ରାୟଗଡା ବିକାଶର ଅପାର ସମ୍ଭାବନା ରହିଛି : ମନ୍ତ୍ରୀ

ତୃତୀୟ ସଞ୍ଜରେ ଗାୟକ ବିଷ୍ଣୁ ମୋହନ କବି ଓ ନାଲ୍ୟା ଜୈଟି ଦର୍ଶକଙ୍କୁ ନଚେଇଲେ

ରାୟଗଡ଼ ( ପ୍ରତିଫଳନ ମିଡ଼ିଆ )

ଢାମ୍ପ,ଢୋଲ, ନିଶାନ, ଟାସା, ତୁଡୁମ, ମହୁରୀ  ଥିଲା। ମଞ୍ଚ ବି ଥିଲା। ଆଲୋକର ରଙ୍ଗରେ ମଞ୍ଚ ସଜେଇ ହୋଇଥିଲା ମଞ୍ଚ। ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ମଞ୍ଚକୁ ଜୀବନ ଦେଲେ। ବିଭିନ୍ନ ବାଦ୍ୟର ନାଦରେ ଥରି ଉଠିଲା ଚଇତି ମଞ୍ଚ। ସତେଜ ହୋଇଗଲା ଜିସିଡ଼ି ପଡିଆ। ଆଉ ଚଇତି ତୃତୀୟ ସଞ୍ଜ ମୁଖରିତ ହୋଇଗଲା। 

ଇନ୍ଦିରା ଡ୍ୟାନ୍ସ ଏକାଡେମି କଳାକାରଙ୍କ କୁଚିପୁଡ଼ି ନୃତ୍ୟରୁ ଆରମ୍ଭ ହୋଇଥିଲା ଚଇତି ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାପରେ ଡେମସା ନୃତ୍ୟ ପରିବେଷଣ କରିଥିଲେ ଡାବୁଗାଁର କଳାକାର। ଝଞ୍ଜାବତୀ କଳା ପରିଷଦ ପକ୍ଷରୁ କାଳୀଚରଣ ରଥ ଓ ଟିମ୍ ଦ୍ଵାରା ଢ଼େମସା ନୃତ୍ୟ ପରିବେଷଣ ହୋଇଥିଲା। ରାମନାଗୁଡା କଳାକାର ମେରିୟା ନୃତ୍ୟ ଓ  ରାୟଗଡା ଟ୍ରାନ୍ସଜେଣ୍ଡର ଦଳ କୋରାପୁଟିଆ ଢେମସା ନୃତ୍ୟ ପରିବେଷଣ କରିଥିଲେ । ରାୟଗଡ଼ା ଜିଲ୍ଲାର କଳାକାରମାନେ ଚିତ୍ତାକର୍ଷକ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା।

ନୃତ୍ୟ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ  ଅଧ୍ୟକ୍ଷତାରେ ତୃତୀୟ ଦିବସ ସମାରୋହରେ  ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ଯୋଗଦେଇ ରାୟଗଡାରେ ପ୍ରକୃତିର ଭଣ୍ଡାର ରହିଛି। ବିକାଶର ଅପାର ସମ୍ଭାବନା ରହିଛି। ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।  ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଏସ୍‌ପି ସ୍ବାଥୀ ଏସ୍. କୁମାର, ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଗୁଣପୁର ପୌରାଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ, ଗୁଡ଼ାରୀ ଏନ୍ଏସି ଅଧ୍ୟକ୍ଷା ସର୍ପିତା ଶବର ଯୋଗ ଜନଜାତି ସଂସ୍କୃତି ରାୟଗଡ଼ର ସ୍ଵତନ୍ତ୍ର ପରିଚୟ ବୋଲି ମତ ରଖିଥିଲେ। ଅପୂର୍ବ ଆୟୋଜନ ପାଇଁ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଅଁର  ସ୍ବାଗତ ଭାଷଣ ଦେଇଥିଲା ବେଳେ ଉପଜିଲ୍ଲାପାଳ ରମେଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପରମ୍ପରା ମୁତାବକ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସମସ୍ତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜିଲ୍ଲାର କାଉନସିଲରଙ୍କୁ ଜିଲ୍ଲାପାଳ ସମ୍ବଦ୍ଧିତ କରିଥିଲେ ।  ଅପରପକ୍ଷେ ଶିକ୍ଷକ  ତାପସ ଦଳେଇ ଓ କାଶୀପୁରର କୃଷି ଅଧିକାରୀ ତଥା କବି ନିରଞ୍ଜନ ନାୟକ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ରବିବାର ଛୁଟି ଥିବାରୁ ଚଇତି ଓ ପଲ୍ଲିଶ୍ରୀ ମେଳାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ତୃତୀୟ ଦିବସର ପ୍ରମୁଖ ଆକର୍ଷଣ ଶେଷରେ ମଞ୍ଚକୁ ଆସିଥିଲେ ପ୍ରସିଦ୍ଧ ଗାୟକ ବିଷ୍ଣୁ ମୋହନ କବି ଓ ନାଲ୍ୟା ଜୈଟି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ଲୋକେ ଭରପୁର ଉପଭୋଗ କରିଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପକ କେପି ଓ ଉପସ୍ଥାପିକା ପ୍ରିୟା ସୁନ୍ଦର ଭାବେ ସଂଯୋଜିତ କରିଥିଲେ।

Spread the love