କୋରାପୁଟରେ ଆଦର,ନବରଙ୍ଗ ପୁରରେ ହତାଦର🔺ତତ୍କାଳୀନ କୋରାପୁଟ ଜିଲ୍ଲାପାଳଙ୍କ ସାର୍ଟିଫିକେଟକୁ ମାନୁ ନାହାଁନ୍ତି ସରକାର🔻 ସଂଗ୍ରାମୀ ନେତା ଜୟଦେବ ପରିଡାଙ୍କୁ ମିଶା ବନ୍ଦୀର ମାନ୍ୟତା ଦେବାକୁ ଦାବି

ସମ୍ମାନ ପାଇଁ ସଂଗ୍ରାମ, ପେନସନକୁ ମନା 

ନବରଙ୍ଗପୁର (ପ୍ରତିଫଳନ ମିଡ଼ିଆ)

୧୯୭୫ ମସିହାରେ କଂଗ୍ରେସ ଦଳର ନେତା ଇନ୍ଦିରା ଗାନ୍ଧୀଙ୍କ ପକ୍ଷରୁ ଦେଶରେ ଲାଗୁ କରାଗଲା ଜରୁରୀକାଳୀନ ପରିସ୍ଥିତି।ଏହାକୁ ନେଇ ଦେଶ ବ୍ୟାପୀ ବିରୋଧ କରାଗଲା । ଏହି ଆନ୍ଦୋଳନରେ ସାମିଲ ହୋଇ ବନ୍ଦୀ ହୋଇଥିଲେ ସଂଗ୍ରାମୀ ନେତା ତଥା ବରିଷ୍ଠ ଆଇନଜୀବୀ ଜୟଦେବ ପରିଡା । ତା ୨୪.୧୨.୧୯୭୫ ରିଖ ଠାରୁ  ତା ୦୯.୦୧.୧୯୭୭ ରିଖ ପର୍ଯ୍ୟନ୍ତ ଦୀର୍ଘ ୨ବର୍ଷ ୨୪ଦିନ  ଜେଲ ରେ ବନ୍ଦୀ ଜୀବନ ବିତାଇଥିଲେ । ରାଜନୈତିକ ବନ୍ଦୀ ଭାବେ ମିଶା ଆଇନରେ ଗିରଫ ହୋଇଥିଲେ ବୋଲି ୧୯୭୮ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାପାଳ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।ତଥାପି ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଅବେହେଳା ପାଇଁ ଜୟଦେବ ପରିଡ଼ାଙ୍କୁ ମିଶା ବନ୍ଦୀର ମାନ୍ୟତା ମିଳିନାହିଁ ।

ମିଶା ବନ୍ଦୀଙ୍କ ପ୍ରତି ଅବହେଳା କରି ଅସମ୍ମାନ କରୁଛି ପ୍ରଶାସନ। ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ମିଶାରେ ଗିରଫ ହୋଇ ଜେଲ ଭୋଗିଥିବା ବନ୍ଦୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଦେବାକୁ ନିଷ୍ପତି ନେଇଛନ୍ତି ବିଜେପି ସରକାର । ଅବିଭକ୍ତ କୋରାପୁଟ ଜିଲ୍ଲାର ଟାଣୁଆ ଲୋକପ୍ରିୟ ନେତା ଜୟଦେବ ପରିଡାଙ୍କୁ ମିଶା ବନ୍ଦୀ ମାନ୍ୟତା ଦେବାରେ ଅବହେଳା କରୁଛି  ନଂବରଂଗପୁର ଜିଲ୍ଲା ପ୍ରଶାସନ । ଏଭଳି କରି ତାଙ୍କ ପ୍ରତି ଅସମ୍ମାନ କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ତୁରନ୍ତ  ମିଶା ବନ୍ଦୀର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ କରି ଚିଠି ଲେଖିଛି ଓଡ଼ିଶା ରାଜ୍ୟ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ। ସଂଗଠନର ରାଜ୍ୟ ଆବାହକ ସୁବ୍ରତ ନନ୍ଦ ସୂଚନା ଦେଇଛନ୍ତି ।

ବିଶିଷ୍ଟ ନେତା ରାଜନାରାୟଣାଙ୍କ ଆବେଦନ କ୍ରମେ  ୧୯୭୫ ମସିହା ଜୁନ ୧୨ ତାରିଖ ଦିନ ଆଲାହାବାଦ୍ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ।କ୍ଷମତାର ଅପବ୍ୟବହାର କରି ନିର୍ବାଚନ ଜିତିଥିବାରୁ ଅସିଦ୍ଧ ଘୋଷଣା କରିବା ସହ ୬ବର୍ଷ  ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ରାୟ ଦେଇଥିଲେ ।ଫଳରେ  ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା ଦାବୀରେ ଦେଶ ବ୍ୟାପୀ ବିରୋଧ ତୀବ୍ର ହୋଇଥିଲା। ଏହାର ପ୍ରତିବାଦରେ ଜୁନ ୨୬ ତାରିଖ ଦିନ ଦିଲ୍ଲୀ ଲାଲକିଲ୍ଲା ଠାରେ ଦେଶର ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କଲେ । ଇନ୍ଦିରା ଗାନ୍ଧୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପରିବର୍ତେ ଭୟଭୀତ ହୋଇ ପଡିଲେ । ସୁପ୍ରିମକୋର୍ଟରୁ ମଧ୍ୟ ଉଦ୍ଧାର ମିଳିବ ନାହିଁ ଜାଣିବା ପରେ ବିରୋଧୀଙ୍କ ଭୟରେ ଇନ୍ଦିରା ଗାନ୍ଧୀ ଇସ୍ତଫା ନଦେଇ (ଏମାରଜେନସି) ଜରୁରୀ କାଳୀନ ପରିସ୍ଥିତି ଲାଗୁ କଲେ । କ୍ଷମତା ପାଇଁ ୧୯୭୫ ମସିହା ଜୁନ ୨୬ ତାରିଖ ଦିନ ହିଁ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ ।

