ଗୁଣୁପୁର (ପ୍ରତିଫଳନ ମିଡ଼ିଆ)
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ ଗୁଣୁପୁରର ଜଣେ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନେଇ ଏଇ ପ୍ରସ୍ତୁତି।

ଘର ରାୟଗଡ଼ ଜିଲ୍ଲା ଗୁଣପୁରରେ। ଜଗନ୍ନାଥ ପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ। ପିଲାଟି ଦିନରୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଅହେତୁକ ପ୍ରେମ ଏବଂ ଶ୍ରଦ୍ଧା। ୨୦୧୪ ମସିହାରେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସେ ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏବଂ ଯାହା ଫଳରେ ଡାହାଣ ହାତ, ଗୋଡ ଅଚଳ ହୋଇଯାଇଥିଲା। ବୃତ୍ତିରେ ଶିକ୍ଷକ ଥିବା ପୂର୍ଣ୍ଣଚନ୍ଦ୍ର ଆଉ ବିଦ୍ୟାଳୟ ଯାଇପାରିଲେ ନାହିଁ। ଏପରିକି ମହାପ୍ରଭୁଙ୍କ ସେବା ମଧ୍ୟ କରିବା ମଧ୍ୟ ଅସମ୍ଭବ ହେଲା। ସୁସ୍ଥ ହେବା ପାଇଁ ବ୍ରହ୍ମପୁର, ବିଶାଖାପାଟଣାର ଅନେକ ବଡ଼ ବଡ଼ ଡ଼ାକ୍ତରଖାନା ଯାଇଥିଲେ ମଧ୍ୟ ନିରାଶ ହୋଇଫେରିଲେ। ୫-୬ ମାସ ପରେ ବି ସ୍ଥିତିରେ କୌଣସି ଉନ୍ନତି ଦେଖାଗଲା ନାହିଁ। ତାପରେ ଯାହା ଘଟିଗଲା ତାହା ତାଙ୍କ ଜୀବନର ମୋଡ଼ ବଦଳିଗଲା।

ଜଗା ମହିମା
ଏମିତି ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କ ମନରେ କେବଳ ଗୋଟିଏ ଦୁଃଖ ଯେ ଅସୁସ୍ଥତା କାରଣରୁ ସେ ମହାପ୍ରଭୁଙ୍କ ସେବା କରିପାରୁନାହାନ୍ତି। ମନରେ ଇଚ୍ଛା କଲେ ଯେ ସେ ପୁରୀ ଯାଇ ଥରଟେ ଶ୍ରୀମୁଖ ଦର୍ଶନ କରନ୍ତେ। କିନ୍ତୁ ଏଭଳି ଅବସ୍ଥାରେ ଘରୁ ବାହାରିବା ସମ୍ଭବ ନୁହେଁ। ପୁରୀ ନେବା ତ ଦୂରର କଥା। ତଥାପି ବହୁତ ସଙ୍କୋଚ କରି ପତ୍ନୀ ମମତାଙ୍କୁ ପୁରୀ ଯିବା କଥା ଜଣାଇଲେ। ପରିବାର ଲୋକେ ପ୍ରଥମେ ପ୍ରଥମେ ଅରାଜି ହେଲେ ମଧ୍ୟ ଯେତେ କଷ୍ଟ ହେଉ ପଛେ, ପୁରୀ ଯାଇ ଜଗା ଦର୍ଶନ କରିବାକୁ ସ୍ଥିର କଲେ। ଯେନତେନ ପୂର୍ଣ୍ଣଚନ୍ଦ୍ର ତାଙ୍କ ପତ୍ନୀ ଓ ଝିଅ ସହ ପୁରୀରେ ପହଁଚିଗଲେ। କିନ୍ତୁ ଶରୀରର ଡାହାଣ ପାର୍ଶ୍ଵ ଅଚଳ ହୋଇଯାଇଥିବା କାରଣରୁ ବହୁତ କଷ୍ଟ ହେଉଥାଏ। ପତ୍ନୀ ଏବଂ କିଛି ଲୋକଙ୍କ ସହାୟତାରେ ଶ୍ରୀମନ୍ଦିର ସିଂହ ଦ୍ଵାରରେ ପହଞ୍ଚିଲେ। ସେତେବେଳେ ସମୟ ରାତି ପ୍ରାୟ ୮ ଟା। ମନ୍ଦିର କିଛିଟା ଫାଙ୍କା ଥାଏ। ପୂର୍ଣ୍ଣଚନ୍ଦ୍ର ଘୋଷାରି ଘୋଷାରି ବାଇଶି ପାହାଚ ଚଢ଼ିବାକୁ ଚେଷ୍ଟା କଲେ। କିନ୍ତୁ ଶରୀରକୁ କଷ୍ଟ ବି ହେଉଥାଏ। ତେଣୁ ଆଉ ମନ୍ଦିର ଭିତରକୁ ଯିବା ଅସମ୍ଭବ ଭାବି ସିଂହ ଦ୍ଵାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଯିବା କଥା ଭାବିଲେ। ଠିକ୍ ସେତିକିବେଳେ ଜଣେ ସେବାୟତ (ଗଙ୍ଗାଧର ପ୍ରଧାନୀ) ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ଦିର ଭିତରକୁ ନେବା ପାଇଁ ସହାୟତା କଲେ। ସେବାୟତ ଏବଂ ଜଣେ ପୋଲିସ ଭାଇ ତାଙ୍କୁ ମନ୍ଦିର ଭିତରକୁ ଟେକି ନେଇଥିଲେ। ସେଠି ପହଞ୍ଚିବା ପରେ ଚର୍ମଚକ୍ଷୁରେ ସାମ୍ନାରେ ତିନି ଠାକୁରଙ୍କୁ ଦେଖି ପୂର୍ଣ୍ଣଚନ୍ଦ୍ର ଅତ୍ୟନ୍ତ ଆହ୍ଲାଦିତ ହୋଇପଡିଲେ। ଆଖିରୁ ବହୁଥାଏ ଧାର ଧାର ଅଶ୍ରୁ। ସେତିକି ଭିତରେ କେତେବେଳେ ଯେ ପୂର୍ଣ୍ଣଚନ୍ଦ୍ର ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି, ଡାହାଣ ହାତ ଗୋଡ ଠିକ୍ ହୋଇଯାଇଛି, ଏବଂ ମହାପ୍ରଭୁଙ୍କ ମହିମା ଦେଖି ଉପସ୍ଥିତ ଭକ୍ତମାନେ ଜୟ ଜଗନ୍ନାଥ ଡ଼ାକ ଦେଇଛନ୍ତି, ସେକଥାକୁ ସେ ଆଜି ବି ଶବ୍ଦରେ ବର୍ଣ୍ଣନା କରିପାରନ୍ତି ନାହିଁ। ମହାପ୍ରଭୁଙ୍କ ଏପରି କରୁଣା ଦେଖି ସାଙ୍ଗରେ ଯାଇଥିବା ସେବାୟତ ମଧ୍ୟ ଆଚମ୍ବିତ ହୋଇଯାଇଥିଲେ। ଏହା କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା। ପକ୍ଷାଘାତରେ ଆକ୍ରାନ୍ତ ଥିବା ପୂର୍ଣ୍ଣଚନ୍ଦ୍ର ପୁରୀରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଫେରିଥିଲେ। ପରିବାର ଲୋକେ, ସାହି ପଡିଶା ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇଥିଲେ।

ରଥଯାତ୍ରା : କୁନି ରଥ ଟଣା
