ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ)
ସୌମ୍ୟଶ୍ରୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଅକାଳରେ ଜଣେ ଝିଅର ପ୍ରାଣ ଗଲା। ଏହା ସମସ୍ତଙ୍କୁ ବିଚଳିତ କରୁଛି। ବ୍ୟବସ୍ଥାର ବିଫଳତା ଯୋଗୁଁ ଏଭଳି ଘଟଣା ଘଟିଛି ସତ। ସରକାର କିନ୍ତୁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି।ହେଲେ ଵଞ୍ଚାଇ ପାରିଲେ ନାହିଁ ସୌମ୍ୟଶ୍ରୀକୁ । ଏହାକୁ ନେଇ ଏବେ ରାଜନୀତି କାହିଁକି। ବିଜେଡି ଯେଉଁଭଳି ରାଜନୀତି କରୁଛି ବୋଧେ ସେ ନିଜ ପିଠି ଦେଖିବା ଭୁଲିଯାଇଛି। ଅବଶ୍ୟ ନିଜ ପିଠି ଦେଖି ହୁଏନି ବୋଲି ବିଜେଡିର ଏଇ ଦୁରାବସ୍ଥା ହୋଇଛି ବୋଲି ଓଡ଼ିଶାବାସୀ କହୁଛନ୍ତି। ବାସ୍ତବରେ ବିଜେଡିର କୃତ କର୍ମର ଫଳ ଏବେ ଭୋଗୁଛି ଓଡିଶା ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନବୀନ ପଟ୍ଟନାୟକଙ୍କୁ ଏଇ ଘଟଣା ବିଚଳିତ କରୁଛି ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି। କିନ୍ତୁ ନବୀନ ସରକାର ଅମଳରେ ହୋଇଥିବା ଇତିଶ୍ରୀ, ବେବିନା, କୁନ୍ଦୁଲି, ପରୀ ଦୁଃଖଦ ଘଟଣାରେ ସେ କେତେ ବିଚଳିତ ଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ବରଂ ନିଜର ଅପାରଗତାର ଦାଗ ସଫା କରିବା ପାଇଁ ନିଜ ଅଧିକାରଙ୍କ ଜରିଆରେ ପ୍ରମାଣର ଦାଗ ସଫା କରାଇ ଅବିଚଳିତ ରୂପେ ଚୁପ ବସି ରହୁଥିଲେ ନବୀନ। ଏଠି ସୌମ୍ୟଶ୍ରୀ ନ୍ୟାୟ ପାଇଁ ନିଜେ ନିଆଁ ଲଗେଇଲେ ଦେହରେ।ସେତେବେଳେ ନିଜ ନ୍ୟାୟ ପାଇଁ ଏକା ଏକା ଲଢୁଥିବା ଝିଅଟିକୁ ଶୋଇବା ଅବସ୍ଥାରେ ପୋଡି ମାରିଦେଲେ। କେବଳ ବିଜେଡିର ଲମ୍ବା ଲିଙ୍କର ତାଲା ଖୋଲିଯିବ ବୋଲି ଡରରେ ଏଭଳି ଘଟଣା କରାଯାଇଥିଲା ସେତେବେଳେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇଥିଲା। ରକ୍ଷକ ହିଁ ଭକ୍ଷକ ସାଜିଥିଲା ଇତିଶ୍ରୀ ଘଟଣାରେ। ସବୁ ପ୍ରମାଣକୁ ଚତୁରତାର ସହ ନଷ୍ଟ କରାଯାଇଥିଲା ବୋଲି ଅଭିଯୋଗ ହେଉଛି। ବିଜେଡି ନେତାଙ୍କ ଲିଙ୍କ କଥା ପଦାକୁ ଆସିଲେ ସରକାର ବଦନାମ ହୋଇଯିବାର ଭୟରେ ନବୀନ ସରକାର ଧୃତ୍ରରାଷ୍ଟ୍ର ସାଜିଥିଲେ। ଏବେ ଯୁଧିଷ୍ଟର ହେବାକୁ ଚେଷ୍ଟା କଲେ କିଛି ହେବନି ବୋଲି ବିଜେପି ଗୁରୁତ୍ୱାରୋପ କରିଛି।

