କୋମାରେ ବିଜେଡି, ବିଜେପିକୁ ଲୋଡା ଥେରାପି, ଅସୁସ୍ଥ ମୁଦ୍ରାରେ କଂଗ୍ରେସ

ଜିଲ୍ଲାର ବିକାଶ ପାଇଁ ସର୍ବଦଳୀୟ ଉଦ୍ୟମ ପ୍ରୟୋଜନ

ରାୟଗଡା ( ପ୍ରତିଫଳନ ମିଡ଼ିଆ)

ନିର୍ବାଚନ ବର୍ଷେ ପୂର୍ଣ୍ଣ ହୋଇଛି। ଗତ ନିର୍ବାଚନ ରେ ଜିଲ୍ଲାର ସମସ୍ତ ତିନୋଟି ଆସନରେ କଂଗ୍ରେସ ବିଜୟ ଲାଭ କରିଛି। ବିଜେଡି ପୂର୍ବରୁ ନିଜ ପାଖରେ ଥିବା ଦୁଇଟି ଆସନକୁ ହରେଇଛି। ବିଜେପିର ଲାଭ ନାହିଁ କି କ୍ଷତି ନାହିଁ। ଜିଲ୍ଲାରେ ବିଜେପିର ଉପସ୍ଥିତି ପ୍ରଭାବ ଶୂନ ରହିଛି । ତଥାପି ରାଜ୍ୟରେ ବିଜେପି କ୍ଷମତାକୁ ଫେରିବା ପରେ ସରକାରଙ୍କ ପ୍ରଭାବରେ ବିଜେପି ଦଳକୁ କିଛିଟା ବଳ ମିଳିଛି। କିନ୍ତୁ ଗତ ଏକ ବର୍ଷର ରାଜନୈତିକ କାର୍ଯ୍ୟକଳାପକୁ ଦେଖିଲେ ମୋଟାମୋଟି ଭାବେ ବିଜେପି,ବିଜେଡ଼ି, କଂଗ୍ରେସ ଏହି ତିନି ଦଳର ଜିଲ୍ଲା ନେତୃବୃନ୍ଦ ସ୍ଥାନୀୟ ସମସ୍ୟା ସମାଧାନରେ ଆଶାନୁରୂପକ ପ୍ରଦର୍ଶନ କରି ପାରି ନାହାନ୍ତି। କିନ୍ତୁ ପ୍ରଧାନ ମନ୍ତ୍ରୀ ମୋଦୀ ତଥା କେନ୍ଦ୍ର ସରକାରଂକ ଦ୍ୱାରା ରାୟଗଡ଼ା ଜିଲ୍ଲାକୁ ମିଳିଛି ରେଳ ବିଭାଗର ବଡ ପ୍ରକଳ୍ପ । ଏହି ପ୍ରକଳ୍ପ ଗୁଡ଼ିକ ଦ୍ଵାରା ଦୀର୍ଘ ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାର ବିକାଶର ଭାଗ୍ୟ ବଦଳି ଯିବ ।

ବିଜେପିରେ କର୍ମୀ କମ୍ କନ୍ଦଳ ବେଶୀ, ବିଜେଡ଼ିରେ କର୍ମୀ ପ୍ରବଳ ଦଳ ଦି ଫାଳ, କଂଗ୍ରେସରେ କର୍ମୀ ଅଲୋଡ଼ା, କ୍ଷମତାରେ ଖୁସ ନେତା

