ପୋଲିସ ହାତରେ ଆନ୍ତଃ ରାଜ୍ୟ ଡକାୟତ ଗ୍ୟାଙ୍ଗ, ଅଳଙ୍କାର, ବିଦେଶୀ ମୁଦ୍ରା ଓ ମୋବାଇଲ ଜବତ, ପାଞ୍ଚ ଗିରଫ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ଡକାୟତ ଗ୍ୟାଙ୍ଗ। ରାୟଗଡା ସହରରେ କରୁଥିଲେ ସିରିଜ ଚୋରି। ପୋଲିସ ହୋଇ ପଡିଥିଲା ନାକେଦମ। ବାହାର ରାଜ୍ୟର ପାଞ୍ଚ ଆସାମୀ କରୁଥିଲେ କାରନାମା। ପାଞ୍ଚ ଜଣିଆ ଆନ୍ତରାଜ୍ଯ ଡକାୟତି ଦଳକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ଟାଉନ୍ ଥାନା ପୁଲିସ। ସେମାନେ ହେଲେ ପଶ୍ଚିମବଙ୍ଗ ସିହାପୁକୁନ୍ ଅଞ୍ଚଳର ଆସରଫୁଲ୍ ଶେଖ୍,ମଧ୍ଯପ୍ରଦେଶ ବଡ ମଦର ଗ୍ରାମର ମହମ୍ମଦ ରୋନି ଶେଖ୍, ଛତିଶଗଡ଼ ରାଜ୍ଯର ମହମ୍ମଦ ଆଲାମିନ, ଶେଖ୍ ବାବୁ ଓ ସମୀର ଶେଖ୍। ସେମାନଙ୍କ ଠାରୁ ପୁଲିସ ନଗଦ29,700, ମୋବାଇଲ, ରୂପା ଅଳଙ୍କାର, 22ଟି ବିଦେଶୀ ମୁଦ୍ରା ସମେତ ଚୋରିରେ ବ୍ଯବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ପୁଲିସ ଜବତ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଟାଉନ୍ ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି।

ଏହି ଗ୍ଯାଙ୍ଗର ମାଷ୍ଟର ମାଇଣ୍ଡ୍ ଅସରଫୁଲ ଶେଖ୍ ସମେତ ଅନ୍ଯ ଅଭିଯୁକ୍ତ କିଛି ମାସ ପୂର୍ବରୁ ପଶ୍ଚିମବଙ୍ଗ ରେ ଭେଟଘାଟ୍ ହେବା ପରେ ଓଡିଶାକୁ ଟାର୍ଗେଟ କରିଥିଲେ। ପ୍ରଥମେ ଏହି ଲୁଟେରା ଦଳ ଜରି ଓ ପ୍ଲାଷ୍ଟିକ ବୋତଲ ଗୋଟାଳି ହିସାବରେ କାମ କରିବା ପରେ ସହରର ବିଭିନ୍ନ ଅଞ୍ଚଳ ବୁଲି ତାଲା ପଡୁଥିବା ଘରକୁ ଟାର୍ଗେଟ କରୁଥିଲେ। ତେବେ କିଛି ଦିନ ପୂର୍ବେ ରାୟଗଡା ସହରରେ ସିରିଜ୍ ଚୋରି ହୋଇଥିବା ବେଳେ ରାଣୀଗୁଡା ଫାର୍ମ ଅଞ୍ଚଳର ଗୈରୀଶଙ୍କର ପ୍ରସାଦ ପାତ୍ର,ନ୍ଯୁକଲୋନୀ ଅଞ୍ଚଳର ରମେଶ କୁମାର ଓ ଗୈତମନଗର ଅଞ୍ଚଳର ସୂଧୀର କୁମାର ପାତ୍ରଙ୍କ ଘରେ ଡକାୟତି କରି ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଲୁଟ୍ କରିଥିଲେ।

ତେବେ ସହରରେ ସିରିଜ୍ ଚୋରି ହେବା ପରେ ଟାଉନ୍ ଥାନା ଅଧିକାରୀ କେକେବିକେ କଁଆରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ସିସିଟିଭି ଫୁଟେଜ୍ କୁ ଆଧାର କରି ତଦନ୍ତକାରୀ ଟିମ୍ ଲଗାତର କିଛି ଦିନ ଲୁଟେରା ମାନଙ୍କ ଉପରେ ନଜର ରଖିବା ସହ ଆଜି ସେମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଗତ 30 ତାରିଖ ଦିନ ସହରର ଯୁବ ବ୍ଯବସାୟୀ ସୁବ୍ରତ ପତିଙ୍କ ଘରୁ ଲୁଟ୍ କରିଥିବା ଲୁଟେରା ମାନଙ୍କୁ ପୁଲିସ ଏଯାଏଁ ଧରିବାରେ ସଫଳ ହୋଇନାହିଁ।

Spread the love