ପ୍ରତିଫଳନ ମିଡ଼ିଆ
କୋରାପୁଟ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କ ଦୁଇ ଦିନିଆ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାର ଦୁଇ ଦିନ ରହି ତୃଣ ମୂଳ ସ୍ତରରେ ଯୋଜନା ଗୁଡ଼ିକର କିଭଳି କାର୍ଯ୍ୟ କାରିତା ହେଉଛି କ୍ଷେତ୍ର ସ୍ଥଳକୁ ଯାଇ ପରିଦର୍ଶନ କରିଥିଲେ ।

ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ ଯୋଗାଣ, ଜୀବିକା ମିଶନ, ମିଲେଟ ମିଶନ , ରାସ୍ତା ନିର୍ମାଣ, ମହିଳା ସଶକ୍ତି କରଣ,ଜନଜାତି ବିକାଶ ଆଦି କାର୍ଯ୍ୟ କ୍ରମର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ । ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାମ କିଭଳି ସରିବ ଓ ପ୍ରତ୍ୟେକଟି ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ନିର୍ମାଣଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା ପରିଦର୍ଶନ କରି ସମୀକ୍ଷା କରିଥିଲେ। ନିର୍ମାଣଧୀନ ନୂତନ କୋଠା ବୁଲି ଦେଖିଥିଲେ। ଲାଣ୍ଡିଗୁଡା ସ୍ଥିତ କୋଲାବ ଜଳଭଣ୍ଡାରରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖୀଥିଲେ। ପ୍ରତି ଗ୍ରାମରେ ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାକୁ ସଫଳ କରିବାକୁ ଗୁରୁତ୍ଵାରୋପ କରିଥିଲେ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସୁନାବେଡ଼ା ସ୍ତିତ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍କୁଲ ପିଲାଙ୍କ ସହ ଆଲୋଚନା କରି ଖାଇବା ଓ ରହିବା ନେଇ ପିଲାଙ୍କୁ ପଚାରି ବୁଝିଥିଲେ। ସ୍ମାର୍ଟ୍ କ୍ଳାସରୁମ ସହ ଲାଇବ୍ରେରୀ ବୁଲି ଦେଖିଥିଲେ । ଦେଶର ମହାପୁରୁଷଙ୍କ ଜୀବନୀ ଉପରେ ପିଲାଙ୍କୁ ସାଧାରଣ ଜ୍ଞାନ କିଭଳି ଦିଆଯିବ ସେଉପରେ ଗୁରୁତ୍ୱାରୋପ କରିଥିଲେ।

ସେମିଳିଗୁଡା ବ୍ଳକ ରାଜୁପୁଟ ପଞ୍ଚାୟତରେ ଥିବା ମିଲେଟ ପ୍ରକ୍ରିୟାକରଣ ୟୂନିଟ ପରିଦର୍ଶନ କରିବା ସହ ମିଲେଟ ପ୍ରସ୍ତୁତି ଖାଦ୍ୟ ପରଖିଥିଲେ ।ପଟାଙ୍ଗି ବ୍ଲକର ପେଟୁରୁ ଠାରେ ଓରମାସ ଦ୍ୱାରା ପରିଚାଳିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଦର୍ଶନ କରିଥିଲେ। ସ୍ଥାନୀୟ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ ଗୋଟିଏ ସ୍ଥାନରେ ସିଲେଇ, ମକା ଚୁନା,ମାଣ୍ଡିଆ ଚୁନା, ପେପର ପ୍ଳେଟ,ଚପଲ ନିର୍ମାଣ ସହ ଧୁପକାଠି ପ୍ରସ୍ତୁତ ୟୁନିଟ ବୁଲି ଦେଖିଥିଲେ। ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଭାରତ ମାଳା ପରିୟୋଜନାର ଏକ୍ସପ୍ରେସ ହାଇୱେ କାମର ଅଗ୍ରଗତି ସମୀକ୍ଷା କରିଥିଲେ । ସୁଙ୍କି ଟନେଲ ବୁଲି ଦେଖିଥିଲେ। ନୋଡାଲ ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ଜୟପୁର ଉପ ଜିଲ୍ଲାପାଳ ଆକାଭରମ ଶସ୍ୟା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ,ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବରଦା କାନ୍ତ ମିଶ୍ର, କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧିକ୍ଷକ ଓ ଡିନ , ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଅଧିକାରୀ,ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା, କୋରାପୁଟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରଶାସକ, ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲା ମଙ୍ଗଳ ଅଧିକାରୀ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।