ସହସ୍ର ଶିବ ଲିଙ୍ଗର ପୀଠ କୁଟୁଣିପଦରରୁ ଶୁଭାରମ୍ଭ ହେବ ପରଵ🔹ପ୍ରତି ପଂଚାୟତରେ ଆୟୋଜିତ ହେବ ପରଵ🔹ପରଵ ଷ୍ଟଲରେ ପ୍ରଦର୍ଶିତ ହେବ ଦ୍ରବ୍ୟ ଉତ୍ପାଦନର ଲାଇଭ ଡେମୋ

ଡିସେମ୍ବର 18 ତାରିଖରୁ 22 ତାରିଖରୁ ହେବ ମୁଖ୍ୟ ପରବ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ପରବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ନଭେମ୍ବର ମାସ ୧୨ ତାରିଖରେ କୁଟୁଣି ପଦରରୁ ଶୁଭାରମ୍ଭ ହେବ ପରବ। ମୁଖ୍ୟ ପରଵ ଡିସେମ୍ବର 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ କୋରାପୁଟ ସ୍ଥିତ ପରଵ ପଡିଆ ରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରଵ ରେ ସାମିଲ କରିବା ପାଇଁ ଚଳିତ ବର୍ଷ ପଂଚାୟତ ସ୍ତରରେ ପରଵ ପାଳନ ଆୟୋଜନ କରାଯିବ। ପରଵ ଷ୍ଟଲ ଗୁଡିକରେ ପ୍ରଦର୍ଶିତ ହେବ କୋରାପୁଟ ଜିଲ୍ଲାରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନର ଲାଇଭ ଡେମୋ।

ଚଳିତ ବର୍ଷ ପରବ ଉତ୍ସବରେ – ପ୍ରସିଦ୍ଧ କୋଟପାଡ଼ ଲୁଗା ବୟନ, ଝାଡୁ ପ୍ରସ୍ତୁତି, କପି ପ୍ରସ୍ତୁତି, ଲିମନ ଗ୍ରାସ ତୈଳ ଉତ୍ପାଦନ, ମାଣ୍ଡିଆ ରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତି କରାଯିବ। ଦ୍ରବ୍ୟ ଗୁଡିକର କିପରି ଉତ୍ପାଦନ କରାଯାଉଛି ସେସବୁକୁ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯିବ। ଏଭଳି କୌଶଳ ପ୍ରୟୋଗ କରି କୋରାପୁଟ ଜିଲ୍ଲାର ଉତ୍ପାଦିତ ବସ୍ତ୍ର ଓ ଦ୍ରବ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଅଧିକ ଆଗ୍ରହ ସୃଷ୍ଟି କରିବା ଲକ୍ଷ ରହିଁଛି ବୋଲି ପ୍ରଶାସନ କହିଛି।

ନଭେମ୍ବର 12 ତାରିଖରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କୁଟୁଣି ପଦର ରୁ ଶୁଭାରମ୍ଭ ହେବ। ପଂଚାୟତ ସ୍ତରରେ ନଭେମ୍ବର 13 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ନଭେମ୍ବର 24 ତାରିଖରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ବ୍ଳକ ସ୍ତରରେ ପାଳନ କରାଯିବ। ସଦଭାବନା ସଭାଗୃହ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା କରିଥିଲେ। ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଜିଲ୍ଲା ଯୋଜନା ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ପରଵ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ ଓ ପରିଚାଳନା କରିଥିଲେ। ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଆଇଏଏସ ପ୍ରୋବେସନାରୀ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଏସପି ରୋହିତ ବର୍ମା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦନ ଦଳେଇ, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ,କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି ଙ୍କ ସମେତ ଅଧିକାରୀ ମାନେ ଉପସ୍ଥିତି ରହି ସୁ ଚିନ୍ତିତ ମତ ରଖିଥିଲେ।

