ସ୍ଥିତି ପାଇଁ ସଂଗ୍ରାମ, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଚାଲିଛି କସରତ, ବିରୋଧୀଙ୍କ ଆକ୍ରମଣ ମୋହନଙ୍କ ପାଇଁ ସୃଷ୍ଟି ହେଉଛି ଅନୁକମ୍ପା

ବିଗତ ଦିନର ମହିଳା ନିର୍ଯ୍ୟାତନାକୁ ଚାପୁଥିଲେ, ଏବେ ଏକ୍ସନ ମୁଡ଼ରେ ବିଜେପି ସରକାର

ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ)

ଗତକିଛି ଦିନ ଧରି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଓଡିଶା ରାଜନୀତିରେ  ଦୁଇ ବିରୋଧୀ ଦଳ ରୋଟି ସେକୁଛନ୍ତୁ। ନିଜ ଦଳର ଅସ୍ତିତ୍ୱ ବଜାୟ ରଖିବା ସହ ବିରୋଧୀ ଦଳ ବୋଲି ଓଡିଶାବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ଲାଗି ବିଜେଡି ଓ କଂଗ୍ରେସ ଭିତରେ ଅଦ୍ଭୁତ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆଉ ମାଧ୍ୟମ ହେଉଛି ସୌମ୍ୟାଶ୍ରୀ ଭଳି ଘଟଣା। ରାଜ୍ୟବାସୀଙ୍କ ହିତ ଓ ରାଜ୍ୟର ବିକାଶ ପାଇଁ ବିରୋଧୀଙ୍କ ଯେତିକି ଚିନ୍ତା ନାହିଁ ନିଜର ସ୍ଥିତି ଓ ନିଜ ଦଳର ଅସ୍ତିତ୍ୱ ପାଇଁ ବେଶୀ ଚିନ୍ତିତ ଥିବା ପରି ମନେ ହେଉଛନ୍ତି।

ବଞ୍ଚିଥିବା ବେଳେ ପ୍ରବଳ ନିନ୍ଦା କରିବା ଓ ମରିଗଲା ପରେ ଗୁଣଗାନ କରିବା ଭଳି ଘଟଣା ଘଟିଛି ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ । ଝିଅଟି ମରିବା ପୂର୍ବରୁ ଦଳମାନଙ୍କ ମଧ୍ୟରେ ଯେତିକି ଚିନ୍ତା ନଥିଲା ମଲା ପରେ ଅଧିକ ଚିନ୍ତା ବଢିଯାଇଛି। କିନ୍ତୁ ଦୁଃଖର କଥା ବ୍ୟବସ୍ଥାକୁ ସୁସଂଗଠିତ କରିବା ଓ  ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା  କିପରି ରହିପାରିବ ସେଥି ପାଇଁ ବିରୋଧୀ ଦଳ  ପକ୍ଷରୁ ସରକାରଙ୍କ ନିକଟରେ ସେମିତି କିଛି ସୁନ୍ଦର ପ୍ରସ୍ତାବ  ଦିଆଯାଉ ନାହିଁ। ବରଂ ବିଚାରପତି ଭଳି  କେମିତି ମଲା ଓ ମରିବା ପାଇଁ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଦାୟୀ କରି ହୋହଲ୍ଲା କରାଯାଉଛି।  ବିନମ୍ରତାର  ସହ ଓଡିଶାବାସୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ଗଭୀର ସମବେଦନା ଜଣାଇଛନ୍ତି। ସରକାର ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି ସାରିଛନ୍ତି। ପୀଡ଼ିତାଙ୍କୁ ଉଚ୍ଚତର ଚିକିତ୍ସା, ପରିବାରକୁ କ୍ଷତି ପୂରଣ ସହ ଏଇ ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଲମ୍ବିତ ସହ ଗିରଫ କରା ହୋଇଛି। କେଶ ରୁଜ୍ଜୁ କରିବାରେ ଅବହେଳା କରିଥିବା ପୋଲିସ ସବ ଇନସିପେକ୍ଟରଙ୍କୁ ନିଲମ୍ବନ କରାଯାଇଛି। ଏହାପରେ ବି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । କ୍ରାଇମବ୍ରାଞ୍ଚ୍ ତଦନ୍ତ ଆରମ୍ଭ କରିଛି । ଏସବୁ ପରେ ବିରୋଧୀଙ୍କ ଦାବୀ କଣ? ରାଜ୍ୟର କେଉଁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ବିରୋଧୀ ଦଳ ସାଧାରଣ ଲୋକଙ୍କୁ ହଇରାଣ କରିବାକୁ ଉଦ୍ୟମ କରୁଛନ୍ତି। ତେବେ କଂଗ୍ରେସ ର ଓଡିଶା ବନ୍ଦ କାହା ସ୍ବାର୍ଥ ପାଇଁ ? ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ଘଟଣାକୁ ଚାପିବାରେ ନବୀନ ପ୍ରଥମ

