ରାୟଗଡ ( ପ୍ରତିଫଳନ ମିଡ଼ିଆ )
ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ଲାଗି କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଦିନ ସମୟରେ ଏକ ଟ୍ରେନ ଚଳାଚଳ ଓ NH-16 ଚିଲକାପାଲମ୍ (AP) ରୁ NH-26 ଭବାନୀପାଟଣା (ଓଡିଶା) ପର୍ଯ୍ୟନ୍ତ NH-326 (VRC) ଦେଇ ରାଜ୍ୟ MDR ରାସ୍ତାଗୁଡ଼ିକୁ ରୂପାନ୍ତରିତ କରିବାକୁ ପ୍ରକଳ୍ପ ଅନୁମୋଦିତ କାର୍ଯ୍ୟକୁ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ରାୟଗଡ଼ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ମଞ୍ଚର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ ଆଜି କେନ୍ଦ୍ର ମନ୍ତ୍ରୀ ରାଉରକେଲା ଇଣ୍ଟରସିଟି ଯୋଗେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ବାହୁଡା଼ ଯାତ୍ରାରେ ଯୋଗ ଦେବାକୁ ଟ୍ରେନ ରେ ଯାତ୍ରା କାଳରେ ଭେଟି ଦାବୀ ପତ୍ର ସହ ରାୟଗଡ଼ ଓ କୋରାପୁଟ ଦ୍ରୁତ ବିକାଶ ଲାଗି ବିସ୍ତୃତ ଆଲୋଚନା କରିଛନ୍ତି। ବାଦଲ କୁମାର ତା ଓ ପ୍ରଭାକର ଦୋରାଙ୍କ ସମେତ ରାୟଗଡ଼ ନାଗରିକ ମଞ୍ଚ ଦ୍ୱାରା ପ୍ରସ୍ତୁତ ଏଇ ଦାବୀ ପତ୍ରର ଯଥାର୍ଥତା ଦର୍ଶାଇବାକୁ ଯାଇ କୁହାଯାଇଛି ଯେ ବର୍ତ୍ତମାନ କୋରାପୁଟ ଦେଇ ଭୁବନେଶ୍ୱରକୁ ଏକମାତ୍ର ଟ୍ରେନ ହୀରାଖଣ୍ଡ ରହିଛି। ତାହା ବି ଜଗଦଳପୁର ରୁ ବାହାରୁଛି। ଦିନରେ ଭୁବନେଶ୍ୱର କିମ୍ବା ପୁରୀକୁ ଯିବା ପାଇଁ କୌଣସି ଟ୍ରେନ ନାହିଁ। ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ପୁରୀ ଯିବା ପାଇଁ ବହୁ ହଇରାଣ ହେଉଛନ୍ତି। ଏହାସହ ଯାତ୍ରୀମାନେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ରାଜସ୍ୱ ଡିଭିଜନାଲ ହେଡ଼ କ୍ୱାର୍ଟର ବ୍ରହ୍ମପୁର ଏବଂ ରାଜଧାନୀ କୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି କୋରାପୁଟରୁ ଏକ ଟ୍ରେନ ଉପଲବ୍ଧ ହୁଏ, ତେବେ ଜନସାଧାରଣଙ୍କ ପାଇଁ ଦିନରେ ବ୍ରହ୍ମପୁର ,ପୁରୀ, ଭୁବନେଶ୍ୱରକୁ ଯିବା ସୁବିଧାଜନକ ହେବ। ବାଣିଜ୍ୟିକ ଲାଭଦାୟକତାର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । କାରଣ ବ୍ରହ୍ମପୁର ଏବଂ ବାହାରକୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କୌଣସି ବିକଳ୍ପ ଯାତାୟାତ ପଥ ନଥିବା ହେତୁ ଅଧିକାଂଶ ଯାତ୍ରୀ କେବଳ ବସ୍ ସେବା ଉପରେ ନିର୍ଭର କରୁଛନ୍ତି। ଦିନରେ ଟ୍ରେନ ସେବା ଆରମ୍ଭ ହେବା ପରେ ଅଧିକାଂଶ ଯାତ୍ରୀ ଆରମଦାୟକ ଯାତ୍ରା ପାଇଁ ଟ୍ରେନରେ ଯିବେ । ଅବିଭକ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାର ଭକ୍ତମାନଙ୍କର ବ୍ରହ୍ମପୁର, ଭୁବନେଶ୍ୱର, ପୁରୀକୁ ଏକ ଦିନିକିଆ ଟ୍ରେନ ଯାତାୟାତ ର ଆବଶ୍ୟକତା ରହିଛି। ଏଣୁ ବାହୁଡା଼ଯାତ୍ରାକୁ ଶାବର ଶ୍ରୀକ୍ଷେତ୍ର ଆସିବା ପରିପ୍ରେକ୍ଷୀରେ ଦିନ ସମୟରେ ଯାତ୍ରା କରିବା