(ପ୍ରତିଫଳନ ମିଡ଼ିଆ )
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ଏଇ ପ୍ରସ୍ତୁତି।

ନବରଙ୍ଗପୁରର ଜଗନ୍ନାଥ ମନ୍ଦିର ଖୁଵ ପୁରୁଣା। କିନ୍ତୁ ତ୍ରିମୂର୍ତ୍ତି ନବ କଳେବର ଧାରଣ କରିଛନ୍ତି। ପୁରୁଣା ମନ୍ଦିର ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ନୂତନ ମନ୍ଦିର ବି ନିର୍ମିତ ହୋଇଛି। ଏହି ଜିଲ୍ଲାରେ ଅନେକ ଜଗନ୍ନାଥ ମନ୍ଦିର ରହିଛି କିନ୍ତୁ ନବରଙ୍ଗପୁର ସହରରେ ଥିବା ମନ୍ଦିରଟି ସବୁଠାରୁ ପୁରୁଣା। ନୂତନ ମନ୍ଦିର ନିର୍ମାଣ ପାଇଁ ତିନି ଶତାବ୍ଦୀ ପୁରୁଣା ମନ୍ଦିରକୁ ଧୀରେ ଧୀରେ ଭାଙ୍ଗି ଦିଆଯାଇଥିଲା। ମନ୍ଦିରର କାଠ ଛାତ ଉପରେ ଜଟିଳ କାରୁକାର୍ଯ୍ୟ ରହିଛି। ଏହା ବିକ୍ରମ ଦେବ ପ୍ରଥମଙ୍କ ଶାସନ ସମୟରେ ୧୭୫୮ ରୁ ୧୭୮୧ ମଧ୍ୟରେ ନିର୍ମିତ ହୋଇଥିଲା। ୮୦ ଦଶକର ଶେଷ ପର୍ଯ୍ୟନ୍ତ ଗର୍ଭଗୃହରେ ପ୍ରଭୁ ଜଗନ୍ନାଥଙ୍କ ଏକମାତ୍ର ମୂର୍ତ୍ତି ପୂଜା ପାଉଥିଲେ।କୁହାଯାଏ ଯେ ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ କାଠ ମୂର୍ତ୍ତିଗୁଡ଼ିକୁ ବସ୍ତରର ଜଣେ ଶାସକ ନେଇ ଜଗଦଲପୁରର ଏକ ମନ୍ଦିରରେ ରଖିଥିଲେ। ସେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ମୂର୍ତ୍ତିଟି ଚମତ୍କାର ଭାବରେ ହାତୀ ପଛରୁ ଖସିଗଲା ଏବଂ ପରଦିନ ସ୍ଥାନୀୟ ଲୋକମାନେ ମୂର୍ତ୍ତିଟିକୁ ଉଦ୍ଧାର କରିଥିଲେ।ଅଶୀ ଦଶକରେ ଭକ୍ତମାନେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ।

