ବାଉଁଶ ବଣର ରାଣୀ : କଣ୍ଟା ବାଉଁଶୁଣି🔹 ପ୍ରକୃତି ଭିତରେ ଦେଵୀଙ୍କୁ ଆବାହନ 🔹ଦଶହରା ଲାଗି ଭକ୍ତଙ୍କ ଭିଡ଼ 🔹

ଦଶହରା, ନବରାତ୍ରୀ, ଦୁର୍ଗାପୂଜା – ଏସବୁ ପର୍ବ କେବଳ ଆନନ୍ଦ ମଧ୍ୟରେ ସୀମିତ ନୁହେଁ। ଶକ୍ତି, ଭକ୍ତି ଓ ଆସ୍ଥାର  ଗାଢ଼ ଭାବ ସହ ଜଡିତ । ପ୍ରତିଦିନ ଆମେ ଆପଣଙ୍କୁ ନେଇଯିବୁ ଏକ ପୀଠରୁ ଅନ୍ୟ ପୀଠକୁ। ଆଜି”ଶକ୍ତିତୀର୍ଥ” କ୍ରମରେ  🔹ମାଆ କଣ୍ଟା ବାଉଁଶୁଣି 🔹ଙ୍କ କିମ୍ବଦନ୍ତୀ, ପୌରାଣିକ କଥା, ପୂଜା ପ୍ରଥା ଓ ଆସ୍ଥା ସମ୍ପର୍କରେ “ପ୍ରତିଫଳନ”ର ପ୍ରତିବେଦନ।

ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ମାଁ ଜଣ୍ଟା ବାଉଁଶୁଣି ଆଦିବାସୀଙ୍କ ଆରାଧ୍ୟ ଦେବୀ,କେବଳ ଆଦିବାସୀ କାହିଁକି  ସମସ୍ତଙ୍କ ପାଇଁ ଆସ୍ଥା ଓ ବିଶ୍ବାସର ଠାକୁର । ବାଉଁଶ ବଣର ରାଣୀ ମାଆ କଣ୍ଟା ବାଉଁଶୁଣି । ଦଶହରାରେ ୩ ଦିନ ଧରି ମହା ଆଡମ୍ବର ରେ ମାଁଙ୍କ ପୂଜା ସମ୍ପନ୍ନ ହୋଇଥାଏ। ନିଶାର୍ଦ୍ଧରେ ମାଙ୍କ ନିକଟରେ ବଳି ଦିଆଯାଏ। ଶୁଦ୍ଧ ଚିତ୍ତରେ ମାଁ ଙ୍କ ନିକଟରେ ମାନସିକ ରଖି ପୂଜା କଲେ ଭକ୍ତଙ୍କ ମାନସିକ ପୂରଣ ହେଉଥିବାରୁ ମାଁ ବାଉଁଶୁଣିଙ୍କ ପୀଠରେ ସଦା ସର୍ବଦା ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଦଶହରା ସମୟରେ ମାନସିକ ଧାରି ଭକ୍ତଙ୍କ ଭିଡ ଅଧିକା ଜମିଥାଏ।

 କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ କଣ୍ଟା ବାଉଁଶୁଣି। ବାଉଁଶ କଣ୍ଟା ବୁଦାମୂଳରୁ ମାଙ୍କ ଆବିର୍ଭାବ ହୋଇଥିବାରୁ କଣ୍ଟା ବାଉଁଶୁଣି ଭାବେ  ପୂଜାପାଇ ଆସୁଛନ୍ତି। ନିଜେ କଣ୍ଟା ବୁଦାମୂଳେ ରହୁଥିବା ବେଳେ କଣ୍ଟକିତ ପରିସ୍ଥିତିରୁ ଭକ୍ତ ମାନଙ୍କୁ ଉଦ୍ଧାର କରୁଥିବାରୁ ମାଙ୍କ ପ୍ରତି ଲୋକଙ୍କ ଅତୁଟ ବିଶ୍ବାସ ରହିଛି। ଶହ ଶହ ବର୍ଷ ଧରି ମାଆ ଏଠାରେ ପୂଜାପାଇ ଆସୁଛନ୍ତି।  ପ୍ରାକୃତିକ ପରିବେଶ ମଧ୍ୟରେ ଥିବାରୁ ବର୍ଷ ସାରା ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଲାଗିରହୁଛି।ମାଁ ଙ୍କ ଠାରେ ନଡିଆ,କଦଳି, ଧୂପ ଦୀପ ଦେଇ ପୂଜା କରିବା ସହ ହୋମ ବି କରିଥାନ୍ତି  ମାନସିକ ରଖିଥିବା ଭକ୍ତମାନେ ବଳି ବି ଚଢାଇଥାନ୍ତି। ବିଶେଷ କରି ଦଶହରା ରେ ଜିଲ୍ଲା ଓ ବାହାରୁଲୋକଙ୍କ ଭିଡ ଜମିଥାଏ। ଶାନ୍ତମୟ ପରିବେଶକୁ ଦେଖିଲାବେଳକୁ ଯେ କେହି ଭାବୁକ  ପାଲଟିଯାଏ ।