ପାଇଁ କୋରାପୁଟ (ଶାବରୀ ଶ୍ରୀକ୍ଷେତ୍ର) ରୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଭୋର ସମୟରେ ଶାବରୀ ଏକ୍ସପ୍ରେସ ନାମରେ ଏକ ଟ୍ରେନ ଆରମ୍ଭ କରିବାର ପ୍ରସ୍ତାବ ଦିଆଯାଇଛି। ଦାବୀର ଯଥାର୍ଥତା ରହିଛି। ଅବିଭକ୍ତ କୋରାପୁଟ ବାସୀଙ୍କ ସୁବିଧା ପାଇଁ ଖୁଵ ଶୀଘ୍ର ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶୃତି ଦେଇଛନ୍ତି।

ସେହିପରି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସହ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଯାତାୟାତ ରହୁଛି। ବାଣିଜ୍ୟ ଓ ଉଚ୍ଚତର ସ୍ବାସ୍ଥ୍ୟ ସେବା ପାଇଁ ପ୍ରତ୍ୟେକ ଦିନ ଏସବୁ ଅଂଚଳର ଲୋକେ ବିଶାଖାପାଟଣା ଯାଇଥାନ୍ତି। ସେଥିପାଇଁ NH-16 ଚିଲକାପାଲମ୍ (AP) ରୁ NH-26 ଭବାନୀପାଟଣା (ଓଡିଶା) ପର୍ଯ୍ୟନ୍ତ NH-326 (VRC) ଦେଇ ରାଜ୍ୟ MDR ରାସ୍ତାଗୁଡ଼ିକୁ ରୂପାନ୍ତରିତ କରି ଆନ୍ତଃସଂଯୋଗ କରିବା ପାଇଁ ଅନୁ ମୋଦିତ ପ୍ରକଳ୍ପ କାମ ଯଥା ଶୀଘ୍ର କାର୍ଯ୍ୟ କାରୀ କରିବାକୁ ପ୍ରସ୍ତାବ ପ୍ରଦାନ କରାଯାଇଛି।

ମଞ୍ଚର ସମ୍ପାଦକ ପ୍ରଭାକର ଦୋରାଙ୍କ ପ୍ରସ୍ତୁତ ଯୋଜନା ମୁତାବକ ସାମଗ୍ରିକ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସଡ଼କ ଟ୍ରାଫିକର ଭିଡ଼ ହ୍ରାସ କରିବା, ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ଏବଂ ରାଜ୍ୟଗୁଡ଼ିକ ପାଇଁ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ବୋଝ ହ୍ରାସ କରିବାରେ ସାହାଯ୍ୟ କରିବ ଲାଗି ଏଇ ରାସ୍ତାକୁ ଜାତୀୟ ରାଜପଥ ସଂଯୋଗ ରାସ୍ତା ଜରୁରୀ। MDR ରାସ୍ତାରେ ଟ୍ରାଫିକ ପ୍ରବାହ ବହୁଗୁଣ ବୃଦ୍ଧି ପାଇଛି ଏବଂ ପୂର୍ବରୁ ଥିବା MDR ରାସ୍ତାର କ୍ଷମତାକୁ ବହୁ ଗୁଣ ଅଧିକ କରିଛି। ବିଶାଖାପାଟଣା ବନ୍ଦର ସହର ନିକଟତର ହେବା ଯୋଗୁଁ ରାସ୍ତାରେ ବାଣିଜ୍ୟିକ ଯାତାୟାତ ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରତିଦିନ ଏହି ରାସ୍ତାଗୁଡ଼ିକରେ 30 ଟନ୍ରୁ ଅଧିକ କ୍ଷମତା ବିଶିଷ୍ଟ ପ୍ରାୟ 3000 ବାଣିଜ୍ୟିକ ଭାରୀ ଯାନ ଚଳାଚଳ କରୁଛି। ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ରାସ୍ତାଗୁଡ଼ିକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବା ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡ ଏହି କ୍ଷେତ୍ରରେ ପୂରଣ କରୁଥିବାରୁ ଏହି ଅଞ୍ଚଳର ଖଣିଜ ଗଚ୍ଛିତ ଏବଂ ଭାରୀ ଶିଳ୍ପ ଯୋଗୁଁ ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏ ସମ୍ପର୍କରେ ରାସ୍ତା,ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କାରୀଙ୍କ ସହ ଆଲୋଚନା କରିଛି ଏବଂ ଖୁଵ ଶୀଘ୍ର ପୁଣି ଆଲୋଚନା କରି ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ।

