ଦଶହରା ନବରାତ୍ର ପୂଜାରେ ମାଆଙ୍କ ସୁନାବେଶ🔹ସୁନାରେ ଝଲସୁଛନ୍ତି ମାଆ ମଝିଘରିଆଣୀ

ଦଶହରା, ନବରାତ୍ରୀ, ଦୁର୍ଗାପୂଜା – ଏସବୁ ପର୍ବ କେବଳ ଆନନ୍ଦ ମଧ୍ୟରେ ସୀମିତ ନୁହେଁ। ଶକ୍ତି, ଭକ୍ତି ଓ ଆସ୍ଥାର  ଗାଢ଼ ଭାବ ସହ ଜଡିତ । ପ୍ରତିଦିନ ଆମେ ଆପଣଙ୍କୁ ନେଇଯିବୁ ଏକ ପୀଠରୁ ଅନ୍ୟ ପୀଠକୁ। ଆଜି”ଶକ୍ତିତୀର୍ଥ” କ୍ରମରେ  🔹ମା ମଝିଘରିଆଣୀଙ୍କ ସୁନାବେଶ 🔹 ସମ୍ପର୍କରେ “ପ୍ରତିଫଳନ”ର ପ୍ରତିବେଦନ।

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ। ମା’ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗାଢ଼ ବିଶ୍ଵାସ ଓ ଭକ୍ତି ।  ଦର୍ଶନ କରି ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ରାୟଗଡ଼ାର ମଧ୍ୟଭାଗରେ ମା’ଙ୍କ ମନ୍ଦିର ଥିବାରୁ ମାଆଙ୍କ ନାମ  ମଝିଘରିଆଣୀ ।  ଚୈତ୍ର ପର୍ବ ଓ ଦଶହରା ନବରାତ୍ର ପୂଜା ମା’ଙ୍କ ଦୁଇଟି ମୁଖ୍ୟ ପର୍ବ । ବାର୍ଷିକ ଚୈତ୍ର ପର୍ବରେ ମନ୍ଦିର ପୂଜକ ନିଆଁ ଉପରେ ଚାଲିବା ସହ କଣ୍ଟା ଦୋଳି ଉପରେ ବସି ଝୁଲନ୍ତି । ସେହିପରି ଦଶହରା ନବରାତ୍ର ପୂଜା ଆରମ୍ଭ ପୂର୍ବରୁ ମା’ଙ୍କ ଖଣ୍ଡା ପୂଜା ହୁଏ | ବର୍ଷତମାମ ଅଦୃଶ୍ୟ ଭାବେ ରଖାଯାଇଥିବା ୫ଟି ଖଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡାକୁ ଦଶହରାରେ ତହସିଲ ଅଫିସ୍ ପରିସରରେ ପୂଜା କରାଯାଇଥାଏ। ଚଳନ୍ତି ପ୍ରତିମା ଭାବେ ମା’ଙ୍କ ଖଣ୍ଡା ପୂଜା ପାଉଥିବାରୁ ଦୈବ ଦୁର୍ବିପାକ, ମହାମାରୀର ପ୍ରାଦୁର୍ଭାବ ପଡ଼ୁନଥିବା ବିଶ୍ବାସ ରହିଛି। ମହାଷ୍ଟମୀ ପୂଜାରେ ମା’ ଚାମୁଣ୍ଡା ରୂପେ ପୂଜା ପାଇଥାନ୍ତି |  ମା’ଙ୍କ ପୀଠରେ ବଳିପ୍ରଥା ପ୍ରଚଳିତ ।  ମହାଷ୍ଟମୀ ରାତିରେ ଜେନା ପଥର ନିକଟରେ ଗୋଟିଏ ଛେଳିକୁ ପୂଜା କରି ଛାଡ଼ି ଦିଆଯାଇଥାଏ। ଏହାକୁ ଲିଡ଼କା ଛେଳି ବୋଲି କୁହାଯାଏ । ଲିଡ଼କା ଛେଳି ସ୍ବତଃପ୍ରବୃତ୍ତ ଭାବେ ମା’ଙ୍କ ସମ୍ମୁଖକୁ ଆସିବା ପରେ ଯାଇ ବଳି ଦିଆଯାଇଥାଏ।