କିମ୍ବଦନ୍ତୀ ଓ ଅଲୌକିକତା
ଜୟପୁର ପୁର ରାଜବଂଶର ବିକ୍ରମଦେବ ପ୍ରଥମ ଙ୍କ ରାଜତ୍ୱ କାଳରେ ବସ୍ତର ରାଜ୍ୟ ସାଙ୍ଗରେ ଯୁଦ୍ଧ ହୋଇଥିଲା । ବସ୍ତର ରାଜ୍ୟର ପ୍ରଥମ ରାଜା ହରିୟାରଙ୍କୁ ଠାରୁ ତାଙ୍କ ଭାଇ ଅକପର ସିଂ ସିଂହ ଜବରଦସ୍ତ ରାଜ୍ୟ ଦଖଲ କରି ରାଜ ସିଂହାସନ ରେ ବସିଥିଲେ । ବିକ୍ରମଦେବ ଙ୍କ ସହାୟତାରେ ହରିୟାର ଜୟଯୁକ୍ତ ହୋଇ ପୁନରୁପି ତାଙ୍କ ରାଜପଦରେ ଅଭିଷିକ୍ତ ହେଲେ । ଯୁଦ୍ଧର ପରିଣାମ ହେଲା ଯେ, ଜୟପୁର ସୈନ୍ୟ ସାମନ୍ତ ବସ୍ତର ରାଜ୍ୟର ପତାକା ହରିୟାରଙ୍କ ଠାରୁ ଛଡାଇ ଆଣିଲେ। ସେପଟେ ନବରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରୁ ବସ୍ତର ସୈନ୍ୟ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ହାତୀ ଉପରେ ଲଦି ବସ୍ତର ରାଜ୍ୟକୁ ନେବାକୁ ବସିଲେ । ରାସ୍ତାରେ ରେ ଇନ୍ଦ୍ରାବତୀ ନଦୀ କୂଳରେ ଜଗନ୍ନାଥ ବିଗ୍ରହ ଲଦାଯାଇ ଥିବା ହାତୀର ଅଣ ଭାଙ୍ଗିଗଲା ଓ ଜଗନ୍ନାଥ ବିଗ୍ରହ ଖସିଗଲେ। ସେ ନବରଙ୍ଗପୁରେ ହିଁ ରହିଗଲେ । ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଚାଲିଗଲେ। ସେହି ଅନାଦି କାଳରୁ ବସ୍ତର ରାଜ ପ୍ରାସାଦରେ ରହି ପୂଜା ପାଉଛନ୍ତି । ଦୀର୍ଘ ୧୭୭୦ ପରଠାରୁ ୧୯୫୮ ଯାଏଁ ୨୧୬ ବର୍ଷ କାଳ ଗୋଟିକିଆ ପତିତ ପାବନ ମୂର୍ତ୍ତି ନବରଙ୍ଗପୁରର ରାଜଧାନୀରେ ଘୋଷ ଯାତ୍ରା କରି ଆସୁଥିଲେ । ବିଖ୍ୟାତ ଲେଖିକା କୁମାରୀ ବସନ୍ତୀ ରାଜୁ ତାଙ୍କ ନବରଙ୍ଗପୁର ଇତିହାସ ଓ ଜଗନ୍ନାଥ ମହିମା ଲେଖାରେ ୧୯୫୮ ର ଦୋଳ ସଂଖ୍ୟାରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ପରେ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ ଅନୁଧ୍ୟାନ କରି ପୁଣି ନୂତନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଦାରୁ ବିଗ୍ରହ ଶ୍ରୀକ୍ଷେତ୍ରରେ ନିର୍ମାଣ କରାଇ ଆଣି ନବରଙ୍ଗପୁର ମନ୍ଦିରରେ ସାନି ସ୍ଥାପନ କରିଛନ୍ତି । ସୁତରାଂ ୧୯୮୭ ରୁ ଆଜିଯାଏଁ ତିନି ବିଗ୍ରହଙ୍କ ଘୋଷ ଯାତ୍ରା ଚାଲିଛି।

ଘୋଷଯାତ୍ର
ନବରଂଗପୁରର ଘୋଷଯାତ୍ରାକୁ ଆଖପାଖର ଆଦିବାସୀ ଅପେକ୍ଷା କରି ରହିଥାନ୍ତି । ଏହା ମହାମିଳନର ଅବସର ଯୋଗାଇଥାଏ । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଜନଜାତି ଲୋକେ ସମାଗମ ହୁଅନ୍ତି। ପୂର୍ବେ ଏଠାରୁ ଜନଜାତି ଯୁବକମାନେ ନିଜ ପସନ୍ଦର କନିଆ ଖୋଜୁଥିଲେ। ପରେ ପାରମ୍ପରିକ ରୀତିରେ ବାହା ହେଉଥିଲେ। ଏବେ ଯୁଗ ବଦଳିଗଲାଣି ସତ କିନ୍ତୁ ନବରଙ୍ଗପୁର ରଥଯାତ୍ରା ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟିନି। ପ୍ରବଳ ଜନସମାଗମର ସହ ରଥଯାତ୍ରା ଅନୁଷ୍ଠିତ ହେଉଛି। ଯୁଗ ଯୁଗ ଧରି ଏହା ଏ ଅଂଚଳର ସଦଭାବନା ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।

