ଶ୍ରୀକୃଷ୍ଣ ହୋଇ ନାଶୁଛି, ଦଳରେ ଘମାସାନ ଚାଲିଛି, ପୁରୁଖା ଶୂନ୍ୟ ହେବ ବିଜେଡି !

ବହୁ ନାମରେ ଅଦୃଶ୍ୟ ଶକ୍ତି

କିଏ କହୁଛି ଧୃତରାଷ୍ଟ୍ର। ସବୁ ଆଖି ବୁଝି ଦେଖୁଛନ୍ତି। ଅନ୍ୟାୟକୁ ପ୍ରଶୟ ଦେଉଛନ୍ତି। ଆଉ କିଏ କହୁଛି ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି। ଆଉ କିଏ କହୁଛି କେହି ଜଣେ ଦଳ ଚଲାଉଛି। ପୁଣି କଥା ଉଠୁଛି ଦଳରେ ଗଣତନ୍ତ୍ର ନାହିଁ। ଜଣତନ୍ତ୍ର ଚାଲିଛି। ପୁଣି କଥା ଉଠୁଛି ସାମନ୍ତବାଦୀ ପ୍ରଥା ଚାଲିଛି। ସେଥିପାଇଁ ବିପ୍ଳବ ସୃଷ୍ଟି ହେଉଛି। ଗତ କିଛି ଦିନ ଧରି ନବୀନ ଓ ବିଜୁ ଜନତାଦଳକୁ ନେଇ ଏମିତି ମତ ଓ ମନ୍ତବ୍ୟ ଆସୁଛି। ଏସବୁ ବିରୋଧୀ କହୁ ନାହାଁନ୍ତି। ବରଂ ଦଳର ବିଭିନ୍ନ ଅଂଚଳର ନେତାମାନେ ଇଙ୍ଗିତ ଇଙ୍ଗିତରେ ଲୋକଙ୍କୁ ଜଣାଇବାକୁ ଆଗ୍ରହ ପ୍ରକଟ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହାର ଜବାବ ବି ସାମାଜିକ ଗଣମାଧ୍ୟମରେ ତଥାକଥିତ ମାନ୍ୟବର ପ୍ରଦାନ କରିଛନ୍ତି। ସେ କହିଛନ୍ତି କୃଷ୍ଣ ଯାହା କରନ୍ତି ମଙ୍ଗଳ ପାଇଁ। ତାହା ସାମୟିକ ପାଇଁ ଭୁଲ ବୋଲି କହିବେ କିନ୍ତୁ ଦୀର୍ଘଦିନ ପରେ ସମସ୍ତେ ବୁଝି ପାରିବେ। ତେବେ ଓଡ଼ିଶାବାସୀ ଏତିକି ବୁଝିବାକୁ ହେବ “କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟଗତି ନାହିଁ।” ଖାଲି ଯାହା ବିଜେଡିର ବିଭିନ୍ନ ସ୍ତରରେ ନାମ ଅଲଗା। ବ୍ୟକ୍ତି ଜଣେ। ଏଇ ଯେମିତି ଅଦୃଶ୍ୟ ଶକ୍ତି, ମିଡିଲ ମ୍ୟାନ, ଜଗୁଆଳ, ପାଖ ଲୋକ, ଶ୍ରୀକୃଷ୍ଣ, ସାମନ୍ତ ଏମିତି ଅନେକ ଅନେକ ।

