୋଲିସ ପକ୍ଷରୁ ଅଟକାଇ ରଖାଯାଉଛି। ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ବୟର ଓଡ଼ିଶା ଆବାହକ ନରେନ୍ଦ୍ର ମହାନ୍ତି କହିଛନ୍ତି। ଲୋକେ ଗାଁ ଗାଁ ରେ ସଂଗଠିତ ହୋଇ ଅହିଂସା ମାର୍ଗରେ କମ୍ପାନିରାଜ ବିରୋଧରେ ଲଢେ଼ଇ ଜାରି ରଖନ୍ତୁ। ଏହି ଯାତ୍ରା ପୁଲିଂ ପଦର, ବନ୍ତୋଜୀ, ବଣ୍ଡେଲ, କଣ୍ଟାମାଳ, ସାରାମ୍ବାଇ, ତଲଆମ ପଦର, ତଳ ମାଣ୍ଡିଝୋଲା ହୋଇ ମାଇକଞ୍ଚ ଶହୀଦ ପୀଠ ପରିଦର୍ଶନ କରି ଶଙ୍କରା ଓ ପିପଲପଦର ଠାରେ ବସୁନ୍ଧରା ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ସାମିଲ ହୋଇଥିଲେ। ଗାନ୍ଧୀବାଦୀ ନେତା ଡାକ୍ତର ବିଶ୍ୱଜିତ୍ ଏହି ଅବସରରେ କହିଥିଲେ ଯେ, ଏହି ଅଞ୍ଚଳରେ ରହିଥିବା ପାହାଡ଼ ଗୁଡ଼ିକ ଶହ ଶହ ନଦୀ ଓ ଝରଣାର ଜନନୀ। ଏଠାରେ ଖଣି ଉତ୍ତୋଳନ କରିବା ଅର୍ଥ ଏହି ନଦୀ ଓ ଝରଣାଗୁଡ଼ିକୁ ମାରିଦେବା।
ଏହି ଅବସରରେ କମ୍ପାନୀର ଆସିବାକୁ ସୁଗମ କରିବା ନିମନ୍ତେ ବିଭିନ୍ନ ମିଥ୍ୟା କେସରେ ଗିରଫ ହୋଇ ଜେଲ ଭୋଗିଥିବା ନାରଙ୍ଗୀ ଦେଇ ମାଝୀ, ହୀରାମଲ ନାୟକ, ସୁନ୍ଦର ସିଂ ମାଝୀ,ମିଥୁନ ନାୟକ, କୁମେଶ୍ୱର ନାୟକ, ଉମାକାନ୍ତ ନାୟକ ଓ ଲକ୍ଷ୍ମଣ ନାୟକଙ୍କୁ ଯାତ୍ରା ପକ୍ଷରୁ ଶ୍ରୀ ସାମନ୍ତରା ସମ୍ବର୍ଦ୍ଧିତ କରିଥିଲେ।ବିଭିନ୍ନ ଗ୍ରାମ ମାନଙ୍କରେ ସ୍ଥାନୀୟ ଲୋକେ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଶପଥ କରିଥିଲେ।
ଏହି ଯାତ୍ରାରେ ବିଶିଷ୍ଟ ସମାଜବାଦୀ କଲ୍ୟାଣ ଆନନ୍ଦ, ଚାଷୀ ନେତା ସୁଶିଲ କୁମାର ସାହୁ, ଗାନ୍ଧୀବାଦୀ ବିଜୟ ସିଙ୍କୁ, ସମଦୃଷ୍ଟି ମିଡ଼ିଆ ପ୍ରତିନିଧି ସୁକାନ୍ତ ପ୍ରଧାନ, ଯୁବ ନେତା ଲକ୍ଷ୍ମଣ ନାୟକ, ଜୟ କିଶାନ ଆନ୍ଦୋଳନର ନେତା କିଶୋର ସାହୁ, ସୁରେନ୍ଦ୍ର ଭୂୟେ, ବିରଞ୍ଚି ମହାକୁଡ, ସୁରେଶ ସଂଗ୍ରାମ ସାମିଲ ହୋଇଛନ୍ତି। ଯାତ୍ରା ଆଗାମୀ ୨୩ ମାର୍ଚ୍ଚରେ କଟକଠାରେ ସମାପ୍ତ ହେବ ଓ ସମସ୍ତ ଜନ ଆନ୍ଦୋଳନ ମାନଙ୍କୁ ନେଇ ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ଭୁବନେଶ୍ୱରଠାରେ ଗଣ ସମାବେଶ ଆୟୋଜିତ ହେବ ବୋଲି ଶ୍ରୀ ସାମନ୍ତରା ସୂଚନା ଦେଇଛନ୍ତି ।

