ଅଭିଶପ୍ତ ଅକ୍ଟୋବର ! ହନ୍ତସନ୍ତ ଗଜପତିବାସୀ 🔹ଆସୁଛି ପୁଣି ଏକ ଲଘୁଚାପ 🔹ଦୁର୍ଗମ ଅଞ୍ଚଳ ବୁଲୁଛନ୍ତି ପରିବହନ ମନ୍ତ୍ରୀ

ପାରଳାଖେମୁଣ୍ଡି (ପ୍ରତିଫଳନ ମିଡ଼ିଆ )

ଅକ୍ଟୋବର ଆସିଲେ ପାର୍ବଣ ଆସେ। ତା ସହ ପୁଳାଏ ଛନକା ନେଇ ଆସେ ଏ ସମୟ। ଅକ୍ଟୋବର ଦାରୁଣ ଦୁଃଖର ସମୟ। ଅକ୍ଟୋବର ବାତ୍ୟାର ବେଳ। ଗଜପତି ଜିଲ୍ଲା ପାଇଁ ଦୁଃଖର କାଳ। ବାତ୍ୟା, ବର୍ଷା, ମାଟି ଅତଡା ଖସିବା, ମୃତ୍ୟୁ, ଫସଲ ହାନିର ଘନଘୋଟା ଭିତରେ ଗଜପତି ଜିଲ୍ଲା ବାସୀ ପେଷି ହୋଇ ଯାଆନ୍ତି। ନିକଟରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଆଗକୁ ପୁଣି ଆଉ ଏକ ଲଘୁଚାପ ଆସୁଛି। ଚଳିତବର୍ଷ 16ଟି ଲଘୁଚାପକୁ ସାମ୍ନା କରିଛନ୍ତି ଗଜପତି ଜିଲ୍ଲାବାସୀ। ଆଗକୁ ଆସୁଥିବା ଲଘୁଚାପକୁ ନେଇ ପୁଣି ଜିଲ୍ଲାବାସୀ ଭୟଭୀତ।

ଲଗାଣ ବର୍ଷାରେ ଗଜପତି ଜିଲ୍ଲା ବେହାଲ । ପାହାଡିଆ ବ୍ଲକଗୁଡିକରେ ଭୂସ୍ଖଳନ, ନଦୀ ଓ ନାଳରେ ପାଣି ବୃଦ୍ଧି । ଦୁଇଜଣ ମୃତ, ଦୁଇଜଣ ନିଖୋଜ । ଅଗ୍ନିଶମ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର ପ୍ରୟାସ ଜାରି । ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଜିଲ୍ଲାରେ ରହି ସ୍ଥିତି ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

ଆର.ଉଦୟଗିରିର ବସ୍ତ୍ରୀଗୁଡା ଗାଁର ତ୍ରିନାଥ ନାୟକ ଭୂସ୍ଖଳନରେ ମୃତ, ରାୟଗଡ ବ୍ଲକର ପେକଟ ଗାଁର ବାପପୁଅ ଦୁଇଜଣ ନିଖୋଜ । ମୋହନାରେ ଲକ୍ଷ୍ମଣ ମଲିକ ନଦୀରେ ଭାସି ମୃତ, ବାଲିଗୁଡାରେ ଘର ପଡି ୩ ଆହତ । ମହେନ୍ଦ୍ରଗିରିରେ ଭୂସ୍ଖଳନରେ ୨୪ ପର୍ଯ୍ୟଟକ ଫସିଥିଲେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ଗୁମ୍ମା ଓ ନୂଆଗଡ ବ୍ଲକରେ ଯାତାୟତ ବିଭିନ୍ନ ପ୍ରଶାସନ ପୁନର୍ବାସ ଓ ସଫା ଅଭିଯାନ ଜାରି । ପ୍ରତିବର୍ଷ ଅକ୍ଟୋବରରେ ଗଜପତିରେ ଏପରି ବିପର୍ଯ୍ୟୟ ହେବାରୁ ଲୋକମାନେ ଭୟଭୀତ — ଅକ୍ଟୋବର ହେଉଛି ଗଜପତି ପାଇଁ ଅଭିଶପ୍ତ ମାସ ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love