ଶ୍ରୀକୃଷ୍ଣ ଓ ପାଣ୍ଡଵ-କୌରବ ବିଜେଡି ସେନା

ଶ୍ରୀକୃଷ୍ଣ ପ୍ରସଙ୍ଗକୁ ନେଇ ନିକଟରେ ରାୟଗଡା ବିଜେଡି ନେତା ଆଉ ଦୁଇ ପାଦ ଆଗେଇ ଯାଇ ପୁଣି ରୋଚକ କଥା ଯୋଡ଼ିଛନ୍ତି ବିଜେଡି ନେତା ସୁଧୀର ଦାସ। ଭାସ୍କର ରାଓ ଦଳ ଛାଡ଼ିବା ପ୍ରସଙ୍ଗରେ ସେ କହୁଛନ୍ତି  କୌରବ ବିଜୁ ଜନତା ସେନା ହାରିଲା। ପାଣ୍ଡଵ ପକ୍ଷର ଜୟ ହେଲା। ଏହା ଯଦି ସତ୍ୟ ତେବେ ଧୃତରାଷ୍ଟ୍ର ଓ ଶ୍ରୀକୃଷ୍ଣ ପ୍ରସଙ୍ଗ ବାସ୍ତବରେ ସତ୍ୟ। ଶ୍ରୀକୃଷ୍ଣଙ୍କ ଦ୍ୱାରା କୌରବ ଓ ପାଣ୍ଡବଙ୍କ ଭିତରେ ଲଢେଇ କରାଯାଉଛି। ସ୍ମିତ ହାସ୍ୟର ସହ ଚକ୍ରୀ ଘୁରାଉଛନ୍ତି। ଦଳୀୟ ନେତାଙ୍କୁ ବଧ କରି ନିଜପଟୁ ଥିବା ବାଧାକୁ ସଫା କରୁଛନ୍ତି ଅଦୃଶ୍ୟ ଶକ୍ତି। ଶ୍ରୀକୃଷ୍ଣ ବୋଧେ ଅନୁମାନ କରୁଛନ୍ତି ଧୃତରାଷ୍ଟ୍ରଙ୍କ ଶାସନ ଅନ୍ତ ହୋଇଗଲାଣି।  ଫେରିବା ବି ସହଜ ନୁହଁ। ବୟସ୍କ ଧୃତରାଷ୍ଟ୍ର ବି ଶାସନ ଗାଦି ପାଇଁ ଫିଟ ନୁହଁନ୍ତି। ଏହି ମଉକାରେ ଚଉକା ମାରିବା ଭଲ। କୌରବ ଓ ପାଣ୍ଡବ ବିଜେଡି ଭିତରେ ଏମିତି ଚାଲିବ ଲଢେଇ। ତା ସହିତ ଶ୍ରୀକୃଷ୍ଣ ବନାମ ଶ୍ରୀରାମ ଲଢେଇ ଆଗକୁ ଓଡ଼ିଶାବାସୀ ଦେଖିବେ ମଧ୍ୟ।

ଡାହାଣ ହାତ ଖବର ବାମ ହାତ ଜାଣୁନି

  ବିଜେଡିରେ ଯେ ନବୀନ ଆଉ କିଛି ନୁହଁନ୍ତି ବୋଲି ଦଳୀୟ ଲୋକ ଯାହା ଇଙ୍ଗିତରେ କହିଲେଣି ତାକୁ ସତ୍ୟ ବୋଲି ପ୍ରମାଣ କରୁଛି ନିକଟରେ ପ୍ରକାଶ ପାଇଥିବା ଦଳୀୟ ଚିଠି। ଏଇ ଚିଠି ସ୍ପଷ୍ଟ କରୁଛି ନବୀନ ଦଳୀୟ କାମରେ ମୁଣ୍ଡ ପୁରାଉ ନାହାଁନ୍ତି। ଏମିତିକି ସେ ଦଳୀୟ ଚିଠିରେ ଦସ୍ତଖତ କରୁଛନ୍ତି ନା ନାହିଁ ତାହା ବି ସନ୍ଦେହ ଲାଗିଲାଣି। ବିଜେଡିର ଡାହାଣ ହାତ ଖବର ବାମ ହାତ ଜାଣୁନି ବୋଲି ସତ୍ୟ ପ୍ରମାଣିତ ହୋଇଛି।