ଇତିଶ୍ରୀ ମରିବା ପୂର୍ବରୁ ସ୍ଥାନୀୟ ଟିକିରି ଥାନା, ରାୟଗଡା ଜିଲ୍ଲାପାଳ, ରାୟଗଡା ଏସପି, ଡିଜି ପୋଲିସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣେ ରାଜ୍ୟର ମହିଳା ନିର୍ଯ୍ୟାତନା ଭୋଗିଲେ ଏହା ବ୍ୟତୀତ ସେ ଆଉ କାହା ପାଖକୁ ଯାଇଥିଲେ ନ୍ୟାୟ ପାଇଥାନ୍ତେ। ତାର ଆଉ କଣ ସୁନ୍ଦର ବ୍ୟବସ୍ଥା ବିଜେଡି ସରକାର ସେତେବେଳେ ରଖିଥିଲେ ଅନ୍ତତଃ ଏବେ ବିଜେଡି ଦଳ ସ୍ପଷ୍ଟ କରିବ କି ବୋଲି ବିଜେପି କହିଛି। ବିଜେଡି ସରକାରରୁ ଗଲା ପରେ ଏବେ ନିଜେ ମାନିବ କି ଆମର ଦାୟିତ୍ୱହୀନତା ଓ ଦୀର୍ଘ ନୀରବତା ଯୋଗୁଁ ସେଦିନ ଇତିଶ୍ରୀ ମଲା। ସେହି ସାହସ ଦେଖାଇଲେ ନବୀନ ପ୍ରକୃତ ଜନନେତା ବୋଲି ମାନିନେବେ ବୋଲି ଲୋକେ ଆଲୋଚନା କରୁଛନ୍ତି। ସେତେବେଳେ ବି ସରକାର ତଥା ତାଙ୍କ ଦଳର ତୁଙ୍ଗ ନେତାମାନେ ପ୍ରତି ଘଟଣାରେ ଗୋଟିଏ କଥା କହୁଥିଲେ : “ଦୁଖଃଦ ଘଟଣା ଘଟିଗଲା। ପିଡ଼ିତାଙ୍କ ପରିବାର ପ୍ରତି ଆମର ତଥା ନବୀନ ପଟ୍ଟନାୟକଙ୍କ ସହାନୁଭୂତି ଅଛି। ପରିବାରବର୍ଗଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।ତଦନ୍ତ ଚାଲିଛି। ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଵ। ଏ ସରକାର କାହାକୁ ଛାଡ଼ିନି କି ଛାଡିବନି। କିନ୍ତୁ ଏଭଳି ସମୟରେ ବିରୋଧୀ ଦଳ ରାଜନୀତି କରିବା ଉଚିତ ନୁହଁ। “
ହେଲେ ଏବେ ବିଜେଡି କରୁଛି କଣ? ସେ ପୁଣି ଏ ସମୟରେ ରାଜନୀତି କରୁଛି। ନିଜ ଛେପ ନିଜେ ଚାଟୁଚି କେମିତି? ମୃତ୍ୟୁକୁ ନେଇ ରାଜନୀତି ନ କରି ଓଡ଼ିଶାରେ ଘଟି ଆସୁଥିବା ଏମିତି ଘଟଣାଗୁଡିକ କିପରି ନହେବ ସେଥିପ୍ରତି ନିଜ ଶାସନର ଦୀର୍ଘ ଅଭିଜ୍ଞତାରୁ ଜ୍ଞାନ ଦେଉନି କାହିଁକି? ସେ କଥା ବି କରିପାରିବନି ବିଜେଡି। ନିଜ ଶାସନ ଅମଳରେ ବେଶୀ ନାରୀ ନିର୍ଯ୍ୟାତନା ଘଟିଛି ଓଡିଶା ରାଜ୍ୟରେ। ସେଥିରେ ଅଧିକାଂଶ ଘଟଣା ଭିଆଇଛନ୍ତି ବିଜେଡିର ନେତା ଓ ସମର୍ଥକ। ସେଥିପାଇଁ ନିଜ ସରକାରର ନିର୍ମଳ ଭାବମୂର୍ତ୍ତି ରଖିବା ପାଇଁ କୌଣସି ଘଟଣାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। ଏଭଳି ଏକ କଳଙ୍କିତ ଇତିହାସକୁ ଧରି ରଖିଥିବା ଦଳ ଏବେ ଏଭଳି ଏକ ଦୁଃଖଦ ସମୟରେ ରାଜନୀତିର ରୋଟି ସେକୁଛି।