ନାରୀ ନିର୍ଯ୍ୟାତନା ଘଟଣାକୁ ଚାପିବାରେ ନବୀନ ପ୍ରଥମ ତ କୁହାଯିବନି ରେକର୍ଡ ବୋଲି ଧରାଯିବ। ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ସବୁ ଲିପାପୋଛା କରାଯାଇଛି ଅତି ଚତୁରତାର ସହ। ଏବେ ଆସନ୍ତୁ ଦେଖିବା ସମସ୍ତ ଘଟଣାକ୍ରମ। ଝିଅଟି ଗୁହାରି କଲା ବେଳେ କେହି ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହୋଇଥିଲା। ଆଉ ସେତେବେଳେ ବିଜେଡି ଓ କଂଗ୍ରେସ ଦଳର ନେତାମାନେ ତାଙ୍କୁ ତୁଚ୍ଛା ନାଟକବାଜି ବୋଲି  କହିବାକୁ ପଛେଇ ନଥିଲେ। ଏମିତିକି ଅଧ୍ୟାପକ ମହାଶୟଙ୍କ ସପକ୍ଷରେ ଅନେକ ଓକିଲାତି କରିଥିଲେ। ଝିଅଟି ର ଚରିତ୍ର ସଂହାର କରିବାକୁ ପଛେଇ ନଥିଲେ। ତାର ପ୍ରମୁଖ କାରଣ ହେଲା ସେ କାଳେ ଏଭିବିପି ର ସଦସ୍ୟା ଥିଲା। ଏଠାରେ ଅଭିଯୋଗର ବିଷୟଵସ୍ତୁ ସୌମ୍ୟାଶ୍ରୀ ନଥିଲେ। ଥିଲା ଏବିଭିବି। ଏବିଭିବିକୁ ବିରୋଧ କରିବା ଲାଗି ଉଭୟ କଂଗ୍ରେସ ଓ ବିଜେଡି ହାତ ଧୋଇ ସେହି ଘଟଣା ପଛରେ ପଡି ଯାଇଥିଲେ। ଏମିତିକି ନିଆଁ ଲଗେଇବାକୁ କେତେକେ ତାଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ହେଉଛି। ଅର୍ଥାତ ଗୋଟେ ରାଜନୈତିକ ଅଭିସନ୍ଧି ରଖି ପୂର୍ବ ଯୋଜନା ଜରିଆରେ ବିରୋଧୀ ଏହାକୁ ଭିଆଇଛନ୍ତି  ଏବଂ କ୍ରାଇମବ୍ରାଞ୍ଚ ଏଦିଗରେ ତଦନ୍ତରେ ସମସ୍ତ ତଥ୍ୟ ଉନ୍ମୋଚନ ହୋଇପାରିବ ବୋଲି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇଛି। ଅନ୍ୟ ଏକ ସାଙ୍ଘାତିକ କଥା ହେଲା ଅଧ୍ୟାପକ ମହାଶୟ ମୁଖ୍ୟ ବିରୋଧୀ ଦଳ ବିଜେଡିର ଜଣେ  ନେତାଙ୍କ ଅତି ବିଶ୍ଵସ୍ତ ତଥା ସମ୍ପର୍କୀୟ ବୋଲି ଚର୍ଚ୍ଚା ହେଉଛି। ଅତୀତରେ ଏହି  ଲୁଙ୍ଗୁରାମି ପାଇଁ ବିବିଧ ଛେଚା ଖାଇଥିଲେ  ଅଧ୍ୟାପକ ଜଣକ । ଇଜ୍ଜତ ବଞ୍ଚେଇବା ପାଇଁ ସେତେବେଳେ ବିଜେଡି ସରକାର ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କୁ କାଳେ ବାଲେଶ୍ୱର ବଦଳି କରି ଥଇଥାନ କରିଥିଲେ। ପରେ ବିଭାଗୀୟ ମୁଖ୍ୟ ପଦବୀଙ୍କୁ ମଧ୍ୟ ମାଡି ବସିବା ଲାଗି ସମସ୍ତ ଯୋଜନାରେ ସକ୍ଷମ ହୋଇଥିଲେ। ସବୁ ଘଟଣାକୁ ସୁଚିନ୍ତିତ ଉପାୟରେ ଲିପାପୋଛା ମଧ୍ୟ କରାଯାଇଛି। ଏବେ ମଧ୍ୟ ଘଟଣାକୁ ରଫାଦଫା କରିବାକୁ ବିଜେଡିର ଏଇ ତଥାକଥିତ ନେତା ଓ ତାଙ୍କ ଦଳ ସମସ୍ତ ଉଦ୍ୟମ କରିଥିଲେ ବୋଲି ବିଭିନ୍ନ ସ୍ତରରେ ଅଭିଯୋଗ ହେଉଛି। ତେବେ ମୁଖ୍ୟ ବିଜେଡି ରାଜଧାନୀରେ ଗୁଣ୍ଡାଗର୍ଦ୍ଦି ଭଳି ବ୍ୟାରିକେଟ ଭାଙ୍ଗି ଭିତରକୁ ପଶିବାକୁ ଯେଉଁ ଉଦ୍ୟମ କରିଥିଲା ସେଥିପାଇଁ ଦଳ ପ୍ରଥମେ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ସବୁବେଳେ ଶାନ୍ତି ଓ ସମଦୂରତାରେ ବିଶ୍ୱାସ ରଖିଆସୁଛି ବୋଲି କହୁଥିବା ଦଳ ଏତେ ହିଂସାତ୍ମକ ହେଲେ କେମିତି? ନବୀନବାବୁ ତେବେ ହିଂସାକୁ ପ୍ରଶୟ ଦେଉଛନ୍ତି ବୋଲି ଧରି ନେବାକୁ ହେଵ ବୋଲି ବିଜେପି ଅଭିଯୋଗ କରିଛି। 

