ତୁର୍କୀ, ଚୀନ ଏବଂ ଆଜେରବାଇଜାନକୁ ବର୍ଜନ କରିବାକୁ ଆହ୍ୱାନ ଦେଲା ସ୍ୱଦେଶୀ ଜାଗରଣ ମଞ୍ଚ

କୋରାପୁଟ(ପ୍ରତିଫଳନ ମିଡ଼ିଆ)

ଭାରତକୁ ବିରୋଧ କରୁଥିବା ତୁର୍କୀ, ଚୀନ ଏବଂ ଆଜେରବାଇଜାନ ବିରୁଦ୍ଧରେ ଦେଶବ୍ୟାପୀ ବର୍ଜନ ଅଭିଯାନକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ସ୍ୱଦେଶୀ ଜାଗରଣ ମଞ୍ଚ । କୋରାପୁଟ ଜଗନ୍ନାଥ ମନ୍ଦିର ଛକଠାରେ ଏ ନେଇ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ତୁର୍କୀ ଏବଂ ଆଜେରବାଇଜାନ ଦ୍ୱାରା ଆତଙ୍କବାଦୀଙ୍କ ଦେଶ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଏବଂ ତୁର୍କୀର ସାମରିକ ଡ୍ରୋନ ବ୍ୟବହାରର ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସ୍ବଦେଶୀ ଜାଗରଣ ମଞ୍ଚର ଓଡିଶା ପ୍ରଦେଶ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ କହିଛନ୍ତି । ମଞ୍ଚ ତରଫରୁ ସମସ୍ତ ନାଗରିକ ଓ ବ୍ୟବସାୟୀମାନଙ୍କୁ ଅପିଲ କରାଯାଇଛି ଯେ, ଯେପର୍ଯ୍ୟନ୍ତ ଏହି ଦେଶଗୁଡ଼ିକ ଭାରତର ସାର୍ବଭୌମତ୍ୱ ଏବଂ ସୁରକ୍ଷା ଚିନ୍ତାକୁ ସମ୍ମାନ ନ କରନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯାତ୍ରା ଏବଂ ବ୍ୟବସାୟରୁ ଦୂରେଇ ରୁହନ୍ତୁ। ଜାରା, ଆଡିଡାସ, ନାଇକ ଭଳି ବଡ଼ ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ତୁର୍କୀରେ ତିଆରି ରେଡିମେଡ ପୋଷାକକୁ ଭାରତରେ ଆଣି ବିକ୍ରି କରାଯାଉଥିବାରୁ ଏହା ଉପରେ ରୋକ ଲଗାଇବା ଏବଂ ଏଗୁଡ଼ିକର ବର୍ଜନ କରିବାକୁ ସମସ୍ତ ନାଗରିକଙ୍କୁ ନିବେଦନ କରିଛି ମଞ୍ଚ।


୨୦୨୩ରେ ବିନାଶକାରୀ ଭୂକମ୍ପ ସମୟରେ ଭାରତ ତୁର୍କୀକୁ ମାନବୀୟ ସହାୟତା ପ୍ରଦାନ କରିଥିଲା, କିନ୍ତୁ ବର୍ତ୍ତମାନ ତୁର୍କୀର ପାକିସ୍ତାନ ସହିତ ବଢ଼ୁଥିବା ସାମରିକ ସମ୍ପର୍କ ଭାରତର ଜାତୀୟ ସୁରକ୍ଷା ପାଇଁ ପ୍ରତ୍ୟକ୍ଷ ବିପଦ ସୃଷ୍ଟି କରୁଛି। ତୁର୍କୀ ଏବଂ ଆଜେରବାଇଜାନ ବିରୁଦ୍ଧରେ ତୁରନ୍ତ ଆର୍ଥିକ ପ୍ରତିବନ୍ଧକ, ବିମାନ ଚଳାଚଳ ବନ୍ଦ, ପର୍ଯ୍ୟଟନ ଏବଂ ଆମଦାନୀ ଉପରେ ରୋକ ଲଗାଇବାକୁ ମଞ୍ଚ ଦାବି କରିଛି। ଭାରତକୁ ବିରୋଧ କରୁଥିବା ଦେଶକୁ ବୁଲି ନ ଯିବ ଓ ସେହି ଦେଶ ଗୁଡ଼ିକର ଜିନିଷ କୁ ବର୍ଜନ କରିବା ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବା ଦେଖାଯାଉଛି।
ସ୍ବଦେଶୀ ଜାଗରଣ ମଞ୍ଚର ଏହି ବର୍ଜନ ଅଭିଯାନରେ ଜନସାଧାରଣଙ୍କ ଯୋଗଦାନ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ବିକ୍ଷୋଭ ପ୍ରଦର୍ଶନ ରେ ମଞ୍ଚର ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ଶତପଥି, ରବିନାରାୟଣ ମିଶ୍ର, ସୌମେନ୍ଦ୍ର ସ୍ୱାଇଁ, କୋରାପୁଟ ନଗରପାଳ ଲଲାଟ ରଞ୍ଜନ ସେଠୀ, ଶୁଭ୍ରଜିତ ଲେଙ୍କା, କେଶବ ପଟନାୟକ, ପ୍ରିୟ ରଞ୍ଜନ ଦାଶ, ଶ୍ରୀନିବାସ ରାଓ, ପ୍ରଶାନ୍ତ ପାତ୍ର, ନୀଳମଣି ଦାସ, ଲଲଟେନ୍ଦୁ ପାଠୀ, ବିଭୁ ମହାପାତ୍ର, ରାମ ସାହୁ, ମହିପାଳ ସିଂ, କୈବର୍ତ୍ତ ସାମନ୍ତରାୟ, ବିଶ୍ୱନାଥ କାଡ୍ରାକା, ଦିଗାମ୍ବର ଷଡଙ୍ଗୀ, ସନ୍ତୋଷ ଜେନା, ଦୁଷ୍ମନ୍ତ ପାଢ଼ୀ, ରାଜେନ୍ଦ୍ର ରଥ, ରାଜକୁମାର, ପ୍ରହଲ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love