ରାଜ୍ୟର ସବୁଠାରୁ ବଡ଼ ଅବକାରୀ ଚଢ଼ାଉ : ଓଡ଼ିଶା-ଆନ୍ତଃ ରାଜ୍ୟ ସୀମାରେ ₹200 କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ , ପୋଲିସ ହାତରେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟ 

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ଗତ ବର୍ଷମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଘାଟି ର କାହାଣୀକୁ ପ୍ରତିଫଳିତ କରି ଏକ ନାଟକୀୟ ବାସ୍ତବ  କାର୍ଯ୍ୟାନୁଷ୍ଠାନରେ, ଓଡିଶା ପୋଲିସ ଏକ ବିଶାଳ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ ସିଣ୍ଡିକେଟକୁ ଠାବ କରିଛନ୍ତି।   ₹200 କୋଟି ମୂଲ୍ୟର ଚୋରା ତରଳ ଗଂଜେଇ ସହ ବ୍ୟବହୃତ ସାମଗ୍ରୀ ଜବତ କରିଛି କୋରାପୁଟ ପୋଲିସ। ସଠିକ ପଦକ୍ଷେପ ଏବଂ ଗୁପ୍ତଚର ରଣନୀତି ସହିତ କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନ ରାଜ୍ୟ ସୀମା ଦେଇ ତରଳ ଗଞ୍ଜେଇର ବେଆଇନ ଚାଲାଣରେ ଜଡିତ ଥିବା ଏକ ସୁସଂହତ ନେଟୱାର୍କର ପର୍ଦ୍ଦାଫାଶ କରିଛି ଓଡିଶା ପୋଲିସ । ଏହି ହାଇ-ପ୍ରୋଫାଇଲ୍ ଜବତ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।  ଏହି ଅଭିଯାନ ସାମ୍ପ୍ରତିକ ସମୟରେ ଦେଶର ସବୁଠାରୁ ବଡ଼ ଅବକାରୀ ବିରୋଧୀ ସଫଳତା ମଧ୍ୟରୁ ଗୋଟିଏ ବୋଲି ଆଲୋଚନା ହେଉଛି।

 ଓଡ଼ିଶା ପୋଲିସ କୋରାପୁଟ ଜିଲ୍ଲାର ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଏକ ବିଶାଳ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ ଉତ୍ପାଦନ ୟୁନିଟ୍କୁ ଠାବ କରିଛି। ସୁନିଶ୍ଚିତ ଗୁଇନ୍ଦା ସୂଚନା ଉପରେ କାର୍ଯ୍ୟ କରି, ଦକ୍ଷିଣ ପଶ୍ଚିମ ରେଞ୍ଜ (SWR)ର ଡିଆଇଜି କନୱାର ବିଶାଳ ସିଂଙ୍କ ତତ୍ତ୍ୱାବଧାନରେ ଏବଂ କୋରାପୁଟ ପୋଲିସ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟବର୍ତ୍ତୀ ପାଡୁଆ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଝୋଲାପୁଟ ଜଳଭଣ୍ଡାରର ଏକ ଜଙ୍ଗଲ ମଧ୍ୟରେ  ବିପଦପୂର୍ଣ୍ଣ ଚଢାଉ କରିଥିଲା।

₹200 କୋଟିରୁ ଅଧିକ ମୂଲ୍ୟର ବିପୁଳ ସାମଗ୍ରୀ ଜବତ ସହ ପୋଲିସ ଏକ ଅସ୍ଥାୟୀ ଆନ୍ତଃରାଜ୍ୟ ତରଳ ଗଞ୍ଜେଇ ଉତ୍ପାଦନ ୟୁନିଟ୍ ଠାବ କରି ଜବତ କରିଛି। 1,800 ଲିଟରରୁ ଅଧିକ ତରଳ ଗଞ୍ଜେଇ , ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ₹200 କୋଟି ହେବ । ପ୍ରାୟ ₹5 କୋଟି ମୂଲ୍ୟର 1,000 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ମଧ୍ୟ ପୋଲିସ ଜବତ କରିଛି । ନିଷ୍କାସନ ଏବଂ ପ୍ରକ୍ରିୟାକରଣ ପାଇଁ ବ୍ୟବହୃତ ଅନେକ ଅସ୍ଥାୟୀ ଉତ୍ପାଦନ ଉପକରଣକୁ ପୋଲିସ ଠାବ କରିଛି।

