ପାରଳାଖେମୁଣ୍ଡି (ପ୍ରତିଫଳନ ମିଡ଼ିଆ )
ପାରଳାଖେମୁଣ୍ଡି ନାଗରିକ ମଂଚ ତରଫରୁ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ଗୃହରେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ପାଇଁ ଭିଜନ୍ ଡକ୍ୟୁମେଣ୍ଟ -୨୦୩୬ ସମ୍ୱନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ପ୍ରଶାସକ ଅଶ୍ୱିନୀ କୁମାର ପାଢୀ ଏବଂ ପୂର୍ବତନ ବ୍ୟାଙ୍କର ଶାଖା ପରିଚାଳକ ସାରଳା ଦେବ ପଟ୍ଟନାୟକ ମଂଚାସୀନ ଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାରଳା ମହାରାଜ ସ୍ମାରକୀ ପୀଠ ଘୋଷଣା କରିଥିଲେ।ଏଥିରେ ପାରଳା ମହାରାଜାଙ୍କ ସ୍ମୁତି ଏବଂ ଗଜପତି ଜିଲ୍ଲାର ସାମୂହିକ ଉନ୍ନତି ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ। ଏଥିରେ ସହରର ବୁଦ୍ଧିଜୀବୀ, ଅବସରପ୍ରାପ୍ତ କର୍ମଚାରୀ, ସାମ୍ବାଦିକ ତଥା ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ।ନିଜ ବକ୍ତବ୍ୟରେ ପାରଳାର ପୁରାତନ କ୍ରୁଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ସ୍ତରୀୟ ମାନ୍ୟତା, ଜିଲ୍ଲାର ପୁରାତନ ବନ୍ଧର ଖନନ ଓ ପୁନରୁଦ୍ଧାର, ବଂଶଧାରା ଓ ମହେନ୍ଦ୍ରଗିରି ନଦୀର ମିଶ୍ରଣ, ପାରଳାଖେମୁଣ୍ଡି ରେଳଷ୍ଟେସନରେ କ୍ରୁଷ୍ଣଚନ୍ଦ୍ର ଗଜପତି ଓ ଗୌରଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ପୁରାତନ ଉତ୍କଳ ହିତୈଷିଣୀ ସମାଜ ଗ୍ରୁହର ମରାମତି, ଜିଲ୍ଲାରେ ଉତ୍ପାଦିତ କ୍ରୁଷି ଓ ଉଦ୍ୟାନ ଭିତ୍ତିକ ଶସ୍ୟର ପ୍ରକ୍ରିୟା ତଥା ଅନ୍ୟାନ୍ୟ ବହୁ ବିଧି ସମସ୍ୟା ଉପସ୍ଥାପନ କରାଯାଇଥିଲା।ଉପସ୍ଥିତ ଅଂଶଗ୍ରହଣକାରୀଂକ ମଧ୍ଯରୁ ଭାଗବତ ପାଢୀ, ବିଚିତ୍ରାନନ୍ଦ ବେବର୍ତ୍ତା, ଆଶାଲତା ପାଣିଗ୍ରାହୀ, ଡ.ଭାରତୀ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ସାମଲ, ନରସିଂହ ଗୌଡ ତଥା ଅନ୍ୟାନ୍ୟ ବକ୍ତାମାନେ ସେମାନଙ୍କ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ। ଶ୍ୟାମସୁନ୍ଦର ଗନ୍ତାୟତ ସଂଯୋଜନା କରିଥିଲେ ତଥା ତ୍ରିପତି ପ୍ରସାଦ ପଣ୍ଡା, ନିତ୍ୟାନନ୍ଦ ଚୌଧରୀ, ଶରତ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

