ରିପୋର୍ଟ କାର୍ଡରେ ସଫଳତାକୁ ଦର୍ଶାଇଲେ କୋରାପୁଟ ସାଂସଦ, କହିଲେ ରେଳ, ରାସ୍ତା, ଶିକ୍ଷା ଆଦି ବିକାଶରେ ରହିଛି ପ୍ରମୁଖ ଯୋଗଦାନ

ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସପ୍ତଗିରି କିନ୍ତୁ ନିରବ

ରାୟଗଡା ( ପ୍ରତିଫଳନ ମିଡ଼ିଆ )

ନିର୍ବାଚନକୁ ବର୍ଷେ ପୁରିଛି। ପ୍ରତିଫଳନ ପକ୍ଷରୁ ନିର୍ବାଚିତ ପ୍ରତିନିଧିଙ୍କ ରିପୋର୍ଟ କାର୍ଡ ପ୍ରଦାନ କରାଯାଉଛି। ନିକଟରେ ଆମେ ରାୟଗଡା ବିଧାୟକଙ୍କ ରିପୋର୍ଟ କାର୍ଡ ପ୍ରଦାନ କରିଥିଲୁ। ଏହିକ୍ରମରେ ଖୋଦ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ବର୍ଷକ ମଧ୍ୟରେ ନିର୍ବାଚନ ମଣ୍ଡଳୀ ପାଇଁ ସେ କଣ କରିଛନ୍ତି ତାର ହିସାବ ସେ ଦେଇଛନ୍ତି। ରେଳ ଭିତ୍ତିଭୂମିର ବିକାଶ ଏବଂ ରେଳ ପାଇଁ କରିଥିବା ଉଦ୍ୟମର ବିବରଣୀ କ୍ରମରେ  ରାୟଗଡା ରେଳ ଡିଭିଜନ ସ୍ଥାପନ, ଗୁଣୁପୁର–ଥେରୁବାଲି ରେଳ ଲାଇନ  କାର୍ଯ୍ୟ ଘୋଷଣା, ଗୋପାଳପୁର–ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ପ୍ରକଳ୍ପ ସର୍ଭେ, ବନ୍ଦେ ଭାରତ ଟ୍ରେନ୍ ଚଳାଚଳ, ଆମ୍ବଦଳା, ମୁନିଗୁଡ଼ା, ଥେରୁବାଲି, କୋଟପାଡ, ଲକ୍ଷ୍ମୀପୁରରେ ଟ୍ରେନ୍ ରହଣି  ଆଦି ଦିଗରେ ତାଙ୍କ ଅବଦାନକୁ ସେ ଲୋକଙ୍କ ନିକଟରେ ଥୋଇଛନ୍ତି। ସେହିପରି  ଶିକ୍ଷା ଏବଂ ଆଦିବାସୀ ସଶକ୍ତିକରଣ କରିବା ଦିଗରେ ତାଙ୍କ ଭୂମିକାକୁ ସେ ଦର୍ଶାଇଛନ୍ତି।  କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁର, ମଞ୍ଜୁରୀପ୍ରାପ୍ତ କୋରାପୁଟର ସମସ୍ତ ଅନୁମୋଦିତ EMRS (ଏକଲବ୍ୟ ସ୍କୁଲ) କାର୍ଯ୍ୟାନ୍ୱୟନ ସୂଚୀରେ ଅନ୍ତର୍ଭୁକ୍ତ କରିବା, ଭିତ୍ତିଭୂମି ପ୍ରସାରଣ ପାଇଁ CUO, କୋରାପୁଟ ପାଇଁ ₹500+ କୋଟି ମଞ୍ଜୁର  ଏବଂ ଝୋଡିଆଙ୍କୁ ଏସଟି ମାନ୍ୟତା ଏବଂ ସୌରା ଭାଷାକୁ ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ ଦାବି ପହଂଚାଇବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି। ସେହିପରି ଯୋଗାଯୋଗ ଓ ସଂଚାର କ୍ଷେତ୍ରରେ ସାରା ଓଡ଼ିଶାରେ ଗ୍ରାମାଞ୍ଚଳ କଭରେଜ ପାଇଁ 1,462 ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ,  ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗ ସମସ୍ୟା ପ୍ରାଥମିକତା ଭିତ୍ତିରେ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି।