ଦଶହରା ଓ ଚୈତ୍ର ପର୍ବ ବେଳେ କେବଳ ମାଆ ସୁନାବେଶରେ ଭକ୍ତଂକୁ ଦର୍ଶନ ଦିଅନ୍ତି । ବର୍ଷ ଦୁଇ ସମୟରେ  ମାଆଙ୍କ ସୁନାବେଶ ଭଳି ବିରଳ ବେଶ ଦର୍ଶନ ପାଇଁ ଓଡିଶା ତଥା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଆଦି ରାଜ୍ୟରୁ ଭକ୍ତଙ୍କ ସମାଗମ ହୁଏ । ଚୈତ୍ର ଶୁକ୍ଲ ପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜା ଉପାସନା ହୁଏ। ସେହିପରି ଆଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ଦଶମୀ ଯାଏଁ ସୁନାବେଶରେ ଦର୍ଶନ ଦିଅନ୍ତି ମାଆ। ଗତ କିଛି ବର୍ଷ ହେଲା ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ହୋମ ହୁଏ । ନବଗ୍ରହ ଶାନ୍ତି, ସୂର୍ଯ୍ୟ ପୂଜା, ଷୋଡଶ ଉପଚାର, ଚଣ୍ଡୀ ପୂଜା ଓ ଚଣ୍ଡୀ ପାଠ ହେଉଥିବା ବେଳେ ଶେଷରେ ଅଗ୍ନିପୂଜା ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଓଡିଶାର ଗଞ୍ଜାମ, କଳାହାଣ୍ଡି, ପୁରୀ ଆଦି ଜିଲ୍ଲାରୁ ବିଦ୍ୱାନ ପଣ୍ଡିତମାନେ ଯୋଗଦାନ କରି ହୋମ କାର୍ଯ୍ୟ ସଂଚାଳନ କରନ୍ତି । ତେବେ ସବୁଠାରୁ ଆକର୍ଷଣ ହେଲା ସୁନା ବେଶ । ସୁନାର ଅଳଙ୍କାର ମଧ୍ୟରେ ମାଆ ଝଲସୁ ଥାଆନ୍ତି । ସୁନାର ମସ୍ତକ ମୁକୁଟ, ମଥାମଣି, ମଥାପଟି, ଭ୍ରୁଲତା, ଚକ୍ଷୁ, ତୃତୀୟ ନୟନ, କର୍ଣ୍ଣ, ନାସା, ନୋଥ, କର୍ଣ୍ଣ କୁଣ୍ଡଳ, ମୁଖ, ଜିଭ୍ବା, ହାରରେ ଆଚ୍ଛାଦିତ ହୋଇଥାନ୍ତି । ଅପୂର୍ବ ବେଶ ଓ କମନୀୟ ରୁପକାନ୍ତିରେ ଶୋଭାମଣ୍ତିତ ମାଆଙ୍କ କମନୀୟ ରୂପରେ ଶ୍ରଦ୍ଧାଳୁ ଅଭିଭୂତ ହୋଇ ପଡ଼ନ୍ତି । ବର୍ଷର ଏହି ଦୁଇଟି ଅବସରରେ ସୁନାବେଶ ଧାରଣ କରିବା ପଛରେ ବହୁ କାରଣ ରହିଛି । ଏହି ଦିନଗୁଡ଼ିକରେ ମାଆ ନିଜ ଭଉଣୀମାନଙ୍କୁ ସାକ୍ଷାତ ପାଇଁ ଯାଇଥାନ୍ତି ।  ଏଥିସହ ନଗର ପରିକ୍ରମା କରନ୍ତି । ମାଆ ବାହାରକୁ ଯାଉଥିବାରୁ ଦେବୀ ନିଜକୁ ସଜ୍ଜିତ ହୁଅନ୍ତି । ସାଧାରଣତଃ ଘରର ଲକ୍ଷ୍ମୀମାନେ ନିଜେ ବାହାରକୁ ଗଲେ  ଶ୍ରୀରୂପକୁ ଆହୁରି ଉଦ୍ଭାସିତ ପାଇଁ ଅଳଙ୍କାର ମଣ୍ଡିତ ହୋଇଥାନ୍ତି । ସେହିପରି ଦେବୀ ମାଆ ଏହି ଦୁଇଟି ଅବସରରେ ମନ୍ଦିରରୁ ନଗର ପରିକ୍ରମା ପାଇଁ  ଯାଉଥିବାରୁ ଏଭଳି ବେଶ ଧାରଣ କରନ୍ତି ବୋଲି ବିଶେଷଜ୍ଞ ଓ ଗବେଷକ ମତ ଦିଅନ୍ତି । ସେହିପରି ମାଆଙ୍କର ବର୍ଷର ଦୁଇଟି ବିଶେଷ ଉତ୍ସବ ହେଉଥିବାରୁ ମାଆ ଶ୍ରଦ୍ଧାଳୁଙ୍କ ପାଇଁ ଏଭଳି ଅପରୂପ ବେଶ ଧାରଣ କରିଥାନ୍ତି ଏବଂ ଏହା ପ୍ରଥା ମୁତାବକ ଚାଲି ଆସିଛି ବୋଲି ମନ୍ଦିର ପୂଜକ ମତବ୍ୟକ୍ତ କରିଛନ୍ତି ।ତେବେ ସୁନାବେଶ ପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ ।

Spread the love