ଫଳଘର ଶୂନ

ତଳ ଦିନରେ ରାଜ୍ୟରେ ବେବିନା, ପରୀ, ଇତିଶ୍ରୀ, ମମିତା ଭଳି ଅନେକ ଘଟଣାରେ ବିଜେପିର ବିକ୍ଷୋଭକୁ ହିଂସାତ୍ମକ ବୋଲି ଦର୍ଶାଉଥିଲେ। ତେବେ କଥା ହେଉଛି ବିଜେଡି ସତରେ ଯଦି ଓଡ଼ିଶାର ବଳ ତେବେ ଦଳ ପକ୍ଷରୁ ପ୍ରଥମେ ଅନେକ ଝିଅଙ୍କ ଅକାଳ ମୃତ୍ୟୁ ପାଇଁ ଅଧିକ ଦାୟୀ ମନେ ହେଉଥିବା ତଥାକଥିତ ବିଜେଡ଼ି ନେତାଙ୍କୁ ଦଳରୁ  ବରଖାସ୍ତ କରିବେ କି? ଏହାଛଡା ଅଧ୍ୟାପକଙ୍କ ଅତୀତର ସମସ୍ତ ଘଟଣାକୁ ପୁନଃ ତଦନ୍ତ କରାଯାଇ ତାଙ୍କ ବିରୋଧରେ ହୋଇ ନଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଜଡିତ ସମସ୍ତଙ୍କ ବିରୋଧରେ ତ୍ୱରିତ ପଦକ୍ଷେପ ନେବାକୁ ଦାବୀ କରିବାର ସାହସ ରଖିବେ କି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଥିସହ ଗତ 28ବର୍ଷ ଶାସନ ଭିତରେ ଘଟିଥିବା ନାରୀ ନିର୍ଯ୍ୟାତନାର ତଦନ୍ତ ନିଷ୍କର୍ଷକୁ ଦଳ ପକ୍ଷରୁ ସାର୍ବଜନୀନ କରିପାରିବେ କି? ଏସବୁ କରିବାର ସାହସ ବିଜେଡି ନିଜ ଶାସନ କାଳରେ ଦେଖାଇପାରିନି। କାରଣ ପ୍ରାୟତଃ ସବୁ ଘଟଣାରେ ନିଜର ଦଳର ନେତା ଓ କର୍ମୀମାନେ ସମ୍ପୃକ୍ତ ରହିଥିବାରୁ ଦଳୀୟ ଭାବମୂର୍ତ୍ତି ପାଇଁ ନିରୀହ ଝିଅଙ୍କ ପରିବାରକୁ ନ୍ୟାୟ ଦେଇପାରିନି ବିଜେଡି ସରକାର। ବରଂ ସୁକଳ୍ପିତ ଭାବେ ଚାପିବାକୁ ଉଦ୍ୟମ କରି ଆସିଛି। ବ୍ୟାପକ ଦୁର୍ନୀତି, ଅରାଜକତା ପାଇଁ ଏବେ ଧୀରେ ଧୀରେ ରାଜ୍ୟରେ ରାଜନୈତିକ ଅସ୍ତିତ୍ବ ହରାଉଥିବା ଏବଂ ଦଳ ଭିତରେ ଭୀଷଣ ଅନ୍ତର୍ଦ୍ୱନ୍ଦ୍ୱକୁ ସଜାଡିବାକୁ ସୌମ୍ୟାଶ୍ରୀ ଘଟଣାରେ ରଙ୍ଗ ଦେବାର ଅପଚେଷ୍ଟା କରୁଛି ବିଜେଡି।

ବିଜେଡିକୁ ପଛ କରି କଂଗ୍ରେସ ଆଗେଇବାକୁ ଚେଷ୍ଟା