ପୂର୍ଣ୍ଣଚନ୍ଦ୍ର ଘରକୁ ଫେରିବା ପରେ ମନରେ ସ୍ଥିର କଲେ ମହାପ୍ରଭୁଙ୍କ ପାଇଁ ରଥଟିଏ ତିଆରି କରିବେ। ସେ ଜଣେ କଳାକାର ମଧ୍ୟ। ତେଣୁ ନିଜ ହାତରେ ସେ ତିଆରି କଲେ କୁନି ରଥ। ଦେଖିବାକୁ ଠିକ୍ ନନ୍ଦିଘୋଷ ରଥ ଭଳି। ଘରେ ପୂଜା ପାଉଥିବା ପତିତପାବନଙ୍କୁ ରଥରେ ବିଜେ କରି ଗୁଣପୁର ବଡ଼ଦାଣ୍ଡରେ ରଥ ଟାଣିଲେ। ସେବେଠାରୁ ସେ ପ୍ରତିବର୍ଷ ସମସ୍ତ ନିତିକାନ୍ତି ସହ ନିଷ୍ଠାର ସହ ରଥ ଯାତ୍ରା ପାଳନ କରିଆସୁଛନ୍ତି। ଗୁଣପୁର ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଏବଂ ଜଗନ୍ନାଥ ପ୍ରେମୀ, ବିଶେଷ କରି ଛୋଟ ପିଲାମାନେ ଅତି ଶ୍ରଦ୍ଧାର ସହ କୁନି ରଥ ଟାଣନ୍ତି। ନିଜେ ଘରେ ହିଁ ଏକ ମନ୍ଦିର ଗଢ଼ିଛନ୍ତି ପୂର୍ଣ୍ଣଚନ୍ଦ୍ର। ସେଠାରେ ସେ ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି, ପୂଜା ଉତ୍ସବ ପାଳନ କରନ୍ତି। ଦେବସ୍ନାନ ପୂର୍ଣ୍ଣିମା, ସୁନା ବେଶ, ଗଜାନନ ବେଶ ସମେତ ମହାପ୍ରଭୁଙ୍କ ନାନା ବେଶ ସେ ପାଳନ କରନ୍ତି। ତେଣୁ ଘରେ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଭିଡ଼ ମଧ୍ୟ ଲାଗି ରହେ।

ଜଗନ୍ନାଥ ସଂଗ୍ରହାଳୟ
ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ ନିଜ ଘରେ ପ୍ରତିଷ୍ଠା କରିଛନ୍ତି ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ। ସେଠାରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ପୁସ୍ତକ, ଦ୍ରବ୍ୟ ସାମଗ୍ରୀ ଏବଂ ତଥ୍ୟ ବିବରଣୀ ଲୋକେ ଦେଖିବାକୁ ପାଉଛନ୍ତି। ଏହା ସହ ତାଙ୍କ ସଂଗ୍ରହାଳୟରେ ବହୁ ପୂରାତନ ସାମଗ୍ରୀ, ମୁଦ୍ରା, ବିଭିନ୍ନ ଦେଶର ମୁଦ୍ରା, ନାନା ଜାତିର ଶଙ୍ଖ, ଜନଜାତି ସାମଗ୍ରୀ, ବିଭିନ୍ନ ରାଜ୍ୟର ପାରମ୍ପରିକ କଳାକୃତି, ଡାକ ଟିକଟ, ତାଳପତ୍ର ପୋଥି ଇତ୍ୟାଦି ରହିଛି। ଏସବୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଏବଂ ବିଶେଷ କରି ପାଠ ପଢୁଥିବା ପିଲାମାନେ ମଧ୍ୟ ଆସନ୍ତି।
ଭାବ ବିନୋଦିଆ କାଳିଆ ଠାକୁର। ପ୍ରତିଟି ଓଡ଼ିଆଙ୍କ ପ୍ରାଣ, କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥ। ତାଙ୍କର ଅପାର ମହିମା ଏବଂ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କର ଆଉ ଏକ ଫର୍ଦ୍ଦ ହେଲା ପୂର୍ଣ୍ଣ ଚନ୍ଦ୍ରଙ୍କ ଜଗନ୍ନାଥ ପ୍ରତି ସମର୍ପଣ ଭାବ। ସମସ୍ତଙ୍କୁ ବିସ୍ମୟ କରିଦିଏ ତାଙ୍କ ଜଗନ୍ନାଥ ପ୍ରତି ଏକାନ୍ତ ଭାବ।

