ଚିଦାନନ୍ଦ ସେ ପରମାନନ୍ଦ 

ଦ୍ବିତୀ ଚନ୍ଦ୍ର ଓ କୀର୍ତ୍ତି ଚନ୍ଦ୍ର ସାହୁ

ସଞ୍ଜ ହେଲା ବେଳକୁ ଗାଈ ଗୋଠ ଫେରିଥିବ । ଘରେ ଘରେ ସଂଜ ଦୀପ ପାଇଁ ସଜବାଜ ହେଉଥିବେ ମାଆ ମାନେ। ଏହି ସମୟରେ ଆଉ ଏକ ଘଟଣା ଘଟେ ପଦ୍ମପୁରରେ । ସାଇକେଲରେ ଧୋତି ପାଇଜାମା ପିନ୍ଧା ଏକ ବ୍ୟକ୍ତି ବୁଲୁଥିବେ ସାହିକୁ ସାହି। ସାଇକେଲ ପଛରେ ଲଦା ହୋଇଥିବ ଖବରକାଗଜ । ମାନେ ଗୋପବନ୍ଧୁ ଦାସଙ୍କ ସମାଜ । ସମାଜ ପତ୍ରିକା ବାଣ୍ଟୁଥିବେ ସେ । ଧଳା ଓ ଲମ୍ୱା ମଣିଷ । ସଦା ହସ ହସ ଚେହେରା। ମିଷ୍ଟ ଭାଷୀ। ଧୀର ସ୍ବରରେ କଥା କହୁଥିବେ । ପିଲା ଦିନେ ଏହି ଭଦ୍ର ମଣିଷଙ୍କ ଜରିଆରେ ମୋର ଖବର କାଗଜ ସହ ପ୍ରଥମ ପରିଚିତ । ସତୁରୀ ଦଶକ ରେ ପଦ୍ମପୁରକୁ ସେମିତି ଯୋଗାଯୋଗ ନଥିଲା । କଟକ – ଗୁଣୁପୁର ଏକ ସରକାରୀ ବସ ଚାଲୁଥିଲା । ସଞ୍ଜ ବେଳକୁ ପଦ୍ମପୁର ଦେଇ ଗୁଣୁପୁର ଯିବ ଗାଡ଼ି । ସେଥିରେ ଆସିବ ସମାଜ । ଅପେକ୍ଷାରେ ଥିବେ ସେ । ଆସିଲା ପରେ ବାଣ୍ଟିବେ । ଡେରି ହେଲେ ଆର ଦିନକୁ ସମାଜ ବଣ୍ଟା ହେବ । କାରଣ ସେ ଥିଲେ ଶିକ୍ଷକ । ସମାଜ ଆଣି ଲୋକଙ୍କୁ ପଢିବାକୁ ଯୋଗାଇବା ଯେମିତି କେବଳ ଆଗ୍ରହ ନଥିଲା ବରଂ କୁହାଯାଉ ଏକ ବ୍ରତ ଥିଲା । ମୋତେ ଲାଗେ ସ୍ବର୍ଗତ ଗୋପବନ୍ଧୁ ଦାସଙ୍କ ସହ ତାଙ୍କର ବୋଧେ ଏକ ଆତ୍ମିକ ସମ୍ପର୍କ ଥିଲା । ନତୁବା କୌଣସି ଏକ ଅଦୃଶ୍ୟ ସମ୍ପର୍କ ତାଙ୍କୁ ସମାଜ ପ୍ରତି ଅହେତୁକ ପ୍ରେମ ଜାଗରିତ କରିଥିଲା । ନିୟମିତ ବିଦ୍ୟାଳୟ ଯିବା ପରେ ଖବରକାଗଜ ବାଣ୍ଟିବା ଏକ ସରକାରୀ ଶିକ୍ଷକ ପାଇଁ କଣ ଏମିତି ଆବଶ୍ୟକତା ଥିଲା? ଏହା ସତରେ ତାଙ୍କୁ ରୋଜଗାର ଯୋଗାଉଥିଲା ? ଏହାର ଉତ୍ତର ଏତିକି କୁହାଯାଇ ପାରେ ସମାଜ ଖବର କାଗଜ ପ୍ରତି ଅନ୍ତରଙ୍ଗ ଅନୁରକ୍ତି ହିଁ ତାଙ୍କୁ ଏମିତି କରିବାକୁ ବାଧ୍ୟ କରିଥିଲା।

ପିଲାଟି ଦିନରୁ ଦେଖି ଆସିଛି ଏଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତିଙ୍କୁ । ବଡ଼ ହେଲି। କିଛି ଦିନ ଖବର କାଗଜ ସହ ଜଡ଼ିତ ରହିଲି। ସେହି ସମାଜରେ କିଛି ଦିନ ସାମ୍ବାଦିକତା କଲି। ତାରି ପୃଷ୍ଠାରେ ଏବେ ମୁଁ ଲେଖୁଛି ଅନେକ କିଛି । ପରେ ଶିକ୍ଷକ ଚାକିରୀ ବି କଲି। ସେ ଶିକ୍ଷକ ଚାକିରୀରୁ ଅବସର ନେଲେ ସତ। କିନ୍ତୁ ସମାଜ ବଣ୍ଟନରୁ କେବେ ବିରତ ହୋଇ ନଥିଲେ ସେ। ସେଇ ଏକା ବେଶ ଭୂଷ। । ସେମିତି ସାଇକେଲ । ତାରି ପଛରେ ଥିବ ସମାଜ । ପ୍ୟାଡେଲ ମାରି ବୁଲୁଥିବେ ଘରକୁ ଘର। ଅବସର ପରେ ସମାଜ ପାଇଁ ସେ ଆରମ୍ଭ କଲେ ସାମ୍ବାଦିକତା। ଯୁଗ ବଦଳିଲା। ସମୟ କଡ ଲେଉଟିଲା। ଅଥଚ ସେ କିନ୍ତୁ ବଦଳିଲେନି। ପିତୃ ପ୍ରତିମ , ଆଦର୍ଶ ଶିକ୍ଷକ, ଶିକ୍ଷା ସଂଗଠକ, ସାମ୍ବାଦିକ ଓ ହୃଦୟବାନ ମଣିଷ ପରମାନନ୍ଦ ଦାସଙ୍କ ବିୟୋଗ ବ୍ୟଥିତ କଲା। ଆତ୍ମୀୟଙ୍କୁ ହରାଇବାର ଦୁଃଖରେ ବିଗଳିତ ହେଲି । ଜଣେ ଭଲ ଶିକ୍ଷକ ଓ ଭଲ ମଣିଷକୁ ହରାଇଲା ପଦ୍ମପୁର ମାଟି। ଏଇ ଅବସରରେ ଅଶ୍ରୁଳ ବିଦାୟ ଦେଉଛି ପ୍ରତିଫଳନ ଓ ସାହୁ ପରିବାର। ଆପଣଙ୍କ ଆଦର୍ଶ ବଞ୍ଚିଥିବ ଏମିତି । ଆପଣ ଚିର ଅମର ହୋଇ ରହିବେ ସମାଜ ଖବର କାଗଜ ଜରିଆରେ। ସମାଜ ଯେତେଦିନ ଲୋକଙ୍କୁ ଖବର ଦେଉଥିବ ଆପଣ ସେତେଦିନ ବଞ୍ଚିଥିବେ ସମସ୍ତଙ୍କ ସ୍ମୃତିରେ । ଆପଣଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଆପଣ ଯେଉଁଠି ଥିବେ ସଦା ଆଶୀର୍ବାଦ ଢାଳୁଥିବେ ।

Spread the love