ରାୟଗଡା ( ପ୍ରତିଫଳନ ମିଡ଼ିଆ )
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ ରାୟଗଡ଼ ଜିଲ୍ଲାପାଳ। ପ୍ରଶାସନକୁ କ୍ରିୟାଶୀଳ କରିବା ସହ ସମୟାନୁବର୍ତ୍ତିତା ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଦେଇଥିଲେ। ନୂତନ ଭାବେ ନିଯୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଏକ ଚିଠା ଧରାଇଥିଲେ। ଅଳସୁଆ ଓ ଖିଲାପକାରୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାର ମାତ୍ର ଚାରି ଦିନ ଭିତରେ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆଜି ଏକ୍ସନ ମୁଡ଼ରେ ଦେଖିବାକୁ ମିଳିଥିଲା। ସେ ସିଧା ସିଧା କହିଲେ ମାଇ ଆକ୍ସନ ଇଜ୍ ଭେରି କ୍ଲିୟର। ରାୟଗଡା ପ୍ରଶାସନର ଏଭଳି ନିଆରା ପଦକ୍ଷେପ କେବଳ ଜିଲ୍ଲା ଭିତରେ ନୁହେଁ ସମଗ୍ର ରାଜ୍ୟବ୍ୟାପୀ ପ୍ରଭାବ ପକାଇଛି। ମୋହନ ସରକାର କ୍ରମଶଃ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି।

ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କିଛି ଜିଲାସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା ପାଇଁ ଜିଲାପାଳ ରୋକଠୋକ ମନା କରିଦେଇଥିଲେ। ଅଳସୁଆ ଅଧିକାରୀଙ୍କୁ ସମୟାନୁବର୍ତ୍ତିତାର ପାଠ ପଢ଼ାଇଲେ। ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରାୟଗଡା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା । ଠିକ୍ ୧୦ଟା ରେ ପହଞ୍ଚିଥିଲେ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି। କିନ୍ତୁ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀ ଶୁଣାଣିରେ ସଠିକ ସମୟରେ ପହଞ୍ଚି ନଥିଲେ । ଏନେଇ ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅପ୍ରିତିକର ପରିସ୍ଥିତିରେ ପଡିଯାଇଥିଲେ ବିଳମ୍ବରେ ଆସିଥିବା ବହୁ ଅଧିକାରୀ। ଅଧିକାରୀମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ବାହାରେ ବସି ରହିଥିଲେ। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାପାଳଙ୍କ ଏଭଳି ଆଭିମୁଖ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

