ତୁଟୁନି ଗୋଷ୍ଠୀ କନ୍ଦଳ, ହେଜୁ ନାହାନ୍ତି ନେତା, ରାୟଗଡା ବିଜେଡିର ସ୍ଥିତି ତଳକୁ ତଳକୁ !

ମିଶି ପାରିଲେନି ସବୁ ନେତା, ଅସହାୟ କର୍ମୀ, ନେତାଏ ନିଜ ଅହମିକାରେ ଦୃଢ଼

ରାୟଗଡା (ପ୍ରତିଫଳନ ମିଡ଼ିଆ )

ନେତାଙ୍କୁ ଧୋଇ ଦେଲେ କର୍ମୀ। ଆବାକାବା ହୋଇ ଗଲେ କର୍ମୀ ସମସ୍ତେ। କର୍ମୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ରେ ବିଜେଡି ସାଙ୍ଗଠନିକ ବୈଠକ ପଡୁଥିଲା ଉଠୁଥିଲା।  ଜିଲ୍ଲା ବିଜେଡିର ପ୍ରମୁଖ ନେତାଙ୍କ କଳି କୁ ନିଜ ଶବ୍ଦରେ ବଖାଣୁଥିଲେ କର୍ମୀ। ଜିଲ୍ଲା ନେତୃବୃନ୍ଦ ଓ ରାଜ୍ୟ ନେତୃବୃନ୍ଦ ଶୁଣିଲେ। କହିଦେଲି ବୋଲି କର୍ମୀ ଖୁସ ହୋଇଗଲେ ସତ। କିନ୍ତୁ ଫଳାଫଳ ଯେମିତି କି ସେମିତି। ସେହି ଘୋଷରା କଥା ଶୁଣି କର୍ମୀ ମନରେ ଆହୁରି ନିଆଁ ଲଗେଇ ଦେଲେ ରାଜ୍ୟରୁ ଆସିଥିବା ଦୁଇ ନେତା। ରିପୋର୍ଟ ମୁଖିଆଙ୍କୁ ଦିଆ ହେବ ସବୁକିଛି ଠିକ ହେବ ବୋଲି ଯେଉଁ ଆଶ୍ୱାସନା ଦେଲେ ସେଥିରେ ବିଶ୍ୱାସ କମ ଅବିଶ୍ୱାସ ବେଶୀ ବଢିଗଲା କର୍ମୀଙ୍କ ମହଲରେ।

ରାୟଗଡା ବିଜେଡିରେ ଦୁଇ ଦିନ ବ୍ୟାପୀ ଚାଲିଥିବା ସାଙ୍ଗଠନିକ ମାନସ ମନ୍ଥନର ଫଳାଫଳ କିଛି ଏମିତି। ମିଶି ପାରିଲେନି ସବୁ ନେତା। ସବୁଠି ଅଲଗା ଅଲଗା ବୈଠକ। ଅଲଗା ଅଲଗା ଆଲୋଚନା। ନେତାଙ୍କ ଭିତରେ ପାରସ୍ପରିକ ବିଶ୍ୱାସ ଆଦୌ ନାହିଁ।  ନିଜ ନିଜ ଅନୁଗତଙ୍କୁ ଲଗାଇ ଯେ ଝା ରାସ୍ତାରେ ଗୁଣ ଗାନ କଲେ। ସୁବିଧା ଦେଖି ଅନ୍ୟଙ୍କ ବିରୋଧରେ ବିଷ ଉଗାଳିଲେ। ପରାଜୟ ପରେ ବି କୋମାରୁ ମୁକୁଳିନି  ରାୟଗଡା ବିଜେଡି। ପରାଜୟ ର ଗ୍ଲାନିରୁ କିଛି ଶିଖି ପାରିଲେନି ରାୟଗଡା ବିଜେଡି ନେତା। ନିଜ ନିଜର ଅହଂ ଭାବ ଓ ଆତ୍ମ ବଢିମା ଭିତରେ ଦଳକୁ ଛାରଖାର କରୁଛନ୍ତି ବୋଲି ନିର୍ବାଚନ ପୂର୍ବରୁ ଯେଉଁ ଭାବ କର୍ମୀ ମାନଙ୍କ ଭିତରେ ଥିଲା ପରାଜୟର ଏକବର୍ଷ ପରେ ବି ସେହି ଭାବକୁ ନିଜ ବକ୍ତବ୍ୟ ରେ ପ୍ରକଟ କରିଛନ୍ତି ଜିଲ୍ଲାର ବିଜେଡି କର୍ମୀ। ଏସବୁ ଦେଖି ଶୁଣି ରାଜ୍ୟରୁ ଆସିଥିବା ଦୁଇ ନେତା ଛାନିଆ। ଜିଲ୍ଲାର ସବୁ ନେତାଙ୍କୁ ଗୋଟିଏ ମଞ୍ଚରେ ଯେଣତେଣ ଏକାଠି କରେଇବା ରେ ସକ୍ଷମ ହୋଇ ଥିଲେ ମଧ୍ୟ ମିଶେଇ ପାରି ନଥିଲେ ରାଜ୍ୟରୁ ଆସିଥିବା ଅଭିଜ୍ଞ ନେତାମାନେ । ହେଲେ ଜିଲ୍ଲାର ନେତାଙ୍କ ମଧ୍ୟରେ ରହିଥିବା ଉତ୍କଟ ଗୋଷ୍ଠୀ କନ୍ଦଳକୁ ଲୁଚାଇବାକୁ ଉଦ୍ୟମ କରିଥିଲେ । ଗଣମାଧ୍ୟମ କୁ କହିଲେ ରାୟଗଡ଼ା ଜିଲ୍ଲା ରେ ଦଳରେ ସବୁ ଠିକଠାକ ଅଛି। ଆଦୌ ଗୋଷ୍ଠୀ କନ୍ଦଳ ନାହିଁ। ଦୁଇ ରାଜ୍ୟ ନେତାଙ୍କ ଏଭଳି ହାସ୍ୟାସ୍ପଦ କଥାରେ ବିଜେଡି କର୍ମୀ ଯେତିକି ଚକିତ ବିଜେଡ଼ି ଦଳର ସମର୍ଥକ ମାନେ ଅଧିକ ନିରାଶ ହୋଇପଡି ଛନ୍ତି । ଏହାକୁ ଦେଖି ବିରୋଧୀ ଦଳ ସେତିକି ଖୁସ। ଲାଗୁଥିଲା ରାଜ୍ୟର ଆସିଥିବା ବରିଷ୍ଠ ଓ ଅଭିଜ୍ଞ ନେତା ଦୁହେଁ ବି ଏଠି ଯେମିତି ଅସହାୟ।

