ଗୁଡ଼ାରୀ (ପ୍ରତିଫଳନ ମିଡ଼ିଆ)
ରାୟଗଡା ଜିଲ୍ଲା ଗୁଡାରୀରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନାହିଁ । ବହୁ ସଂଖ୍ୟକ ମକୋଦ୍ଦମା ଲୋକାୟୁକ୍ତରେ ଦାଏର କରାଯାଇଥିଲେ ମଧ୍ୟ ଲୋକାୟୁକ୍ତ ନଥିବା ଯୋଗୁ ଶୁଣାଣି ହୋଇ ପାରୁନାହିଁ । ରାଜ୍ୟ ସରକାର ସମସ୍ୟାର ଗୁରୁତ୍ଵକୁ ଉପଲବ୍ଧି କରି ତୁରନ୍ତ ରାଜ୍ୟରେ ଏକ ଲୋକାୟୁକ୍ତ ଗଠନ କରିବାକୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଦାବୀ କରାଯାଛି । ରାଜ୍ୟ ସରକାରଙ୍କର ତଥ୍ୟ ଅନୁଯାୟୀ ରାଜ୍ୟରେ ଦୁର୍ନିତୀ ବିରୋଧୀ ମକୋଦ୍ଦମା ସଂଖ୍ୟା ଅଧିକ । ଏପରି ପରିସ୍ଥିତିରେ ସୁଦୃଢ଼ ଲୋକାୟୁକ୍ତ ଗଠନ ନ ହେଲେ ଦୁର୍ନିତୀର ମାତ୍ରା କମିବ ନାହିଁ । ବିଭିନ୍ନ ସରକାରୀ ଯୋଜନାରେ ଅସୁଥିବା ଅର୍ଥର ସିଂହ ଭାଗ ବିଭିନ୍ନ ବ୍ଲକ, ତହସିଲ ଓ ଏନ.ଏ.ସି.ରେ ହରିଲୁଟ କରାଯାଉଛି । ପି.ସି.ର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିର୍ଦ୍ଦିଷ୍ଟ ଅଫିସର ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣଲୋକ ଯୋଜନାର ସୁଫଳ ପାଇପାରୁ ନାହାଁନ୍ତି । ଯୋଜନାର ସୁଫଳ କିଭଳି ଭାବରେ ଲୋକଙ୍କ ପାଖରେ ପହଁଚିବ ତା ଉପରେ ଜନ ସଚେତନତା ସୃଷ୍ଟି କରିବାକୁ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏକ ପାଏଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରି ସଂଗଠନ ପକ୍ଷରୁ ବିଗତ ଦିନରେ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନ୍ଜୀବୀ ସୁବ୍ରତ କୁମାର ନନ୍ଦ ରାୟଗଡା ଜିଲ୍ଲା ସଂଯୋଜକ ରାଧାକୃଷ୍ଣ ପଟ୍ଟନାୟନ, ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ପଣ୍ଡା, ଗୁଡାରୀ ବ୍ଲକ୍ ଓ ଏନ.ଏ.ସି.ର ଆବାହକ ଗୌରୀ ଶଙ୍କର ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆଲୋଚନା କରିଥିଲେ । ଏଥିସହ ଗୁଡାରୀ ଖାରିକୁଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନଃ ଉଦ୍ଧାର । +2 ଓ +3 ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ଖାଲି ପଡିଥିବା ପଦବୀ ପୂରଣ କରିବା, ଜିଲ୍ଲା ମୁଖ୍ୟାଳୟକୁ ଦୈନିକ ଗମନାଗମନ ପାଇଁ ସରକାରୀ ବସ ପ୍ରଚଳନ ପାଇଁ ବୈଠକରେ ଦାବୀ ହୋଇଥିଲା।