କୁଟୁଣିପଦରର ଐତୀହ –
ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡା ନିକଟରେ ଅବସ୍ଥିତ।
ରାୟଗଡ ରୁ କୋରାପୁଟ ଯିବାବେଳେ 326 ନମ୍ବର ଜାତୀୟ ରାଜପଥର କୁସୁମୁ ଗୁଡା ଗ୍ରାମ ପୂର୍ବରୁ ଡାହାଣ ପଟ ଓ କୋରାପୁଟ ରୁ ରାୟଗଡା ଯିବାବେଳେ କୁସୁମୁ ଗୁଡା ଗ୍ରାମ ପାରି ହେବା ପରେ ଵାମ ପଟକୁ ପ୍ରାୟ 4 କିମି ଦୂରରେ ରହିଁଛି କୁଟୁଣୀ ପଦର। ପାହାଡ଼ର ଗୁମ୍ଫା ମଧ୍ୟରେ ରହିଛି ବିରାଟକାୟ ଶିବ ଲିଙ୍ଗ। ଶିବ ଲିଙ୍ଗର ଚାରିପଟେ ରହିଛି ଅନେକ ଶିବ ଲିଙ୍ଗ। ତା ସହିତ ବିରାଜ ମାନ ହୋଇଛନ୍ତି ବିରଳ ଅନନ୍ତ ଶୟନ ମୁଦ୍ରାରେ ଜଗନ୍ନାଥ, ଦୁର୍ଗା ଭଳି ଅନେକ ଦେବଦେବୀ। ଏଥି ସହିତ ପାହାଡ଼ ଶିଖରକୁ ଗଲେ ଦେଖିବେ ଏକତ୍ର କଳଙ୍କି ଲାଗି ରହିଥିବା ଅନେକ ଖଣ୍ଡା। କୁହାଯାଏ ଜୟପୁର ରାଜା ଙ୍କ ସୈନ୍ୟ ମାନେ ରାତିରେ ଶୋଇଥିବା ଅବସ୍ଥାରେ ଆକ୍ରମଣର ସାମ୍ମୁଖିନ ହୋଇଥିଲେ। କୁଆଡେ ଅନେକ ସୈନିକ ନିହତ ହୋଇଥିଲେ। ନିହିତ ସୈନିକ ମାନଙ୍କ ପଡ଼ିଥିବା ଖଣ୍ଡା ଗୁଡିକ କଳଙ୍କି ଲାଗି ରହିଁଛି। ସ୍ଥାନୀୟ ଅଂଚଳର ଲୋକେ ଏସବୁ ପୂଜା କରୁଥୁବା ଦେଖିବାକୁ ମିଳୁଛି।

କୁଟୁଣି ପଦରର ଐତିହ ଯେତିକି ସମୃଦ୍ଧ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରାଣବନ୍ତ। ପାହାଡ଼, ଝରଣା ସୁଡ଼ଙ୍ଗ ରେଳପଥ, ଅଳଶୀ କ୍ଷେତ ଓ ଶୀତୁଆ ଆକାଶ କୁଟୁଣି ପଦରକୁ ପର୍ଯ୍ୟଟକଙ୍କୁ ସଦା ଆକୃଷ୍ଟ କରିଥାଏ। ଏହି ପୀଠରୁ ଚଳିତ ବର୍ଷ ପରଵର ଶୁଭାରମ୍ଭ ହେଉଥୁବାରୁ ଏହି ପୀଠର ବିକାଶ ସହ ପ୍ରଚାର ପ୍ରସାର ଅଧିକ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପରବ ପଡ଼ିଆରେ ଜିଲ୍ଲାସ୍ତରୀୟ ପରବ ଉତ୍ସବ ପାଳନ ଅବସରରେ ପଲ୍ଲୀଶ୍ରୀ ଓ ଖାଦ୍ୟ ମେଳା ଆୟୋଜନ କରାଯିବା ସହ ନୂତନ ଭାବେ ଫୁଲ ପ୍ରଦର୍ଶନୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love