ଜିଲ୍ଲାର ଦୁଇ ପ୍ରମୁଖ ନେତା ଏନ୍. ଭାସ୍କର ରାଓ ଓ ସୁଧୀର କୁମାର ଦାସ ନିଜର ସମର୍ଥକ ଙ୍କୁ ନେଇ ବେଶ ପ୍ରଭାବୀ ଅଛନ୍ତି । ଦୁଇ ନେତାଙ୍କ ମଧ୍ୟରେ କନ୍ଦଳ ଏତେ ତୀବ୍ରତର  ଯେ ଜିଲ୍ଲାରେ ସଭାପତି ଚୟନ ସମ୍ଭବ ହୋଇପାରୁନି। ଜିଲ୍ଲାରେ ଦଳୀୟ ସଂଗଠନ ସଜାଡ଼ିବା ସହ କଳି ତୁଟେଇବାକୁ ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନ ହେଲା ବରିଷ୍ଠ ନେତା ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା  ରାୟଗଡା ଗସ୍ତରେ ଆସିଥିଲେ। ଏଠାରେ ପହଞ୍ଚି ଜିଲ୍ଲାର ତିନି ନିର୍ବାଚନ ମଣ୍ଡଳୀ ର କର୍ମୀ ଏବଂ ନେତା ଙ୍କ ସହ ଅଲଗା ଅଲଗା ଆଲୋଚନା କରିଛନ୍ତି। ପ୍ରଥମେ ଜିଲ୍ଲାର ରାୟଗଡ଼ା ଓ ବିଷମ କଟକ ନିର୍ବାଚନ ମଣ୍ଡଳୀ ବୁଲୁଥିଲେ ପରେ ଗୁଣପୁର ନିର୍ବାଚନ ମଣ୍ଡଳୀ ର କର୍ମୀ ସହ ଆଲୋଚନା କରିଥିଲେ। ସବୁଠି ସମାନ ଚିତ୍ର। ରାୟଗଡା ର କର୍ମୀମାନେ ଭାସ୍କରଙ୍କ ଗୁଣ ଗାନ କରି ପୁଣି ଜିଲ୍ଲା ସଭାପତି ପଦବୀ ଦେବାକୁ ଲବି କରିଥିଲେ। ସେହିପରି ବିଷମ କଟକ ନିର୍ବାଚନ ମଣ୍ଡଳୀ ର ଦୁର୍ଗୀ ବୈଠକରେ କର୍ମୀ ମାନେ ସୁଧୀର ଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ଏବଂ ଅପର ଗୋଷ୍ଠୀ ପାଇଁ ଦଳ ହାରିଲା ବୋଲି ଜଣାଇଲେ କର୍ମୀ। ରାମନାଗୁଡାରେ କର୍ମୀମାନେ ନେତାମାନଙ୍କୁ ବାକ୍ୟ ବାଣରେ ଧୋଇ ଦେଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ସେଭଳି କେହି ଜଣେ ପ୍ରଭାବୀ ଟାଣୁଆ ନେତା ନାହାଁନ୍ତି । ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ କର୍ମୀମାନେ ଭାସ୍କର ଓ ସୁଧିରଙ୍କ ସମର୍ଥକ ଭାବେ ଦୁଇ ଭାଗ ହୋଇ ରହିଛନ୍ତି । ନିର୍ବାଚନ ପରେ ଏଠାରେ ଦୁଇ ନେତାଙ୍କୁ ଏକତ୍ର ଗୋଟେ ମଞ୍ଚରେ ଦେଖି ଫାଟି ପଡିଲେ କର୍ମୀ। ଚନ୍ଦ୍ରପୁର, ଗୁଡ଼ାରୀ,ପଦ୍ମପୁର, ରାମନାଗୁଡା ଓ ଗୁଣପୁର ବ୍ଲକର ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ବୈଠକ କରିଥିଲେ । କର୍ମୀମାନେ ରାଜ୍ୟ ସ୍ତରୀୟ ନେତା ଙ୍କ ଆଗରେ ମାଇକ ଧରି ଉଭୟ ସୁଧୀର ଓ ଭାସ୍କର ଙ୍କ କଳି ଗୁଡାକ ବଖାଣି ଥିଲେ। ଏଭଳି ଆରୋପ ପ୍ରତ୍ୟାରୋପ ଭିତରେ ତିନୋଟି ବୈଠକ ସରିଲା। କେଉଁଠି ବି ସବୁ ଗୋଷ୍ଠୀ ଏକତ୍ରିତ ହୋଇପାରି ନଥିଲେ। ଫଳରେ ବିଜେଡି, ଜିଲ୍ଲାର ସଂଗଠନ ଓ ପଞ୍ଚାୟତ ନିର୍ବାଚନ ପାଇଁ ଯେତିକି ଚିନ୍ତିତ ତାଠାରୁ ଅଧିକ ଚିନ୍ତିତ ରାୟଗଡା ବିଜେଡିର ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ। ରାଜ୍ୟ ନେତୃବୃନ୍ଦ ସଜାଡ଼ିବାକୁ  ଚାହିଁ ବି କିଛି କରି ପାରୁ ନାହାନ୍ତି। ଦୁଇ ଗୋଷ୍ଠୀକୁ ଛାଡି ତୃତୀୟ ପକ୍ଷ ସପକ୍ଷରେ ମତ ଦେବେ ବୋଲି  ବିଶେଷ ସୂତ୍ରରୁ ଜଣା ପଡିଛି। ଦୁଇ ନେତାଙ୍କ କନ୍ଦଳ ପାଇଁ ଦଳକୁ ନଷ୍ଟ ନକରି ନିର୍ବିବାଦୀୟ ଲୋକଙ୍କୁ ସଭାପତି କରିବାକୁ ଅଧିକାଂଶ କର୍ମୀ ରାଜ୍ୟ ନେତୃବୃନ୍ଦ ଙ୍କୁ ମତ ଦେଇଥିବାରୁ ଆଗାମୀ ଦିନରେ ନୁଆ ବ୍ୟକ୍ତି  ବିଜେଡିର ନୂଆ ସଭାପତି ହେବେ ବୋଲି  ଆଶା ପ୍ରକାଶ ପାଇଛି। ଯଦି ନୂଆ ବ୍ୟକ୍ତି ଙ୍କୁ ଦାୟିତ୍ଵ ମିଳେ ତେବେ ସେ ଏହି ଭେଟେରାନ ଦୁଇ ନେତାଙ୍କ ସମର୍ଥକ ଗୋଷ୍ଠୀ କୁ ମୁକାବିଲା କରିବାରେ ଏକାଠି କରିବାରେ କେତେ ସଫଳ ହେବେ ସମୟ କହିବ । ଦୁଇ ନେତାଙ୍କ ବ୍ୟତୀତ ସେଭଳି ପ୍ରଭାବୀ ନେତା ରାୟଗଡା ବିଜେଡିରେ ନାହାଁନ୍ତି। କାରଣ ଯିଏ ବି ହେବ ସେ ନିଶ୍ଚିତ ଏଇ ଦୁଇ ଗୋଷ୍ଠୀ ଭିତରୁ କାହାର ବି ସ୍ତବକ ହୋଇଥିବ ନିଶ୍ଚିତ। ସୁତରାଂ ବିଜେଡିର ଅଡୁଆ ସୂତା  ଖୋଲିବା ଏତେ ସହଜ ନୁହଁ। ପୁଣି ବିବାଦ ବଢିବା ଥୟ ! ସରକାର ଥିବା ବେଳେ କନ୍ଦଳ ସ୍ପଷ୍ଟ ଭାବେ ସାଧାରଣ ଭୋଟର ଙ୍କୁ ଜଣାଥିଲା । ଏବେ ସରକାରରୁ ଗଲା ପରେ ଦଳର ସ୍ଥିତିର କୌଣସି ପରିବର୍ତ୍ତନ ହୋଇନାହିଁ । ବରଂ ଦିନକୁ ଦିନ ଅତି ଖରାପ ହେଉଛି । ଏହାକୁ ଦେଖି ଦଳର କର୍ମୀ ଓ ସମର୍ଥକ କହୁଛନ୍ତି ରାୟଗଡା ଜିଲ୍ଲାରେ ବିଜେଡିର ଗୋଡ଼ ଏବେ ତଳକୁ ତଳ !

Spread the love