କୋରାପୁଟ (ପ୍ରତିଫଳନ ମିଡ଼ିଆ )
ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ଏଥର ମାରିଲେ ବାଜି। ଜାତୀୟ ସ୍ତରରେ ଚମକିଲେ ମାଳ ଅଞ୍ଚଳର ଶିକ୍ଷକ। ଚଳିତ ବର୍ଷ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଦୁଇ ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ତରୁଣ କୁମାର ଦାସ ଓ ମାଲକାନଗିରି କୋଣ୍ଡେଲ ଏନୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇବେ ଜାତୀୟ ଶିକ୍ଷକ ସମ୍ମାନ। ଅନେକ ସମୟରେ ଅବିଭକ୍ତ କୋରାପୁଟ ଅନ୍ତର୍ଗତ ଚାରୋଟି ଜିଲ୍ଲାର ଶିକ୍ଷାକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ହେଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରୟାସ ପାଇଁ ଶିକ୍ଷା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ପାଇବା ନୂଆ ପରମ୍ପରା ସୃଷ୍ଟି କରିଛି।

ଗତ ବର୍ଷ ରାୟଗଡା ଜିଲ୍ଲାର ବିଲେଷୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଓ କଳାହାଣ୍ଡି ଜିଲ୍ଲାର ସନ୍ତୋଷ କୁମାର କର ଏହି ସମ୍ମାନ ପାଇଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷକ ମାନେ ଶିକ୍ଷାର ବିକାଶ ଲାଗି ନୂଆ ପରୀକ୍ଷାନିରୀକ୍ଷା ଦେଶର ଶିକ୍ଷାବିତ୍ତ ଙ୍କ ମନ କିଣୁଛି। ଅତୀତରେ ଓମ ପ୍ରକାଶ ମିଶ୍ର, ପବିତ୍ର ମୋହନ ଦାଶ, ପ୍ରଦୀପ କୁମାର ମିଶ୍ର ଏହି ସମ୍ମାନ ହାସଲ କରିଛନ୍ତି। କ୍ରମାଗତ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଶିକ୍ଷକ ମାନେ ଜାତୀୟ ଶିକ୍ଷକ ସମ୍ମାନ ହାସଲ କରିବା ଶିକ୍ଷା ବ୍ୟବସ୍ଥା ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି। ରାଜ୍ୟ ସରକାର ଏସବୁ ଶିକ୍ଷକମାନଙ୍କ ଦକ୍ଷତାର ଭରପୁର ଉପଯୋଗ କରିବାର ସମୟ ଆସିଛି ବୋଲି ବହୁ ଶିକ୍ଷାବିତ୍ ମତ ପ୍ରକାଶ କରିଛନ୍ତି। ଆଗାମୀ ସେପ୍ଟେମ୍ବର 5ତାରିଖରେ ମହାମହିମ ରାଷ୍ଟ୍ରପତି ଓଡ଼ିଶାର ଦୁଇ ଜଣ ଶିକ୍ଷକ ସମେତ ଦେଶର ମୋଟ 48ଜଣଙ୍କୁ ମାନପତ୍ର, ମେଡାଲ ଓ ଉପଢୌକନ ଦେଇ ସମ୍ମାନିତ କରିବେ। ଫଳାଫଳ ଘୋଷଣା ହେବା ପରେ ଶ୍ରମ ସାର୍ଥକ ହେଲା ଓ ଏଇ ଖବର ପ୍ରଚୁର ଖୁସି ଦେଇଛି ଏବଂ ଏହି ସମ୍ମାନ ଶିଶୁମାନଙ୍କ ପାଇଁ ଅଭିପ୍ରେତ ବୋଲି ଦୁହେଁ ନିଜ ପ୍ରତିକ୍ରିୟାରେ ପ୍ରତିଫଳନ ମିଡ଼ିଆକୁ କହିଛନ୍ତି।

