ଜିଲ୍ଲାପାଳ, ଡିଆଇଜି,ଏସପି, ଡିଏଫଓ ,ଛାତ୍ର ଛାତ୍ରୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ବି ଲଗାଇଲେ ଗଛ
କୋରାପୁଟ (ପ୍ରତିଫଳନ ମିଡ଼ିଆ )
ଝିପି ଝିପି ବର୍ଷା ସାଂଗକୁ କୋହଲା ପାଗ । କୋରାପୁଟର ପ୍ରକୃତିକୁ ଦେଖି ବିଭୋର ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ଷା ଭିଜା ପରିବେଶ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଲଗାଇଲେ ବର ଗଛ । ପ୍ରଥମେ ପୂଜା କଲେ ପରେ ଲଗାଇଲେ ଗଛ। ପରେ ବନ ବିଭାଗ ପକ୍ଷରୁ ମାଟି ଗୋଳାରେ ମଞ୍ଜି ପୋତି ଚାରା ହୋଇଥିବା ସିଡବଲ ମେଳା ବୁଲି ଦେଖିଲେ ।
କୋରାପୁଟ ବନଖଣ୍ଡ ପକ୍ଷରୁ ମେଗା ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମା ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟର ୩ମନ୍ତ୍ରୀ, କୋରାପୁଟ ଓ ନବରଙ୍ଗପୁର ଲୋକସଭା ସାଂସଦ, କୋରାପୁଟ, କୋଟପାଡ, ପଟଙ୍ଗୀ, ଲକ୍ଷ୍ମୀପୂର୍ ବିଧାୟକମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଏମପି ପଡିଆରେ ବର ଗଛ ଚାରା ଲଗାଇଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟର ୩ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ନିତ୍ୟାନନ୍ଦ ଗଣ୍ଡ, ଗୋକୂଳା ନନ୍ଦ ମଲ୍ଲିକ, କୋରାପୁଟର ସପ୍ତଗିରି ଶଙ୍କର ଉଲାକା, ନବରଙ୍ଗପୁରର ବଳ ଭଦ୍ର ମାଝୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।ଏହାସହ କୋରାପୁଟ ଜିଲ୍ଲାର ୪ ବିଧାୟକ କୋରାପୁଟର ରଘୁରାମ ମାଛ, କୋଟପାଡର ରୁପୁ ଭତ୍ରା, ପଟାଙ୍ଗିର ରାମ ଚନ୍ଦ୍ର କାଡାମ, ଲକ୍ଷ୍ମୀପୂରର ପବିତ୍ର ସାଉନ୍ତା ସମେତ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଡିଏଫଓ ଭାସ୍କର ରାଓ ,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ ସିଂହ, ବିଏସଏଫ ଡିଆଇଜି ,କୋରାପୁଟ ଏସପି ପ୍ରମୁଖ ବୃକ୍ଷ ରୋପଣ କରିଥିଲେ।

ଏଥିରେ କୋରାପୁଟର ହନୁମାନ ବାଟିକା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟାଙ୍କ ସମେତ ସହର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ । ବର, ଓସ୍ତ୍, ଫାସୀ, ପଣସ,ଆମ୍ବ, ବଉଳ, ବିଜା , ରକ୍ତ ଚନ୍ଦନ, କାଞ୍ଚନ, ଗମ୍ଭାରୀ, ଶାଳ ଭଳି ଏକ ହଜାର ଚାରା ଜଙ୍ଗଲ ବିଭାଗ ପକ୍ଷରୁ ରୋପଣ କରାଯାଇଛି ।

ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ରହିଛି ।ବୃକ୍ଷ ରହିଲେ ପ୍ରକୃତିର ସୋନ୍ଦର୍ଯ୍ୟ ବୃଦ୍ଧି ପାଇବ ଓ ପରିବେଶ ସୁରକ୍ଷିତ ରହିବ। କୋରାପୁଟ ଜିଲ୍ଲାର ମନୋଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି । ପୋଡୁଚାଷ ଯୋଗୁଁ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ପାହାଡ ଗୁଡ଼ିକ ନଣ୍ଡା ହୋଇଯାଇଛି ।ଖଣି ଖନନ ଯୋଗୁଁ ଜଙ୍ଗଲ ନଷ୍ଟ ହୋଇଛି । ନୂତନ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଜଙ୍ଗଲ ଓ ପରିବେଶ ସୁରକ୍ଷିତ ରହିଲେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରହିବ। ବିଭିନ୍ନ ପ୍ରକାର ଚାଷ ପାଇଁ ପରିବେଶ ଅନୁକୂଳ ରହିବ। ଭୂତଳଜଳ ସ୍ତର ବୃଦ୍ଧି ପାଇବ। ଜମିରେ ଚାଷ ହୋଇପାରିବ। ଜଙ୍ଗଲ ସୁରକ୍ଷିତ ରହିଲେ ଜୀବନ ଜୀବିକା ସୁଗମ ହୋଇପାରିବ ଓ ପର୍ଯ୍ୟଟକଙ୍କ ଆଗମନ ବଢିବ। ଲୋକଙ୍କ ରୋଜଗାର ବୃଦ୍ଧି ହୋଇପାରିବ। ଏହାର ଦାୟିତ୍ଵ ଆମ ସମସ୍ତଙ୍କର। ସେଥିପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମରେ ମାଆଙ୍କ ନାମରେ ଗୋଟିଏ ଗଛ ପ୍ରତ୍ୟେକ ବ୍ୟକ୍ତି ଲଗାଇବାକୁ ଗୁରୁତ୍ଵାରୋପ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଜଙ୍ଗଲ ସୁରକ୍ଷା ପାଇ ଭଲ କାମ କରୁଥିବା ବିଏସଏଫ ଓ ବରିଗୁଡ଼ା ଓ ଗୁମାଗୁଡ଼ା ବନ ସୁରକ୍ଷା ସମିତିକୁ ସମ୍ମାନିତ କରିଥିଲେ ।