 ବିଜେଡିର ଲିଭି ଆସୁଥିବା ରାଜନୈତିକ ସ୍ଥିତିରୁ କଂଗ୍ରେସ ଫାଇଦା ଉଠାଇବାକୁ ଉଦ୍ୟମ କରି ନିଜକୁ ମୁଖ୍ୟ ବିରୋଧୀ ଦଳ ବୋଲି ଲୋକଙ୍କୁ ଜଣେଇବାକୁ ଉଦ୍ୟମ କରୁଛି। ସେଥିପାଇଁ ଛୋଟ ବଡ଼ ସବୁ ଘଟଣାରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲେଇବାକୁ ଚେଷ୍ଟା କରି ରାଜ୍ୟରେ ଅସ୍ତିତ୍ୱ ଜାହିର କରିବାକୁ ଚାହୁଁଛି। ଭକ୍ତ ଦାସ କଂଗ୍ରେସର ରାଜ୍ୟ ମୁଖିଆ ହେବା ପରେ ଦଳକୁ  ବଳ ଦେବାକୁ ପ୍ରୟାସ ଚଳାଇଛନ୍ତି । ଦଳ ର ନେତାଙ୍କୁ ଏକାଠି କରି ବଳ ଗୋଟାଉଛି କଂଗ୍ରେସ ଦଳ । କଂଗ୍ରେସର ଅତୀତର କଳଙ୍କିତ ରାଜନୈତିକ ଇତିହାସକୁ ଲୋକେ ଭୁଲି ନାହାନ୍ତି । ସେସବୁକୁ ଭଲ ଭାବେ ଜାଣିଛନ୍ତି। ସେଥିପାଇଁ ଓଡିଶା ବନ୍ଦ ଡାକରା ବେଳେ ଲୋକେ ସିଧାସଳଖ କଂଗ୍ରେସ ବିକ୍ଷୋଭକାରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଲୋକଙ୍କ ପ୍ରଶ୍ନରେ ହଡ଼ ବଡେଇ ଯାଇଥିଲେ ନେତା। ବନ୍ଦ କରି କଣ ସାବ୍ୟସ୍ତ କରିବାକୁ ଚାହିଁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। କଂଗ୍ରେସର ବନ୍ଦ ଡାକରାର ମିଶ୍ର ପ୍ରଭାବ ପଡିଥିଲା। ବନ୍ଦ ଡାକରା ପରେ ବି ଲୋକେ ଘରୁ ବାହାରିଥିଲେ। ଧନ ସମ୍ପତ୍ତି ହାନି ଭୟରେ ସକାଳ ସମୟରେ ଦୋକାନ ବନ୍ଦ ରଖିବାକୁ ଉଚିତ ମଣିଥିଲେ ବ୍ୟବସାୟୀ। କିନ୍ତୁ ମଧ୍ୟାହ୍ନ ପରେ ଯାତାୟତ ସହ ବଜାର ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ବର୍ତ୍ତମାନ୍ ସମୟରେ ଲୋକେ ବନ୍ଦକୁ ଗ୍ରହଣ କରୁ ନାହାଁନ୍ତି। ଆଗାମୀ ଦିନରେ ମଧ୍ୟ ଜନସାଧାରଣ ଓଡିଶା ବନ୍ଦକୁ ସମର୍ଥନ କରିବେନି। 