ରାୟଗଡା ଜିଲ୍ଲା ସଭାପତି ନାମ ଘୋଷଣା ଚିଠା ପୁରାପୁରି ବିଜେଡିର ଗୁମର ଖୋଲି ଦେଇଛି। ରାୟଗଡା ଜିଲ୍ଲା ସଭାପତି ନାମ ଘୋଷଣାକ୍ରମରେ ରାୟଗଡ଼ର ଗୟାଧର ପୁଆଲୋଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିବା ଦର୍ଶାଯାଇଛି। ବାସ୍ତବରେ ସେମିତି ନାମଧରି ରାୟଗଡା ବିଜେଡିରେ କେହି ନାହାନ୍ତି। ଏଭଳି ନାମ ନଥିବା ଲୋକଙ୍କୁ କିଭଳି ଦଳ ଚିହ୍ନଟ କଲା ଓ ତାଙ୍କ ନାମରେ ନବୀନ ଦସ୍ତଖତ କଲେ କିପରି ତାହା ସମସ୍ତଙ୍କୁ ଚକିତ କରୁଛି। ଭାସ୍କର ରାଓଙ୍କ ଅନୁଗତ ଗଙ୍ଗାଧର ପୁଆଲା ବୋଲି ସମସ୍ତେ ଶେଷରେ ଧରି ନେଇଥିଲେ ମଧ୍ୟ ଏତେ ବଡ଼ ଦଳରେ ଏମିତି ଗୁରୁତର ତ୍ରୁଟି କୌଣସି ମତେ ଗ୍ରହଣୀୟ ନୁହେଁ। ଏହି ରିପୋର୍ଟ ପଢିଲା ପରେ ବିଜେଡିର ଚାଦର ଘୋଡାଉଥିବା ମୁଖପାତ୍ର ବନାନ ଅଶୁଦ୍ଧି ବୋଲି ଗାଲୁ ଗପ କରି ପାରନ୍ତି। ଯଦି ବନାନ ଅଶୁଦ୍ଧି ବୋଲି ଧରାଯିବ। ତାହା ବି ସାଙ୍ଘାତିକ ଦଳୀୟ ତ୍ରୁଟି ବୋଲି ଧରିବାକୁ ପଡିବ। କାରଣ ଗୋଟେ ଚିଠିରେ ଦଳୀୟ ପତ୍ରାଙ୍କ ନମ୍ବର ଥାଇ ଓ ନବୀନ ବାବୁଙ୍କ ଦସ୍ତଖତ ଥାଇ ରାୟଗଡାର ତିନି ଜଣ ସମେତ ମୋଟ ଆଠ ଜଣଙ୍କ ନାମ ବାହାରୁଛି ସେଥିରେ ବି ଏଭଳି ଗୁରୁତର ତ୍ରୁଟି କିପରି ହେଉଛି। ଏହା ସ୍ପଷ୍ଟ କରୁଛି ଯେ ବିଜେଡିର ଉପର ମହଲର ତଥାକଥିତ ନେତା ତଳ ମହଲର ନେତାଙ୍କୁ ଜାଣି ନାହାଁନ୍ତି। ସେମାନଙ୍କ ନାମ ସହ ଅଭ୍ୟସ୍ତ ନୁହଁନ୍ତି। ଖାଲି ତୁଷ୍ଟିକରଣ ପାଇଁ ଗୁଡ଼ାଏ ପଦବୀ ଦେଇ ବିବାଦ ପ୍ରଶମିତ ପାଇଁ ଉଦ୍ୟମ କରୁଛନ୍ତି। ଦଳ ଭାଙ୍ଗିବାରୁ ରକ୍ଷା ଲାଗି ପ୍ୟାଚ ପକାଇ ଚାଲିଛନ୍ତି। କିନ୍ତୁ ଏଭଳି ବେପରୁଆ ଚିଠି ରାୟଗଡାରେ ବିଜେଡିକୁ ଦି ଫାଳ କରିଦେଲା। ବିଜେଡିର ଗୋଟାଏ ଗୋଷ୍ଠୀ ଦଳ ଛାଡିଲେ। ଆଗାମୀ ଦିନରେ ଏଇ ଗୋଷ୍ଠୀ ଜିଲ୍ଲାରେ ବିଜେଡି ପାଇଁ କେତେ ମହଙ୍ଗା ପଡିବେ ବର୍ତ୍ତମାନ୍ ଠାରୁ କହିହେବ ନାହିଁ କହୁଛନ୍ତି ରାଜନୀତି ବିଶାରଦ। ଏହି ବିଦାୟୀ ଗୋଷ୍ଠୀ ହୁଏତ ନିଜ ପ୍ରାର୍ଥୀଙ୍କୁ ଜିତେଇ ନ ପାରନ୍ତି କିନ୍ତୁ ବିଜେଡିକୁ ସହଜରେ ହରାଇବାରେ କୌଣସି ଅସୁବିଧା ନାହିଁ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ରାୟଗଡା ଭଳି ରାଜ୍ୟ ବ୍ୟାପୀ ବିଜେଡିରେ ଏଭଳି ସ୍ଥିତି। 