ନବରତ୍ନର ମାନ୍ୟତା ପାଇଥିବା ନାଲକୋ ଦାମନଯୋଡି ସହରର ପ୍ରବେଶ ପଥରେ ମାଙ୍କ ପୀଠ ଅବସ୍ଥିତ। ମାଙ୍କ ପ୍ରବେଶ ଦ୍ଵାର ଯେତିକି ଆକର୍ଷଣ ଭିତରର ଦୃଶ୍ୟ ସେତିକି ମନୋରମ। ଅଧିଷ୍ଠାତ୍ରୀ ଦେବୀ ମାଁ କଣ୍ଟା ବାଉଁଶୁଣିଙ୍କ କିମ୍ବଦନ୍ତୀ ରହିଛି।

ଆଦିବାସୀମାନେ ପରମ୍ପରା ଅନୁଯାୟୀ ଚୈତ୍ର ମାସରେ ଜଙ୍ଗଲ ଯାଇ ଶିକାର କରି ଠାକୁରାଣିଙ୍କ ନିକଟରେ ସମର୍ପିବା ପରେ ତାହାକୁ ମିଳିମିଶି ଗ୍ରାମବାସୀ ଖାଇଥାନ୍ତି। ଅନ୍ୟ ଗ୍ରାମକୁ କୁଣିଆ ହୋଇ ଯାଇଥାନ୍ତି । ପରମ୍ପରା ଅନୁଯାୟୀ ସିନ୍ଧୁପାଇ ଗ୍ରାମରେ ପର୍ବ ପାଳନ ହୋଇପାରିନଥିବା ଯୋଗୁଁ ସିନ୍ଧୁପାଇ ଗ୍ରାମ ଅଭିମୁଖେ ଯାଉଥିବା ନିକଟବର୍ତ୍ତୀ ଗୁଞ୍ଜେଇ ଗୁଡା ଗ୍ରାମବାସୀ ସାଥିରେ ନେଇଥିବା ଟାଉଁଶ ଧନୁ ଓ କାଣ୍ଡକୁ ଅଧା ବାଟରେ ପୋଡିଦେଇଥିଲେ। ପରବର୍ତ୍ତୀ ସମୟରେ ସେଠାରେ ବାଉଁଶ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଧନୁ କାଣ୍ଡଟି ଦେବୀ ଭାବରେ ଆବିର୍ଭୁତ ହୋଇଛନ୍ତି। ପୌଷ ମାସ ପୂର୍ଣ୍ଣିମାରେ ମାଁଙ୍କ ସ୍ଵତନ୍ତ୍ର ପୂଜା ପାଳିତ ହୋଇଥାଏ। ସୁନ୍ଦର ଶ୍ୟାମଳ ବାଉଁଶ ଜଙ୍ଗଲ ଘେରା ମଧ୍ୟରେ ମାଁ କଣ୍ଟା ବାଉଁଶୁଣିଙ୍କ ଦର୍ଶନ କରିବା ଏକ ନିଆରା ଅନୁଭବ ଦେଇଥାଏ । ଆନନ୍ଦରେ ପ୍ରାଣ ଭରି ଦେଇଥାଏ । ଏହାର ପ୍ରାକୃତିକ ଶୋଭାରାଶି ଯେତିକି ବିମୋହିତ କରେ ପୀଠର ପ୍ରସିଦ୍ଧିରେ ସେତିକି ଭକ୍ତି ଭାବ ଜାଗ୍ରତ କରେ ।

Spread the love