ବିଶେଷକରି ନୂଆ ସରକାର ଆସି ଏକ ବର୍ଷ ହୋଇଛି ।ଜଣେ ସରଳ ଆଦିବାସୀ ନେତା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଦିବାସୀ ଙ୍କ ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥୁବା ବିଜେଡ଼ି ଓ କଂଗ୍ରେସ ଦଳ  ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଉଚିତ୍ ପରାମର୍ଶ ଦେଇ ସରକାରକୁ ଅଧିକ ପ୍ରଭାବୀ କରିବା ଆବଶ୍ୟକ। ତାହା ନକରି ଜଣେ ଶାସନ ଚଳାଇବାରେ  ନବାଗତ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ  ହଠାତ୍ ସକ୍ରିୟତା ଦେଖାଇଥିବା ବିରୋଧି ଦଳ ଗୁଡ଼ିକର ଭୂମିକାକୁ ଆଦିବାସୀ ଓ ସାଧାରଣ ଲୋକେ ସହଜରେ ଗ୍ରହଣ କରୁ ନାହାନ୍ତି ।

ବିରୋଧୀ ଦଳ ସ୍ଥିତି ପାଇଁ ସଂଗ୍ରାମ

ସରକାରଙ୍କ ବିଫଳତା ସାମନାକୁ ଆଣିବା ପାଇଁ ମୁଖ୍ୟ ବିରୋଧୀଦଳ ଭିତରେ ପ୍ରତିଯୋଗିତାକୁ ନେଇ ସାଧାରଣ ଭୋଟର ନିକଟରେ ରୋଚକ ବିଷୟ ପାଲଟିଛି। ସଂଖ୍ୟା ଥାଇ ବିରୋଧୀ ଦଳ ବିଜେଡି ମୁଖ୍ୟ ବିରୋଧୀ ଦଳ । ହେଲେ ଗତ ବର୍ଷକ ଭିତରେ ଲୋକଙ୍କ ଭିତରେ ଆତ୍ମପ୍ରତ୍ୟୟ ଜାଗ୍ରତ କରିପାରି ନାହିଁ ଦଳ। କଂଗ୍ରେସ ସଂଖ୍ୟା ନଥାଇ ବିକଳ୍ପ ବିରୋଧୀ ବୋଲି ଓଡିଶାବାସୀଙ୍କୁ ବିଶ୍ୱାସ ଜନ୍ମାଇବାକୁ ଉଦ୍ୟମ କରୁଛି। ଆଉ ସୌମ୍ୟାଶ୍ରୀ ଘଟଣାରେ ଦୁହେଁ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ହେଲେ ଲୋକଙ୍କ ମାନସିକତାକୁ ପରଖି ପଦକ୍ଷେପ ଗ୍ରହଣ କଲେ ଲୋକେ ଗ୍ରହଣ କରିବେ । ଲୋକଙ୍କୁ ନାରାଜ କରି  ପ୍ରସଙ୍ଗ କରିବାକୁ ଉଦ୍ୟମ କଲେ। ଲୋକେ ଗ୍ରହଣ କରିବେ ନାହିଁ । ସ୍ଥିତିର ପତନ ଘଟିବା ସମ୍ଭାବନା ରହିଛି ।