ଅସନ୍ତୁଷ୍ଟ ବଡ଼ ନେତା : ସଂକଟରେ ବିଜେଡି

ବଡ଼ ନେତା ସବୁ ଅସନ୍ତୁଷ୍ଟ। ସୃଜନ ମଣିଷ ଅରୁଣ ସାହୁ ଭାଷଣରେ ଯାହା ସବୁ ମଞ୍ଜ କଥା କହିଗଲେ। ସେଇଟା ବିଜେଡି ମୁଖିଆଙ୍କ ପାଇଁ ପିତା। ତାକୁ ସହ୍ୟ କରିବା ସହଜ ନୁହଁ। ସେଥିରେ ଶ୍ରୀମୟୀ ଯାହା କହିଲେ ତାହା ଆହୁରି ଭୟଙ୍କର। ଅମର ଶତପଥି ପୁରୁଣା ଖେଳାଳୀ। ସେ ଯାହା ଉଗାଳୁଛନ୍ତି ତାହା ବିଜେଡି ଦଳକୁ ହଜମ ହେଉନି। ଏଣେ ଭାସ୍କର ରାଓ ନାମ ନନେଇ ଅଦୃଶ୍ୟ ଶକ୍ତିର ଯେଉଁ ବାଣ ମାରିଲେ ତାହା ସାଙ୍ଘାତିକ। ରାଜା ସ୍ଵାଇଁ, ପ୍ରଭାତ ତ୍ରିପାଠୀ, ଦେବାଶିଷ ସାମନ୍ତରାୟ ଭଳି ପୁରୁଣା ନେତାମାନେ ସିଧାସଳଖ ପ୍ରଶ୍ନ କରୁଛନ୍ତି। ସେପଟ ପୁରୁଣା ନେତାଙ୍କ ମେଳି ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଆଉ କିଛି ନେତା ସୁଯୋଗ ଅପେକ୍ଷାରେ ଅଛନ୍ତି। ମଉକା ଦେଖି କଡ଼ ଲେଉଟେଇବେ ବୋଲି ସଜବାଜ ହେଉଛନ୍ତି।

ଅଭିଜ୍ଞ ବିଧାୟକ ଅରୁଣ ସାହୁଙ୍କ ମନରେ ବିପ୍ଳବ ସୃଷ୍ଟି ହେଉଛି। ବିଭିନ୍ନ ପ୍ରସଂଗକୁ ନେଇ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସୋସିଆଲ ମିଡିଆରେ ସାହୁଙ୍କ ପୋଷ୍ଟ କୁ ନେଇ ଧୀରେ ଧୀରେ ଚର୍ଚା ଆରମ୍ଭ ହୋଇଛି।

ଏସବୁ ଦେଖିଲେ ବିଜେଡିରେ ପୁରୁଖା ନେତା ଆଉ କିଏ ରହିଲେ। ଯେଉଁ ମାନେ ସହୁଛନ୍ତି ସେମାନେ କ୍ଷମତା ଲୋଭୀ ବୋଲି ଦଳର ନେତା ମାନେ କୁହାକୁହି ହେଉଛନ୍ତି। କିଛି ଅଜାଗା ଘା ଦେଖାଇ ହୁଏନି କି ଦେଖି ହୁଏନି ନ୍ୟାୟରେ କୋଉ ପାଣି କୋଉ ଆଡ଼କୁ ଯାଉଛି ଖାଲି ପରଖୁଛନ୍ତି।

ଖୁଵ ଶୀଘ୍ର ବିଜେଡିର ଏକ ଗୋଷ୍ଠୀ ଆଉ ଏକ ନୂତନ ଦଳ ଗଠନର ଆଭାସ ଦେଉଥିବାରୁ ବିଜେଡି (ବୁଡି ଯାଉଥିବା ଦଳ ) ଗୌଣ ସାବ୍ୟସ୍ତ ହେବାର ସମ୍ଭାବନା ଦେଖାଦେଇଛି। ଏସବୁ ଭିତରେ କିଛି ନେତା ନେତ୍ରୀ ଶ୍ରୀକୃଷ୍ଣଙ୍କ ମୋହରେ ଉବୁଟୁବୁ ହୋଇ ଅନ୍ଧ ସ୍ତୁତି ଗାନ କରୁଛନ୍ତି। ଏହା ଆହୁରି ଅସନ୍ତୁଷ୍ଟଙ୍କ ମନରେ ବିପ୍ଳବ ଲାଗି ଇନ୍ଧନ ଯୋଗାଉଛି। ଦଳକୁ ବହୁ କ୍ଷତି ପହଂଚାଉଛି। ଫଳରେ ସମ୍ପ୍ରତି ବିଜେଡି ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

Spread the love