ଦୁର୍ଗମ ଅଞ୍ଚଳ, ପ୍ରତିକୂଳ ପରିସ୍ଥିତି, ସିଣ୍ଡିକେଟର ମଜବୁତ ଗୋଇନ୍ଦା ସୂଚନା ହେତୁ ଏହି ଅଭିଯାନ ବିଶେଷ ଭାବରେ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଗୋପନୀୟତା ଏବଂ କୌଶଳଗତ ଭାବେ  ପୋଲିସର ବିଭିନ୍ନ ଦଳଗୁଡ଼ିକ ଜଳଭଣ୍ଡାର ପାର ହୋଇ ଡଙ୍ଗା ମାଧ୍ୟମରେ ଗୁପ୍ତ ସ୍ଥାନ ନିକଟକୁ ଯାଇଥିଲେ ଏବଂ ତା’ପରେ ଅପରାଧୀମାନଙ୍କୁ ସତର୍କରୁ ଦୂରେଇ ରଖିବା ପାଇଁ ରାସ୍ତା ପଥକୁ ଏଡ଼ାଇ ପୋଲିସ ଦଳ ପାଦରେ ଚାଲି ଚାଲି ଯାଇଥିଲେ।

ଡିଆଇଜି ନିଶ୍ଚିତ କରିଛନ୍ତି ଯେ ଏହି ନେଟୱାର୍କ ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ତରଳ ଗଞ୍ଜା ଉତ୍ପାଦନ ଏବଂ ବଣ୍ଟନରେ ସୁଦୃଢ଼ ଆନ୍ତଃରାଜ୍ୟ ଲିଙ୍କ୍ ରହିଛି। ଚଢାଉ ଏବେ ବି ଚାଲିଛି, ଏବଂ ସୁରକ୍ଷା କାରଣରୁ ଅଧିକ ବିବରଣୀ ପୋଲିସ ଦେବାକୁ ମନା କରିଛି। ତେବେ ପୃଥକ ପୃଥକ କାର୍ଯ୍ୟାନୁଷ୍ଠାନକ୍ରମରେ ୧.୧ ଟନ୍ ଗଞ୍ଜେଇ ସହିତ ୪ ଜଣଙ୍କୁ ଗିରଫ କରାଯାଇଛି।

କୋରାପୁଟ ଜିଲ୍ଲାରେ ଏଭଳି ଏକ  ସାହାସିକ  ଅଭିଯାନରେ ଓଡିଶା ପୋଲିସ ନନ୍ଦପୁର ପୋଲିସ ଷ୍ଟେସନ ସୀମା ଅଧୀନରେ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକୁ ମଧ୍ୟ ଧରିପାରିଛି। ଏଥିରେ ୧,୧୪୩ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ₹୫ କୋଟି। ଦୁଇଟି ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଲୋଡ୍ ହୋଇଥିବା ପ୍ଲାଷ୍ଟିକ୍ ଜାର ଭିତରେ ଚୋରା ଦ୍ରବ୍ୟ ଲୁଚାଇ ରଖାଯାଇଥିଲା।  କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରୁ ଦୁଇଜଣ ସ୍ଥାନୀୟ ଯୋଗାଣକାରୀ ସମେତ ଚାରି ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଉତ୍ତର ରାଜ୍ୟ ହରିୟାଣାରୁ ଦୁଇଜଣ ଅଭିଯୁକ୍ତ ଚାଲାଣକାରୀଙ୍କୁ ଅଧିକ ପଚରାଉଚରା କରାଯାଉଛି  ଏବଂ ବ୍ୟାପକ ଆନ୍ତଃରାଜ୍ୟ ଯୋଗାଣ ଶୃଙ୍ଖଳକୁ ଠାବ କରିବା ପାଇଁ ଅଧିକ ତଦନ୍ତ ଚାଲିଛି ବୋଲି ଡିଆଇଜି କନୱାର ବିଶାଳ ସିଂ କହିଛନ୍ତି। ଗଞ୍ଜେଇ ଚାଷ ଏବଂ ବେଆଇନ ନିଶା ନେଟୱାର୍କ ପାଇଁ ଦୀର୍ଘ ଦିନ ଧରି ଜଣାଶୁଣା ସମ୍ବେଦନଶୀଳ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା କରିଡରରେ ନିଶାଦ୍ରବ୍ୟ ଉତ୍ପାଦନ ଏବଂ ପରିବହନକୁ ରୋକିବାରେ ଏହି  ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଆଣି ଦେଇଛି।

Spread the love