ଗଣତନ୍ତ୍ର ବଦଳରେ ରାଷ୍ଟ୍ରପତି ଶାସନ ଲାଗୁକରି ଏକଛତ୍ରବାଦ ଶାସନ ଚଳାଇଲେ । କହିବାର ଅଧିକାର ଛିନ୍ନ କଲେ । ଖବର କାଗଜରେ ଲେଖିବାର ଅଧିକାର ଛଡ଼ାଇ ନେଲେ । ସରକାର ବିରୋଧରେ କହିବା ନେତା ଓ ଲେଖିବା ସାମ୍ବାଦିକ ଓ ସମ୍ପାଦକଙ୍କୁ ଗିରଫ କରିଲେ । ଦେଶ ବ୍ୟାପୀ ଇନ୍ଦିରା ଗାନ୍ଧୀ ଓ  କଂଗ୍ରେସ୍ ସରକାରଙ୍କୁ ବିରୋଧ କରି ବହୁଲୋକ କାରାବରଣ କରିଥିଲେ । ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଇନ୍ଦିରା ଗାନ୍ଧୀ ଓ କଂଗ୍ରେସ ସରକାରଙ୍କ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ବହୁ ଲୋକ ଗିରଫ ହୋଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବିଶିଷ୍ଟ ଲୋକପ୍ରିୟ ଜନନେତା ଦିବଂଗତ  ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓ ସେତେବେଳର ଯୁବନେତା ଅଣକଂଗ୍ରେସ୍ ରାଜନୀତିର ପୁରୋଧା ସଂଗ୍ରାମୀ ନେତା ଜୟଦେବ ପରିଡାଙ୍କ ସମେତ କିଛି ଜଣ ଗିରଫ ହୋଇ ବହୁ ଦିନ ଜେଲରେ କଟାଇଥିଲେ । ଏହି ମିଶା ବନ୍ଦୀମାନଙ୍କର ଅହରହ ପ୍ରଚେଷ୍ଟା ଯୋଗୁଁ ଜନତା ପାର୍ଟି ସରକାରକୁ ଆସିଥିଲା । କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜନତା ପାର୍ଟିର ସରକାର ପ୍ରତିଷ୍ଠିତ ହେଲା । ବନ୍ଦୀ ନେତାମାନଙ୍କୁ ଜେଲରୁ ମୁକ୍ତ କରାଗଲା। ଏହି ବନ୍ଦୀମାନଙ୍କ ଭିତରୁ ବହୁଲୋକ ବିଧାୟକ ମନ୍ତ୍ରୀ ହେଲେ। ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ରାଜ୍ୟ ସରକାର ଏହି ବନ୍ଦୀମାନଙ୍କୁ ସ୍ଵୀକୃତି ପ୍ରଦାନ ସ୍ଵରୂପ ମିଶାବନ୍ଦୀ ଭାବରେ ମାନ୍ୟତା ଦେବାକୁ ନିଷ୍ପତି ନେଇଥିଲେ । ସେମାନଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ପେନ୍‌ସନର ବ୍ୟବସ୍ଥା କଲେ । ବହୁ ଡେରିରେ ଆମ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ପାଇଁ ପେନ୍‌ସନର  ବ୍ୟବସ୍ଥା କରାଇଛନ୍ତି । ମାତ୍ର ନବରଙ୍ଗପୁର ଜିଲ୍ଲା ପ୍ରସାଶନର ଅବହେଳା ଯୋଗୁଁ ଏକମାତ୍ର ଜୀବିତ ଥିବା ବନ୍ଦୀ ଅଣକଂଗ୍ରେସ ରାଜନୀତିର ପୁରୋଧା ବିଶିଷ୍ଟ ଆଇନଜୀବୀ  ଜୟଦେବ ପରିଡାଙ୍କୁ ମିଶା ବନ୍ଦୀ ଭାବେ ସାର୍ଟିଫିକେଟ ପାଇଥିବା ସତ୍ବେ ସରକାରୀ ସ୍ତରରେ ଘୋଷଣା କରାଯାଇନାହିଁ । ଏଭଳି କରି ଦେଶପ୍ରେମୀ  ଲଢ଼ୁଆ ନେତାଙ୍କ ପ୍ରତି ଅପମାନିତ କରାଯାଉଛି । ମିଶା ବନ୍ଦୀ ପେନସନ୍ ନ ନେବା ପାଇଁ ଜୟଦେବ ପରିଡା ସର୍ବସାଧାରଣରେ ଘୋଷଣା କରିଛନ୍ତି । କେବଳ ସମ୍ମାନ ପାଇଁ ମିଶା ବନ୍ଦୀ ଭାବେ  ସରକାର ଘୋଷଣା କଲେ ସଂଗ୍ରାମ ର ସାର୍ଥକତା ମିଳିପାରିବ ସେଇ ଆଶାରେ ତାଙ୍କ ସମର୍ଥକ ମାନେ ରହିଛନ୍ତି ।

Spread the love