ଶିଶୁ ମଙ୍ଗଳ କମିଟିର କାର୍ଯ୍ୟଧାରା ସମ୍ପର୍କରେ ପକ୍ଷ ରଖିଲେ ବିଦୁଲତା

ରାୟଗଡା ଶିଶୁ ମଙ୍ଗଳ କମିଟି ବରଖାସ୍ତ ବିବାଦ

ରାୟଗଡ଼ା, ପ୍ରତିଫଳନ ମିଡ଼ିଆ 

:ରାୟଗଡା ଜିଲ୍ଲାରେ ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ଗୁଡ଼ିକ ସରକାରଙ୍କ ବିଫଳତା । କିନ୍ତୁ ପ୍ରଶାସନ ତନ୍ତ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା କଥା । ଏହା ନକରିବା ଫଳରେ ମୋହନ ସରକାର ବଦନାମ ହେଉଛନ୍ତି । ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ପ୍ରଶାସନର ଏପରି ପ୍ରତିଶୋଧମୂଳକ ତଥା ଚକ୍ରାନ୍ତ କାର୍ଯ୍ୟ ପାଇଁ ଆଇନର ଆଶ୍ରୟ ନିଆଯିବ ଓ ପୁଣି ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯିବ ଏବଂ ଶେଷରେ ସତ୍ୟର ଜୟ ଓ ପାପର କ୍ଷୟ ହେବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟିର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପକ୍ଷ ରଖିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ପୋଷ୍ୟ ସନ୍ତାନ ପାଇଁ ଶିଶୁ ବିକ୍ରୀ ଓ ବାଲ୍ୟ ବିବାହକୁ ରୋକଯାଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଉଦ୍ୟମ କରୁଛି । ଶିଶୁ ମଙ୍ଗଳ କମିଟି ମୁଣ୍ଡରେ ଦୋଷ ଲଦିବାକୁ ଉଦ୍ୟମ କରାଯାଇଛି । ଜିଲ୍ଲାରେ ପୋଷ୍ୟ ସନ୍ତାନ ପାଇଁ ଶିଶୁ ବିକ୍ରୟ  ଘଟଣାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମନାକୁ ଆସିବ ବୋଲି ପୂର୍ବତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା  ବିଦୁଲତା ହୂଇକା ଦାବି କରିଛନ୍ତି । ବିଦୁଲତା ହୁଇକା ଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରଶାସନର ମତାମତ ଲୋଡିଥିଲୁ ।  ପ୍ରତିଫଳନ ପକ୍ଷରୁ ବିଭିନ୍ନ ସୂତ୍ରରେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲେ ମଧ୍ଯ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଜେଜେ ପୁର ଶିଶୁ ବିକ୍ରୟ ଘଟଣାରେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଠିକ୍ ପଦକ୍ଷେପ ନିଆଯାଇଛି । ପ୍ରଶାସନ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଓ ଶିଶୁ ମଙ୍ଗଳ କମିଟି କୁ ସାଧାରଣରେ ନିନ୍ଦିତ ଓ ବଦନାମ କରିବାକୁ ଉଦ୍ୟମ କରିଛି । କମିଟି ର କାର୍ଯ୍ୟକାଳ ପୂରିବା ପୂର୍ବରୁ କମିଟି ଭାଙ୍ଗି ଦେଇଛନ୍ତି । ସାଧାରଣରେ ବରଖାସ୍ତ କରାଗଲା ବୋଲି ଅପ ପ୍ରଚାର କରାଯାଉଛି । ଏଥିରେ  କମିଟି ସଦସ୍ୟ ମାନଙ୍କ ସମ୍ମାନ ହାନି ଘଟିଛି ।କମିଟି ର ଗରିମା ମଧ୍ୟ ନଷ୍ଟ ହୋଇଛି । ଏଥିପାଇଁ  ଆଇନର ଆଶ୍ରୟ ନେବୁ ବୋଲି CWC  ର ପୂର୍ବତନ ଅଧ୍ୟକ୍ଷା ବିଦୁଲତା ହୁଇକା କହିଛନ୍ତି । ସେ ଦର୍ଶାଇଛନ୍ତି ଯେ ଜିଲ୍ଲାର ଜେକେ ପୁର ଓ ଡମ୍ବସରାରେ  ଶିଶୁ ବିକ୍ରି ଘଟଣାରେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ  ଜିଲ୍ଲା ପ୍ରଶାସନ, ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଅବଗତ କରାଇଥିଲେ । ପ୍ରଶାସନିକ ସ୍ତରରେ  କାହାରି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଫଳରେ ଶିଶୁ ମଙ୍ଗଳ କମିଟି ରାୟଗଡ଼ା ବିଧାୟକ, ଗୁଣୁପୁର ବିଧାୟକ, ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଓ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହ ପରେ ଜିଲ୍ଲା ପ୍ରଶାସନ ଶିଶୁ ମଙ୍ଗଳ କମିଟିକୁ ଭାଙ୍ଗି ଦେବା ପାଇଁ ଉଦ୍ୟମ କଲେ । ଅଭାବରେ ଶିଶୁ ବିକ୍ରୟ କରିଥିବା ଅନୁସୂଚିତ ଜାତିର ମାଆଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇବା କଥା ତାହା କରାଗଲା ନାହିଁ । ସେହିପରି CWC ର ଅଧ୍ୟକ୍ଷା ଜଣେ ଆଦିବାସୀ ମହିଳା ହୋଇଥିବା ବେଳେ ଆଇନ ଅନୁଯାୟୀ ସ୍ବାଧୀନ ଭାବେ କାମ କରିବାକୁ ସୁଯୋଗ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରଶାସନିକ ଦୁର୍ବଳତାକୁ  ଲୁଚାଇବା ପାଇଁ  ସିଡବ୍ଲୁସିକୁ ଉପରେ ଦୋଷ ଲଦି ଦିଆଯାଇଛି । ଜିଲ୍ଲାରେ ବହୁ ନାବାଳିକା ବିବାହ ପରେ ସନ୍ତାନ ଜନ୍ମ କରିଥିବା ନେଇ  ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ବାଲ୍ୟବିବାହ ପ୍ରଥାକୁ ରୋକିବା ପାଇଁ ଯେଉଁଭଳି ଉଦ୍ୟମ କରିଯିବା କଥା କରାଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଆଗକୁ ଏ ନେଇ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ଗ୍ରହଣ କରିବେ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Spread the love