ଏଭଳି ଘଟଣା ଘଟିବା ପଛରେ ଆଉ ଏକ କାରଣ ହେଲା “ନୂଆ ଓ” କାର୍ଯ୍ୟକ୍ରମ ବୋଲି ରାଜ୍ୟ ବ୍ୟାପୀ ଖୁଵ ଜୋରରେ ଆଲୋଚନା ହେଉଛି। ଅତୀତରେ ବିଜେଡି ସରକାର କଲେଜକୁ ଅଯଥା ପଇସା ଦେଇ କଲେଜରେ ଯେଭଳି ପିଲା ଓ ଶିକ୍ଷକ ଶିକ୍ଷିକାଙ୍କୁ ଗୋଟିଏ ମଞ୍ଚରେ ଆଧୁନିକ ଗୀତରେ ନଚେଇଲେ ତାର ପରିଣାମ ଭୋଗୁଛି ଏବେ ଓଡ଼ିଶାର ସବୁ ଶିକ୍ଷାର୍ଥୀ। କଲେଜ ସ୍ତରରେ ଗୋଟେ ଅଦ୍ଭୁତ ପରମ୍ପରାକୁ ସୃଷ୍ଟି କରି ଯାଇଛି ବିଜେଡି। ଶିକ୍ଷାର ବାତାବରଣ ଭୁଷୁଡି ପଡିଛି। ଫଳରେ ଗୁରୁ-ଶିଷ୍ୟ ଭିତରେ ଯେଉଁ ମହାର୍ଘ୍ୟ ପରମ୍ପରା ଥିଲା ତାହା କଳୁଷିତ ହୋଇଯାଇଛି। ଝିଅଙ୍କୁ ଦେଖିଲେ କଲେଜରେ ଥିବା ସମୀର ସାହୁ ଭଳି ବହୁ ବେହିଆ ଅଧ୍ୟାପକଙ୍କ କଣ୍ଡୁ ଜାଗରିତ ହେଉଛି। ଆଉ ଏଭଳି କୁପ୍ରବୃତ୍ତିରେ ବଶବର୍ତ୍ତୀ ହୋଇ ଅନେକ କୁତ୍ସିତ କାର୍ଯ୍ୟ ପାଇଁ ସାହସ ବଢ଼ି ଯାଇଛି। ଏଭଳି ଏକ ପରିସ୍ଥିତିରେ ରାଜ୍ୟର ସବୁ କଲେଜର ଅଧ୍ୟକ୍ଷ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏମିତି କଣ୍ଡୁ ଜାତୀୟ ଅଧ୍ୟାପକଙ୍କୁ ଚିହ୍ନଟ କରି ଉପଯୁକ୍ତ ଫୋରମ ରେ ଅଭିଯୋଗ କରିବାର ବେଳ ଆସିଛି। ଫେବରାଇଟ ଚାହୁଁଥିବା ଅଧ୍ୟାପକଙ୍କୁ ମୂଳରୁ ଉପଯୁକ୍ତ ଶାସ୍ତି ଦେଲେ ଆଉ ଜଣେ ସୌମଶ୍ରୀଙ୍କ ଅକାଳ ବିୟୋଗ ଘଟିବନି। ପିତାମାତାମାନେ ବି ନିଜ ପିଲାଙ୍କ ଅଭିଯୋଗ ଉପରେ ଆସ୍ଥା ପ୍ରକଟ କରନ୍ତୁ। ସବୁଠି ବ୍ୟବସ୍ଥା ରହିଛି। ବ୍ୟବସ୍ଥାକୁ ଫାଙ୍କୁଥିବା ଏଫ ଏମ କଲେଜ ଅଧ୍ୟକ୍ଷଙ୍କ ପରି ଗାଲୁଆମାନେ ଅଛନ୍ତି। ସେମାନଙ୍କ ନିଷ୍ପତି ନେବାରେ କାଳକ୍ଷେପଣ ନୀତି ବ୍ୟବସ୍ଥାକୁ ବିଗାଡି ଦେଉଛି ଏବଂ ଭୟଙ୍କର ପରିସ୍ଥିତିକୁ ସାମ୍ନା କରୁଛି ରାଜ୍ୟ। ବିଜେଡି ସମେତ ସବୁ ଦଳ ବ୍ୟବସ୍ଥାରେ ସୁଧାର ନ ଆଣି ରାଜନୈତିକ ହଟଚମଟ କଲେ ବାସ୍ତବରେ କାହାରିକୁ କିଛି ଫାଇଦା ମିଳିବନି। ନିଜ ଦଳୀୟ ଆତ୍ମତୁଷ୍ଟି ବ୍ୟତୀତ ଲୋକଙ୍କ କୌଣସି ସ୍ୱାର୍ଥ ପୂରଣ ହେବନି ବୋଲି ସାଧାରଣରେ ଆଲୋଚନା ହେଉଛି।
ତେବେ ଏଭଲି ଦୁଃଖଦ ଘଟଣାରେ ଉଭୟେ ଶାସକ ଓ ବିରୋଧୀ ଦଳ ରାଜନୀତି କରିବା ଅପେକ୍ଷା ସ୍ଥାୟି ପ୍ରତିକାର ସକାଶେ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ମିଳିତ ଉଦ୍ୟମ କରିବା ଆବଶ୍ୟକ ।

