ଆଜି ବିଶ୍ଵ ପରିବେଶ ଦିବସ ପାଳିଲେ ଆଦିବାସୀ
ମୁଁ ଆତଙ୍କବାଦୀ ନାହିଁ। ଶାନ୍ତି ଓ ଅହିଂସା ପୂର୍ବକ ଆନ୍ଦୋଳନ ରେ ମୁଁ ବିଶ୍ୱାସ ରଖି ଆସିଛି : ମେଧା ପାଟେକର
ରାୟଗଡା (ପ୍ରତିଫଳନ ମିଡ଼ିଆ )
ବିଶ୍ୱ ପରିବେଶ ଦିବସ ଅବସରରେ କାଶୀପୁର ବ୍ଲକ ଅନ୍ତର୍ଗତ ସୁଂଗେର ହାଟପଦାରେ ଏକ ସାଧାରଣ ସଭାରେ ଯୋଗଦେବା ପାଇଁ ରାୟଗଡା ପହଞ୍ଚିବା ପରେ ପୋଲିସ ଗୁରୁବାର ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡ଼ା ରେ ଅଟକ ରଖିଲା।
ସିଜିମାଳି ପାହାଡର ସୁରକ୍ଷା ଓ ମାଟି ମାଆକୁ ବଞ୍ଚାଇବା ଲାଗି ମା-ମାଟି-ମାଳି-ସୁରକ୍ଷା ମଞ୍ଚ, କାଶିପୁର-ଥୁଆମୂଳ ରାମପୁର ପକ୍ଷରୁ ଏହି ସମାବେଶର ଆୟୋଜନ କରିଛି। ସୁଙ୍ଗେରରେ ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ ସହିତ ଖଣି କାର୍ଯ୍ୟକୁ ସ୍ଥାନୀୟ ବିରୋଧକୁ ସମର୍ଥନ କରିବା ପାଇଁ ପାଟେକର ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମନ୍ବୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବାର ଥିଲା। ଭୁବନେଶ୍ୱର ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରାୟଗଡରେ ପହଁଚିବା ପରେ ରାୟଗଡା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରେଳ ଷ୍ଟେସନ ରେ ତାଙ୍କୁ ପୋଲିସ ଅଟକାଇଥିଲେ। ରୋକିବାର କାରଣ ପଚାରିବାରୁ ପୋଲିସ ମେଧାଙ୍କ ସହ 24 ଜଣଙ୍କୁ ସମାବେଶ ସ୍ଥଳକୁ ନ ଛାଡ଼ିବାକୁ ଜାରି ଆଦେଶନାମାକୁ ଦେଖାଇଥିଲେ।

ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ମେଧା ପାଟେକାର। ସେ ପ୍ରତିଫଳନକୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ ରଖିଥିଲା ଏବଂ ବୈଠକରେ ଅଂଶଗ୍ରହଣ କରିବାରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲା। ମୋତେ ରେଳ ଷ୍ଟେସନରେ ପୋଲିସ ଅଟକାଇଥିଲା। ପରେ ଆମକୁ ନେବାକୁ ଆସିଥିବା ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ ଙ୍କ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆମକୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯାଇନାହିଁ। ସେ ଆହୁରି କହିଛନ୍ତି ଯେ ମୁଁ ଆତଙ୍କବାଦୀ ନାହିଁ। ଶାନ୍ତି ଓ ଅହିଂସା ପୂର୍ବକ ଆନ୍ଦୋଳନ ରେ ମୁଁ ବିଶ୍ୱାସ ରଖି ଆସିଛି। ବିକାଶ ବିରୋଧୀ ନାହିଁ ।ପ୍ରକୃତି ଓ ପରିବେଶ ସନ୍ତୁଳିତ ବିକାଶ ହେବା ଆବଶ୍ୟକ। ମଣିଷଙ୍କ ହିତକୁ ଦୃଷ୍ଟିରେ ରଖି ବିକାଶ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।ଆଗାମୀ ପିଢ଼ି ପାଇଁ ପ୍ରକୃତିର ଅବଦାନକୁ କିଛି ଛାଡିବା ଆବଶ୍ୟକ। ନଚେତ ପୃଥିବୀରେ ଆଗାମୀ କାଲି ଜୀବ ବଞ୍ଚିବ କେମିତି ବୋଲି ପ୍ରଶ୍ନ କରିଛନ୍ତି?

ପରେ ପୋଲିସ ମେଧା ପାଟେକର ସମେତ କୃଷକ ନେତା ଲିଙ୍ଗରାଜ ଓ ନରେନ୍ଦ୍ର ମହାନ୍ତିଙ୍କୁ ସ୍ଵତନ୍ତ୍ର ପୋଲିସ ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ନିଆଯିବ କହି ନେଲା ପୋଲିସ। କାଶୀପୁର ଯିବାକୁ ଦିଆଯାଇନି। ବ୍ରହ୍ମପୁର ରେ ଆସନ୍ତାକାଲି ମେଧାଙ୍କ ସମେତ ବହୁ ପରିବେଶବିତ ଋଷିକୁଲ୍ୟା ବଞ୍ଚାଓ ଆନ୍ଦୋଳନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ସୁଂଗେର ହାଟପଦାରେ ସ୍ଥାନୀୟ ଲୋକେ ଖଣି ଖନନକୁ ବିରୋଧ କରି ସମାବେଶ କରିଛନ୍ତି।