ରାସ୍ତା ସଂଯୋଗ ସୁଦୃଢ଼ୀକରଣ କ୍ରମରେ ସମଗ୍ର ଅଞ୍ଚଳରେ ନିର୍ମାଣ ପାଇଁ 550 ପିଏମଜିଏସ ୱା।ଇ ରାସ୍ତା ମଞ୍ଜୁର, NBCC ଅଧୀନରେ 120+ କ୍ଷତିଗ୍ରସ୍ତ PMGSY ରାସ୍ତା ମରାମତି ଏବଂ ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ବର୍ଷକ ମଧ୍ୟରେ ବିଭିନ୍ନ  84ଟି ପ୍ରଶ୍ନ ପୋଲାଭୋରାମ, କୋଟିଆରୁ ମହାନଦୀ ପର୍ଯ୍ୟନ୍ତ ଏବଂ ମହିଳା ସୁରକ୍ଷାଠାରୁ ଆଦିବାସୀ ଅଧିକାର ପର୍ଯ୍ୟନ୍ତ  ବିତର୍କରେ ଅଂଶଗ୍ରହଣ, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସ୍ଥାୟୀ କମିଟିର 26ଟି ବୈଠକରେ ଅଧ୍ୟକ୍ଷତା, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ବିପ, ଜମ୍ମୁ ଏବଂ କାଶ୍ମୀର, ତେଲେଙ୍ଗାନା ଏବଂ ଓଡ଼ିଶାରେ  କାର୍ଯ୍ୟାନ୍ୱୟନ ସମୀକ୍ଷାରେ ଅଂଶ ଗ୍ରହଣ ଏବଂ ନୀତିକୁ ପ୍ରଭାବିତ କରିବା, ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ଼ ​​କରିବା ଏବଂ MGNREGA, PMAY-G, ଏବଂ ଜଳ ଜୀବନ ମିଶନ ଭଳି ଗ୍ରାମୀଣ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କୁ ପ୍ରମୁଖ ରିପୋର୍ଟ ପ୍ରଦାନ କରିଥିବା ସେ ଦାବି କରିଛନ୍ତି। ସେହିପରି ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ସିକିମ ପାଇଁ AICC ପ୍ରଭାରୀ ଭାବରେ କାର୍ଯ୍ୟ କରିବା, ଝାଡ଼ଖଣ୍ଡରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଗଠନକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସଫଳତାର ପ୍ରତ୍ୟେକ ମାଇଲଖୁଣ୍ଟ କୋରାପୁଟର ଲୋକଙ୍କ ସ୍ୱର ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରେ ବୋଲି ଦର୍ଶାଇ ଛନ୍ତି। ମୁଁ କେବଳ ଆଲୋଚନାରେ ନୁହେଁ, ବିକାଶ ପାଇଁ ପ୍ରତିବଦ୍ଧ ଏବଂ ଆଗମୀ ବର୍ଷଗୁଡ଼ିକରେ ପୂର୍ଣ୍ଣ ସମର୍ପିତର ସହିତ କାମ ଜାରି ରଖିବି ବୋଲି ମଧ୍ୟ ସେ କହିଛନ୍ତି। ତେବେ ଏ ସମ୍ପର୍କରେ ବିରୋଧୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ରହିଛି। ସେହିପରି କେଉଁ ସବୁ କାମ କରି ପାରି ନାହାଁନ୍ତି ଏବଂ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର କେଉଁ ସବୁ କାର୍ଯ୍ୟ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ରଖି ନାହାଁନ୍ତି ସପ୍ତଗିରି।

Spread the love