ସଂସ୍କୃତିର ପ୍ରଗତି ହିଁ ବିକାଶର ଆଧାର

     ଚଇତି ଦ୍ଵିତୀୟ ସଞ୍ଜରେ ରୁକୁ ସୁନା ଭରିଦେଲେ ଉଷ୍ମତା

ସାତ ପ୍ରତିଭା ହେଲେ ସମ୍ମାନିତ

ରାୟଗଡା (ପ୍ରତିଫଳନ ମିଡ଼ିଆ)

ଚଇତି ଦ୍ଵିତୀୟ ସଞ୍ଜ ଭିନ୍ନ ଲାଗୁଥିଲା। ସଞ୍ଜ ନଇଁବା ପୂର୍ବରୁ ଚଇତି ମଞ୍ଚ ଦୁଲୁକି ଉଠିଥିଲା। ଆରମ୍ଭରେ ମ୍ୟୁଜିକ୍ ଗ୍ୟାଲେକ୍ସି ଅନୁଷ୍ଠାନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଜିଲ୍ଲା ପରିଷଦ ସିଡିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ସ୍ଥାପତ୍ୟକୁ ନେଇ ରାଜ୍ୟ ତଥା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାର ଲୋକମହୋତ୍ସବ ‘ଚଉତି ଓ ପଲ୍ଲିଶ୍ରୀ ମେଳା’ ସବୁକ୍ଷେତ୍ରରେ ଜିଲ୍ଲାର ବିକାଶର କଥା କହୁଛି ବୋଲି ସେ କହିଥିଲେ।

ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଆଜିର ସଞ୍ଜ ଥିଲା ଢେମସା। ନଂବରଙ୍ଗପୁର, ଗୁଡ଼ାରୀ, ରାୟଗଡା, କାଶୀପୁର, କୋଟପାଡ଼ ର କଳାକାର ଢେମସା ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଣପୁର ସହରର ସସ୍ମିତା ପଣ୍ଡା ଏବଂ ଟିମ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସୋନପୁର ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ପାନେରୀ ନୃତ୍ୟ ମଞ୍ଚସ୍ଥ ହୋଇଥିବା ବେଳେ ଜେକେପୁର ନୃତ୍ୟ ସଦନ ଦ୍ବାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ପରେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ରାୟଗଡ଼ର ଯୋଗଦାନ ଆବଶ୍ୟକ। ଏଥିପାଇଁ ଗ୍ରାମାଞ୍ଚଳରେ ସରକାରଙ୍କ ସମସ୍ତ ଯୋଜନା ପହଂଚିବା ଦରକାରବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ସରସ୍ବତୀ ମାଝି, ଜିଲ୍ଲାପରିଷଦ ଉପସଭାପତି ସନ୍ତୋଷ ମୁନାଙ୍କ ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଟୁ ଯୋଗ ଦେଇଥିଲେ। ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଲୋକ ପ୍ରତିନିଧି ତଥା ଅତିଥିଙ୍କୁ ସମ୍ମାନିତ କରିଥିଲେ। ଜିଲ୍ଲାର ୭ଜଣ ପ୍ରତିଭାଙ୍କୁ ଚଇତି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଦ୍ବିତୀୟ ସଂଧ୍ୟାରେ  ପ୍ରମୁଖ ଆକର୍ଷଣ ଥିଲେ ରକ ଷ୍ଟାର ରୁକୁ ସୁନା। ତାଙ୍କ ସମ୍ବଲପୁରୀ ଓ ଆଧୁନିକ ଗୀତରେ ନିଜେ ନାଚିବା ସହ ଦର୍ଶକଙ୍କୁ ଧୁମ ନଚେଇଥିଲେ। ଶୀତର ଲହରି ସତ୍ୱେ ଦର୍ଶକ ବିଳମ୍ବିତ ରାତ୍ରି ଯାଏଁ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଜିଲ୍ଲାର ସଂସ୍କୃତି ଓ ଇତିହାସକୁ ସୁନ୍ଦର ଢଙ୍ଗରେ ଉପସ୍ଥାପନା କରୁଥିଲେ ଦୁଇ ଉପସ୍ଥାପକ କେପି ଓ ପ୍ରିୟା।

Spread the love