ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ବାହାରିଲେ ଛଅ ଜିଲ୍ଲାର ବରିଷ୍ଠ ନାଗରିକ, ଶୁଭେଚ୍ଛା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ରାୟଗଡ (ପ୍ରତିଫଳନ ମିଡ଼ିଆ)

ତୀର୍ଥଯାତ୍ରା ଭ୍ରମଣରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ। ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ ଟି ଜିଲ୍ଲାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ ଏସକର୍ଟ ମୋଟ ୮00 ଜଣ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାମେଶ୍ବର ଓ ମଦୁରାଇ ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ଆର୍ଥିକ ଅନାଟନ ଓ ସାହସ ଅଭାବରୁ ଅନେକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯିବାରୁ ବଞ୍ଚିତ ରହୁଥିବା ବେଳେ ସେଇ ଅଭାବକୁ ଦୂର କରିବା ଲାଗି  ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କ ଅଧ୍ୟକ୍ଷତାରେ ରେଳ ଷ୍ଟେସନ ଠାରେ ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ  ରେଳବାଇ ଡିଆରଏମ ଅମିତାଭ ସିଂଘଲ, ଏସପି ସ୍ୱାତୀ ଏସ. କୁମାର ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରେଳବାଇ ଆଇଆରସିଟିସି କର୍ତ୍ତୁପକ୍ଷ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଯାତ୍ରା ବେଳେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧା ରାଜ୍ୟ ସରକାର ବହନ କରିବେ। ତୀର୍ଥଯାତ୍ରୀମାନଙ୍କ ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ପଥ ପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥର ରାୟଗଡା ଠାରୁ ରାମେଶ୍ବର ଓ ମଦୁରାଇ ଭ୍ରମଣ ସ୍ଥିର ହୋଇଛି। ଏଥିରେ ରାୟଗଡା ଜିଲ୍ଲାର ୧୧୮ ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୬୮ଜଣ, ନବରଙ୍ଗପୁର ୧୪୮ଜଣ, ମାଲକାନଗିରି ୭୫, ନୂଆପଡା ଜିଲ୍ଲାର ୭୪ ମଧ୍ୟ ଏବଂ କଳାହାଣ୍ଡିର ୧୯୨ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା କରିଛନ୍ତି ।

Spread the love