ମୋଦୀ ସରକାରଙ୍କ ଦ୍ୱାରା ରାୟଗଡା ରେଳ ଡିଭିଜନ ପାଇବା, ଗୁଣୁପୁର- ଥେରୁବାଲି ଏବଂ ଗୋପାଳପୁର-ଥେରୁବାଲି ରେଳ ଲାଇନ ନିର୍ମାଣ ଲାଗି ଘୋଷଣା , ଗୁଣୁପୁର – ନୌପଡ଼ା ରେଳ ପଥକୁ ଦୋହରି କରଣ କରିବା ଘୋଷଣା ଜିଲ୍ଲାବାସୀ ପାଇଁ ବଡ଼ ଉପଲବ୍ଧି। କେନ୍ଦ୍ର ବିଜେପି ସରକାରଙ୍କୁ ଏହାର ଶ୍ରେୟ ନିଶ୍ଚିତ ଯିବା ଉଚିତ। ସାଂସଦ କିନ୍ତୁ ନିଜ ରିପୋର୍ଟ କାର୍ଡ଼ରେ ଏସବୁ ତାଙ୍କ ସଫଳ ଉଦ୍ୟମର ଫଳଶ୍ରୁତି ବୋଲି ଦର୍ଶାଇଛନ୍ତି। ଏବେ ବି ରାୟଗଡା ଜିଲ୍ଲା ବହୁ ସମସ୍ୟାରେ ଜୁଝୁଛି। ରାୟଗଡ଼ା ଜିଲ୍ଲାକୁ ଏକ ଶିଳ୍ପ ଅଗ୍ରଣୀ ଜିଲ୍ଲା ବୋଲି କୁହାଯାଉଛି ।ହେଲେ ସବୁ ସମ୍ଭାବନା ଥାଇ ପଡୋଶୀ ଜିଲ୍ଲାମାନଙ୍କ ତୁଳନାରେ ବିଭିନ୍ନ ସୁବିଧା ସୁଯୋଗ ଦୃଷ୍ଟିରୁ ବହୁ ପଛରେ ରହିଛି ରାୟଗଡ଼ା ଜିଲ୍ଲା। ଏଥିପାଇଁ ପ୍ରଶାସନିକ ନିଷ୍କ୍ରିୟତା ଓ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଜଳ ଜଳ ପରିଦୃଶ୍ୟ ହେଉଛି। ତଥାପି ତିନି ପ୍ରମୁଖ ଦଳ ଭିତରେ ଆତ୍ମ ଚେତନା ଜାଗ୍ରତ ହୋଇ ପାରି ନଥିବା ଲୋକ ଅନୁଭବ କରୁଛନ୍ତି।

ଏବେ ଦେଖିବା ଜିଲ୍ଲାରେ ଗତ ଏକ ବର୍ଷ ଭିତରେ ଦଳୀୟ ସ୍ଥିତି।

ନିର୍ବାଚନ ପୂର୍ବରୁ ବିଜେଡିର ଯେଉଁ ସ୍ଥିତି ସେଥିରେ ସାମାନ୍ୟ ତମ ପରିବର୍ତ୍ତନ ଦେଖିବାକୁ ମିଳିନି। ବରଂ କିଛି କର୍ମୀ ଅନ୍ୟ ଦଳକୁ ଚାଲି ଯାଇଛନ୍ତି । ନିକଟରେ ସାଙ୍ଗଠନିକ ବୈଠକବେଳେ ଜିଲ୍ଲା ନେତୃବୃନ୍ଦ ପ୍ରତି କର୍ମୀ ଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବିଜେଡି ବହୁ ଗୋଷ୍ଠୀ ରେ ବିଭକ୍ତ। ବିରୋଧୀ ଦଳ ଭୂମିକା ନିର୍ବାହ କରିବାରେ ଗତ ଏକ ବର୍ଷ ଧରି ବିଫଳ ପ୍ରମାଣିତ ହୋଇଛନ୍ତି। ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ଦଳର ପ୍ରତିଷ୍ଠା ଦିବସରେ ସୀମିତ ରହିଛି ବିଜେଡ଼ି। ଏହା ବ୍ୟତୀତ ଆଉ କିଛି ପ୍ରସଙ୍ଗରେ କର୍ମୀ ମାନେ ଏକତ୍ର ହୋଇଥିବା ଦେଖିବାକୁ ମିଳିନି। ତାହା ବି ଭିନ୍ନ ଭିନ୍ନ ନେତା ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜନ କରି ଦଳ ବିଭାଜିତ ଥିବା କଥାକୁ ପ୍ରମାଣିତ କରିଛନ୍ତି। ଦେଖିବାକୁ ଗଲେ ଗତ ଏକବର୍ଷ ଭିତରେ ବିଜେଡି ଏକ ପ୍ରକାର କୋମା ସ୍ଥିତିକୁ ଚାଲି ଆସିଛି ରାୟଗଡା ଜିଲ୍ଲାରେ।

ବିଜେଡିର ଗୋଷ୍ଠୀ କନ୍ଦଳରେ ବିରୋଧୀ ଖୁସ। ବିଶେଷକରି କଂଗ୍ରେସ ବହୁତ ଖୁସି। ତିନୋଟି ବିଧାୟକଙ୍କୁ ବିଜେଡି ନିକଟରୁ ଛଡେଇ ନେଇ ଥିବା କଂଗ୍ରେସ ଚାହୁଁଛି ରାୟଗଡାରେ ବିଜେଡି ଭିତରେ ଏମିତି ଗୋଷ୍ଠୀ କନ୍ଦଳ ଲାଗି ରହୁ। ଆଗାମୀ ପଞ୍ଚାୟତ ନିର୍ବାଚନ ବି ପୋଛି ନେବୁ। ରାଜ୍ୟରେ ବିଜେପି କ୍ଷମତାସୀନ ଥିଲେ ମଧ୍ୟ ରାୟଗଡାରେ ବିଜେପି ସଂଗଠନ ସୁଦୃଢ ନାହିଁ। ଆଜି ସୁଧା ଦଳରେ ପ୍ରଭାବୀ କର୍ମୀ ନାହାଁନ୍ତି। ବିଜେଡ଼ି ଓ କଂଗ୍ରେସ ଭଳି ଦୁଇ ଦଳକୁ ଟକ୍କର ଦେଇ ନିର୍ବାଚନରେ ବାଜିମାତ କରିବା ସ୍ଥିତିରେ ଏ ଯାଏଁ ବିଜେପି ସକ୍ଷମ ଥିଲା ଭଳି ଅନୁଭବ ହୋଇପାରୁନି। କ୍ଷମତା ପାଇଁ ଦଳ ଭିତରେ ପ୍ରବଳ ଶୀତଳ ଯୁଦ୍ଧ ଚାଲିଛି। କର୍ମୀ କମ କନ୍ଦଳ ବେଶୀ। ତୃଣ ମୂଳ ସ୍ତରରେ ବହୁ ଗୋଷ୍ଠୀ। କିଏ କାହା କଥା ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ରାଜ୍ୟ ନେତୃବୃନ୍ଦ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସତ କିନ୍ତୁ କର୍ମୀଙ୍କ ମନକୁ ଜିଣିବାରେ ସକ୍ଷମ ହୋଇ ପାରୁ ନାହାଁନ୍ତି। ଜିଲ୍ଲା ସଂଗଠନ ସହ ଯେଉଁଠି ଜିଲ୍ଲା ପ୍ରଶାସନର ବାଦ ବିବାଦ ସେଠି ସଫଳ କାର୍ଯ୍ୟ ହାସଲ କରିବା ସମ୍ଭବ ନୁହଁ ବୋଲି ସାଧାରଣରେ ପ୍ରତ୍ୟୟ ସୃଷ୍ଟି ହେଲାଣି। ଏକଥାକୁ ରାଜ୍ୟ ନେତୃବୃନ୍ଦ ବୁଝି ନ ବୁଝିଲା ଭଳି ରହୁଥିବାରୁ ବିଜେପି ଜିଲ୍ଲା ସଙ୍ଗଠନ ବି ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରି ପାରୁ ନାହାଁନ୍ତି। ଏଣେ ବିଜେପି କର୍ମୀ ମହଲରେ ହତାଶାର ଚିତ୍ର ଦେଖା ଗଲାଣି। ନିର୍ବାଚନ ପରର ମାନସିକ ଦୃଢ଼ତା ସେତେ ନାହିଁ। ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଫଳ ଭୋଗିପାରେ ବିଜେପି। ଯେମିତି ଲାଗୁଛି ବିଜେପିକୁ ସକ୍ରିୟ ହେବା ପାଇଁ ଏବେ ବି ଥେରାପି ଲୋଡୁଛି।