ଲୋକଙ୍କ ଚର୍ଚ୍ଚା :  ଚାପୁଥିଲେ ଆଗ ସରକାର, ଜେଲକୁ ଭିଡୁଛନ୍ତି ଏବେ ମୋହନ ସରକାର 

ବିଗତ ସରକାର ସମୟରେ ସବୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି। ଏମିତି ନାହିଁ ଯେ ଓଡ଼ିଶାରେ ଏବେ ହିଁ ଘଟଣା ଘଟୁଛି। ଘଟଣା ଘଟିଲେ ରଫାଦଫା କରିବା ନେଇ ପୋଲିସ ପ୍ରଶାସନକୁ ଲଗାଉଥିଲା ସରକାର। ସାକ୍ଷୀ ମାନଙ୍କୁ ପାଟି ଚୁପ କରାଯାଉଥିଲା। ଫଳରେ କ୍ଷମତାର ଆକ୍ରୋଶରେ ଲୋକେ ଓ ପୀଡିତା ତଥା ପୀଡିତାର ପରିବାର ପାଟି ଚୁପ କରିବାକୁ ବାଧ୍ୟ ହେଉଥିଲେ। ଏବେ ସରକାର ବଦଳିଛି। ଲୋକଙ୍କ ସରକାର ଆସିଛି। ତ୍ୱରିତ ନ୍ୟାୟ ବ୍ୟବସ୍ଥା କରାଯାଇଛି। ଏକ୍ସନ ମୁଡ଼ରେ ସରକାର। ଦୋଷୀ ଯିଏ ଥଉନା କାହିଁକି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରାଯାଉଛି।  ଏମିତିକି ବିଜେପି ନେତାଙ୍କୁ ବି ମୋହନ ମାଝୀ ଛାଡୁ ନାହାଁନ୍ତି। ଏସବୁ କଥା ଆମେ କହୁନୁ। ରାସ୍ତା ବଜାର ଚାହା ଖଟିରେ ଆଲୋଚନା ହେଉଛି। ମୋହନ ସରକାରଙ୍କ ଏହି ପଦକ୍ଷେପକୁ ଲୋକେ ଭୂୟଶୀ ପ୍ରଶଂସା କରୁଛନ୍ତି।  ନାରୀ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଥିବା ନେତାମାନେ ରାସ୍ତାରେ ତୁଛା ହାଙ୍ଗାମା କରୁଛନ୍ତି ବୋଲି ଆଲୋଚନା ହେଉଛି। ଅପରପକ୍ଷେ ଲୋକଙ୍କ ଅନୁକମ୍ପା ବଢି ଚାଲିଛି। ବିରୋଧୀଙ୍କ ଆକ୍ରମଣାତ୍ମକ ଭାବ ମୋହନଙ୍କ ପାଇଁ କ୍ରମଶଃ ରାଜନୈତିକ ସଫଳତା ମିଳୁଛି।ସରକାର ଅପେକ୍ଷା ଜଣେ ଆଦିବାସୀ  ମୂଖ୍ୟମନ୍ତ୍ରୀକୁ ନିନ୍ଦିତ ଓ ବଦନାମ କରିବାକୁ କଂଗ୍ରେସ୍ ଓ ବିଜେଡ଼ି ଦଳ ଉଦ୍ୟମ କରୁଛନ୍ତି ବୋଲି ଗାଁ ଗାଁ ରେ ଚା ଦୋକାନ, ପାନ ଦୋକାନ , ଖଟି ଗୁଡିକରେ ଚର୍ଚା ହେଉଥିବା ଦେଖିବାକୁ ମିଳୁଛି । ଅଘଟଣ ଗୁଡ଼ିକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠାକୁ ନେଇ ଲୋକେ ଚର୍ଚା କରୁଛନ୍ତି ।

Spread the love