କୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ରାୟଗଡାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ବେଦୀରେ ଗଜାନନ ବେଶରେ ଶୋଭା ପାଉଛନ୍ତି ତିନି ଠାକୁର

କୋରାପୁଟ / ରାୟଗଡା (ପ୍ରତିଫଳନ ମିଡ଼ିଆ )

ଆଜି  ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ଠାକୁରଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ପ୍ରଭୁ ଜଗନ୍ନାଥ, ବଳଭଦ୍ର  ଓ ଦେବୀ ସୁଭଦ୍ରାଙ୍କ ସ୍ନାନ ଯାତ୍ରା ଓ ପରେ ଗଜବେଶ ଅନୁଷ୍ଠିତ ହୋଇଯାଇଛି। ସେହିପରି ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବି ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଇ ଅପୂର୍ଵ ବେଶକୁ ଦେଖିବାକୁ ସ୍ନାନ ବେଦୀ ନିକଟରେ ଶହ ଶହ ଭକ୍ତଙ୍କ ସମାଗମ ଘଟିଥିଲା। ହୁଳହୁଳି ଓ ସଂକୀର୍ତ୍ତନ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। 

ପରମ୍ପରା ମୁତାବକ ସ୍ନାନ ଯାତ୍ରାରେ ତିନି ଦେବତାମାନଙ୍କ ମୂର୍ତ୍ତିଗୁଡ଼ିକୁ ଗର୍ଭଗୃହ (ପବିତ୍ର ସ୍ଥାନ) ରୁ ସ୍ନାନ ବେଦୀ (ସ୍ନାନ ମଞ୍ଚ) କୁ ଏକ ମହା ଶୋଭାଯାତ୍ରାରେ ବାହାର କରାଯାଇ ଅଣାଯାଇଥିଲା। ସ୍ନାନ ଯାତ୍ରା ଦିନ ଧାର୍ମିକ ମନ୍ତ୍ର ସହିତ ୧୦୮ଟି ପାତ୍ରରେ ବିଧିବଦ୍ଧ ଭାବରେ ଶୁଦ୍ଧ ଜଳ ନେଇ ଦେବତାମାନଙ୍କୁ ସ୍ନାନ କରାଯାଇଥିଲା।  ସ୍ନାନ ଯାତ୍ରା ସମାପ୍ତ ହେବା ପରେ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ଭଗବାନ ଗଣେଶଙ୍କ ପ୍ରତିନିଧିତ୍ୱ କରୁଥିବା ହାତୀ ମୁକୁଟ ପିନ୍ଧାଯାଇ ଗଜାନନ ବେଶରେ ସଜା ଯାଇଥିଲା। ଏଇ ସମସ୍ତ ପରମ୍ପରାକୁ ସେବାୟତଙ୍କ ଦ୍ୱାରା କରାଯାଇଥିଲା। କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ଯୋଗଦେଇଥିବା ବେଳେ ରାୟଗଡାରେ ତହସିଲଦାର ଉପସ୍ଥିତ ରହି ବ୍ୟବସ୍ଥାର ତଦାରଖ କରିଥିଲେ।

ଆସନ୍ତା କାଲିଠାରୁ ଦେବତାମାନେ ଅସୁସ୍ଥ ହୋଇ ଅଣସର ଘରେ ରହିବେ। ମନ୍ଦିରରେ ଠାକୁରମାନଙ୍କ ଅନୁପସ୍ଥିତିରେ ପଟି ଦିଅଁ ପୂଜା ପାଇବେ। ଏଣେ ରାଜ ବୈଦ୍ୟଙ୍କ ଦ୍ୱାରା ପରିଚାଳିତ ଆୟୁର୍ବେଦିକ ଔଷଧ  ଦ୍ୱାରା ଦେବତାମାନେ ପନ୍ଦର ଦିନ ମଧ୍ୟରେ ସୁସ୍ଥ ହୋଇ ପୁନଶ୍ଚ  ଭକ୍ତମାନଙ୍କୁ ଦର୍ଶନ ଦେବା ଆରମ୍ଭ କରିବେ ବୋଲି ମନ୍ଦିର ସେବାୟତଙ୍କ ପକ୍ଷରୁ କୁହାଯାଇଛି।

Spread the love