ଏଣେ ନିର୍ବାଚନ ଜିତି ମଧ୍ୟ କଂଗ୍ରେସ ବିଧାୟକମାନେ ଜିଲ୍ଲାର ହିତ ପାଇଁ ଗତ ଏକ ବର୍ଷରେ ସେଭଳି ପ୍ରଭାବି କାର୍ଯ୍ୟ କରି ପାରି ନାହାଁନ୍ତି। ବିରୋଧୀ ଭୂମିକା କୁ ବି ସଠିକ ଭାବରେ ତୁଲାଇ ପାରି ନାହାଁନ୍ତି ସତ। କିନ୍ତୁ ଜିଲ୍ଲାରେ ସେମାନେ ବିଜୟ ତିଳକ ଲଗେଇ ଥିବାରୁ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ରହିଛି। ଉଭୟ ବିଧାୟକ ଓ ସାଂସଦ କଂଗ୍ରେସର ଥିବାରୁ ଆଗାମୀ ପଂଚାୟତ ନିର୍ବାଚନରେ ବି ଭଲ ଫଳାଫଳ କରିବାକୁ ଆଶା ବାନ୍ଧିଛନ୍ତି। କଂଗ୍ରେସ ମହିଳା ନିର୍ଯ୍ୟାତନା ବୃଦ୍ଧି, କମ୍ପାନୀ କୁ ଖଣି ପ୍ରଦାନ ନେଇ ରାଲି ବ୍ୟତୀତ ଜିଲ୍ଲାର ସମସ୍ୟାକୁ ନେଇ ସେଭଳି ଆଖି ଦୃଶିଆ ଆନ୍ଦୋଳନ କରି ପାରିନି। ତିନି ନୂଆ ବିଧାୟକଙ୍କ ବିରୋଧୀ ଦଳର ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିନି। ଯେଉଁ ଆଶା ଓ ବିଶ୍ୱାସ ନେଇ କଂଗ୍ରେସକୁ ଲୋକେ ଜିତେଇଥିଲେ ସେହି ବିଶ୍ୱାସ ଓ ଭରସାକୁ ଅତୁଟ ରଖିବାରେ ସମର୍ଥ ହୋଇପାରି ନାହାଁନ୍ତି ବୋଲି ଜିଲ୍ଲାର ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି। ଯେମିତି ଅସୁସ୍ଥ ହୋଇ କଂଗ୍ରେସ ଶୋଇ ଥିବା ଅନୁଭବ କରୁଛନ୍ତି ଜିଲ୍ଲାବାସୀ।

ଜିଲ୍ଲାରେ ସମସ୍ୟା ପ୍ରବଳ। ଏହାର ସମାଧାନ କରିବା  କ୍ଷମତାରେ ଥିବା ବିଜେପିର ଯେତିକି ଦାୟିତ୍ୱ ନିର୍ବାଚନ ଜିତିଥିବା କଂଗ୍ରେସର ସେତିକି ଦାୟିତ୍ୱ। ଆଉ ଏଇ ଦୁଇ ଦଳକୁ ଚେତେଇବା ଲାଗି ପ୍ରମୁଖ ବିରୋଧୀ ବିଜେଡିର ପ୍ରମୁଖ ଗୁରୁ ଦାୟିତ୍ବ ରହିଛି। ଏମିତିକି ଜିଲ୍ଲା ସ୍ଵାର୍ଥ ପାଇଁ ଆବଶ୍ୟକ ସ୍ଥଳେ ସର୍ବଦଳୀୟ ଉଦ୍ୟମ ରହିବା ଜରୁରୀ। ଗତ ବର୍ଷ ଭିତରେ ଏହା ଦେଖିବାକୁ ମିଳିନି। ଆଗାମୀ ଦିନରେ ତିନି ଦଳ ଠାରୁ ଜିଲ୍ଲାବାସୀ ଅନେକ ଆଶା ରଖିଛନ୍ତି। ସେମାନେ ଆଗକୁ ସୁଧୁରିବେ ନା ଯଥା ପୂର୍ବମ ତଥା ପରମ ସ୍ଥିତିରେ ରହିବେ ତାହା ଆଗାମୀ ସମୟ ଉତ୍ତର ଦେବ।

Spread the love